
୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ ଜିଲ୍ଲା :-> ବାରଙ୍ଗ ବ୍ଲକ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ । ପରିବହନ କ୍ଷେତ୍ରରେ ଆସିବ ବଡ ରୂପାନ୍ତର । ସେ କହିଥିଲେ ଯେ ମେଟ୍ରୋ ରେଲ୍ପାଇଁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି, ତାହା ଆଜି ପାଳନ କରୁଛି । ପୁରୁଣା ରାଜଧାନୀ କଟକ ସହିତ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କକୁ ଆହୁରି ମଜବୁତ କରିବ । ବାଟରେ ଆସିବା ବେଳେ ସ୍ଥାନେସ୍ଥାନେ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ସମ୍ପର୍କରେ ପ୍ରକାଶକରି ମୁଖ୍ୟମନ୍ତ୍ରୀ କହିଲେ ଯେ “ଏଠାକୁ ଆସିବା ବେଳେ ରାସ୍ତାରେ ହଜାର ହଜାର ଲୋକଙ୍କ ଶୁଭେଚ୍ଛା ପାଇଲି ।
ସେମାନଙ୍କ ଆନନ୍ଦ ମୋତେ ମଧ୍ୟ ବହୁତ ଖୁସି ଦେଇଛି । ନୂଆ ବର୍ଷର ଏ ଖୁସି, ଏ ନନ୍ଦ, ସବୁ ଦିନ ଜାରି ରହୁ, ମହାପ୍ରଭୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା । ବିକାଶର ପର୍ବ ଆପଆଣମାନଙ୍କ ସହଯୋଗରେ ଆହୁରି ଆଗକୁ ବଢୁ ।” ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମେଟ୍ରୋ ରେଲ୍ର ଏହି ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ୨୬ କି.ମି. ଏହି ପ୍ରକଳ୍ପରେ ୨୦ଟି ଷ୍ଟେସନ ରହିବ ଓ ଏଥିପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। 5T ଉପକ୍ରମରେ ଏହା ରାଜ୍ୟର ଏକ ଫ୍ଲାଗସିପ୍ ପ୍ରକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ପ୍ରକାଶକରି ସେ କହିଲେ ଯେ ଓଡିଶା ଇତିହାସରେ ଭିତ୍ତିଭୂମି କ୍ଷେତ୍ରରେ ଏହା ସବୁଠାରୁ ବଡ ନିବେଶ । ଶେଷରେ ସେ କହିଥିଲେ ଯେ ମେଟ୍ରୋ ରେଲ୍କୁ ଖୋର୍ଦ୍ଧା, ପୁରୀ ଓ କଟକ ସହରକୁ ସଂପ୍ରସାରଣ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏକ ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଶ୍ରୀ ପଟ୍ଟନାୟକ ଆଜି ପ୍ରଥମେ ଭୁବନେଶ୍ୱର ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ ପର୍ଯ୍ୟନ୍ତ ରୋଡ୍ ସୋ ରେ ଆସି ସେଠାରେ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଏୟାରପୋର୍ଟ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ରୋଡ୍-ସୋରେ ଯାଇ କ୍ୟାପିଟାଲ ହସ୍ପିଟାଲ ଛକ, ୧୨୦ ବ୍ୟାଟାଲିୟାନ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଲ୍ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଇଣ୍ଡିଆନ ଅଏଲ ଛକ, କିଟ୍ ଛକ, ନନ୍ଦନ ବିହାର ଓ ରଘୁନାଥପୁରଠାରେ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।
ସେଠାରୁ ସେ ବାରଙ୍ଗ ଛକ ଓ ଫୁଲପୋଖରୀ ଛକରେ ଲୋକଙ୍କୁ ଶୁଭେଚ୍ଛା ଜଣାଇ ବାରଙ୍ଗ ରତାଗଡଠାରେ ପହଞ୍ଚି ମେଟ୍ରୋ ରେଲ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦେଇଥିଲେ ଏବଂ ଶେଷରେ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅପ୍ରେଲ ପହିଲାରେ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ମେଟ୍ରୋ ରେଲ୍ ପ୍ରକଳ୍ପ ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରିଥିଲେ । ଅକ୍ଟୋବର ୨୯ ରେ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ତ୍ରିଶୂଳିଆ ଯାଇ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।
୨୦୨୩ ନଭେମ୍ବର ୧୪ ତାରିଖରେ ଏହି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଥିଲେ । ଅନୁମୋଦନ ମିଳିବାର ମାତ୍ର ୪ ମାସ ମଧ୍ୟରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ଆଜି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା । ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ଓ ଭୁବନେଶ୍ୱର ମେଟ୍ରୋ ରେଲ୍ କର୍ପୋରେସନର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କହିଲେ
ଯେ ଟେମ୍ପଲ ସିଟି ଭୁବନେଶ୍ୱରରୁ ପୁରୁଣା ରାଜଧାନୀ କଟକକୁ ମେଟ୍ରୋ ରେଳ ଚଳାଚଳ ପାଇଁ ରାଜ୍ୟବାସୀଙ୍କର ବହୁ ପ୍ରତୀକ୍ଷିତ ସ୍ୱପ୍ନ ଥିଲା। ଆଜି ଏହି ପ୍ରକଳ୍ପ ମାଧ୍ୟମରେ ତାହା ପୂରଣ ହେଲ। ଗମନାଗମନ ସହିତ ଲୋକମାନଙ୍କୁ ଏହା ସବୁ କ୍ଷେତ୍ରରେ ସାହାଯ୍ୟ କରିବ। ଅନ୍ୟତମ ଅତିଥିଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଏହି ପ୍ରକଳ୍ପ କଟକ ଭୁବନେଶ୍ୱର ସହିତ ସମଗ୍ର ଓଡିଶାପାଇଁ ଗର୍ବ ଗୌରବର ପ୍ରତୀକ ।
