ଚାକିରି କରାଇଦେବା ନାଁରେ ୧୫ ଲକ୍ଷ ୯୫ ହଜାର ଟଙ୍କା ଠକି ନେଇଥିବା ଅଭିଯୁକ୍ତକୁ ଗିରଫ

୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :->ହାଇକୋର୍ଟରେ ଅଭିଯୁକ୍ତ ଗିରଫ ଏଏସଓ ପଦବୀରେ ଚାକିରି କରାଇଦେବା ନାଁରେ ୧୫ ଲକ୍ଷ ୯୫ ହଜାର ଟଙ୍କା ଠକି ନେଇଥିବା ଅଭିଯୁକ୍ତକୁ ଗିରଫ କରିଛି ଲାଲବାଗ ପୁଲିସ । ଗିରଫ ଅଭିଯୁକ୍ତ ଜଣକ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବିଳାଶୁଣି ଗ୍ରାମର ମୂଳବାସିନ୍ଦା ତଥା କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡା ବାଲିସାହିସ୍ଥିତ ଅଭିରାମ ମଠ ପାଖରେ ରହୁଥିବା ଆଶୁତୋଷ ବାରିକ (୪୧) । ଚୈାଦ୍ୱାର ଥାନା ଅନ୍ତର୍ଗତ ଏଆର୍‌ସି ଚାରବାଟିଆର ମନୋରଞ୍ଜନ ମିଶ୍ରଙ୍କ ଥାନାରେ କରିଥିବା ଅଭିଯୋଗ ମୁତାବକ, ତାଙ୍କର ଚାକିରିରେ ପ୍ରମୋଶନ ନିମନ୍ତେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲରେ ଏକ କେସ୍‌ ୨୦୧୬ରୁ ଚାଲିଥିଲା

ଏଥିପାଇଁ ସେ ପ୍ରାୟତଃ ହାଇକୋର୍ଟକୁ ଆସୁଥିଲେ । ଅଭିଯୁକ୍ତ ଆଶୁତୋଷ ଯିଏକି, ଜଣେ ଓକିଲଙ୍କ ମୋହରିର ଭାବେ କାର୍ଯ୍ୟ କରେ, ସେ ନିଜକୁ ହାଇକୋର୍ଟର ବିଚାରପତିଙ୍କ ପି.ଏ ଭାବେ ପରିଚୟ ଦେଇ ତାଙ୍କର ଅନେକ ଜଷ୍ଟିସଙ୍କ ସହିତ ଭଲ ଜଣାଶୁଣା ଅଛି । ତୁମ ପୁଅର ଏଏସଓ ଚାକିରି କରାଇଦେବି କହି ଟଙ୍କା ମାଗିଥିଲା । ଶ୍ରୀ ମିଶ୍ର ୧୫ ଲକ୍ଷ ୯୫ ହଜାର ଟଙ୍କା ୨ଟି କିସ୍ତିରେ ତାକୁ ଦେଇଥିଲେ । ନିଜ ପତ୍ନୀ ରୁବି ପରିଡାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୪୫ ହଜାର ଦେଇଥିଲା ବେଳେ ଅବଶିଷ୍ଟ ନଗଦ ଆକାରରେ ଅଭିଯୁକ୍ତ ଆଶୁତୋଷକୁ ଦେଇଥିଲେ । ହେଲେ ଆଶୁତୋଷ ଟଙ୍କା ନେଇ ଧରାଛୁଆଁ ଦେଇନଥିଲା । ଏ ବାବଦରେ ଶ୍ରୀ ମିଶ୍ର ଲାଲବାଗ ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଆଜି ତାକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ।

Exit mobile version