ବ୍ଲକ ସ୍ତରରେ ଧାନମଣ୍ଡି ଉଦଘାଟିତ

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :-> ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ନିର୍ଦ୍ଦେଶିତ ନିୟମ ଏବଂ ପ୍ରସ୍ତୁତି ବୈଠକରେ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଶୁକ୍ରବାର ହିଞ୍ଜିଳିକାଟୁରେ ବ୍ଲକ ସ୍ତରୀୟ ସରକାରୀ ଧାନ କ୍ରୟ କେନ୍ଦ୍ର(ମଣ୍ଡି) ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।ଚଳିତ ବର୍ଷ ୨୦୨୩-୨୪ ଖରିଫ ଋତୁ ସକାଶେ ହିଞ୍ଜିଳିକାଟୁ ବ୍ଲକର ୨୦ଟି ପ୍ରାଥମିକ କୃଷି ସମବାୟ ସମିତି, ଶ୍ରୀ ଗୋପାଳେଶ୍ୱର ପାଣିପଞ୍ଚାୟତ ଏବଂ ଦେବୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କ୍ରୟ ନିମନ୍ତେ ଅନୁମତି ମିଳିଛି । ଚଳିତ ବର୍ଷ ୬୮୭୦ ଜଣ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜିକୃତ ହୋଇଥିଲା ବେଳେ ସଂଗୃହିତ ଧାନକୁ ୨୫ ମିଲର ଚୁକ୍ତିବଦ୍ଧ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ ଚାଷୀଙ୍କ ଠାରୁ ୨ଲକ୍ଷ ୭୭ ହଜାର କୁଇଣ୍ଟାଲ ସାଧାରଣ ମୋଟ ଧାନ କ୍ରୟ ପାଇଁ ଓଡ଼ିଶା ରାଜ୍ୟ ଯୋଗାଣ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି।ଏହି ପରିପ୍ରେକ୍ଷୀରେ ଧାନକ୍ରୟ ନିମନ୍ତେ ହିଞ୍ଜିଳିକାଟୁ ବ୍ଲକ ସ୍ଥିତ ଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ, ପୋଚିଲିମାରୁ ବ୍ଲକ ସ୍ତରୀୟ ଧାନମଣ୍ଡିର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ପୋଚିଲିମା ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁଙ୍କ ସଂଯୋଜନାରେ ଏକ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟ  ଅତିଥି ଭାବେ ଏଡିଏମ୍(ପ୍ରଶାସନ) ଲିନା କୁମାରୀ ଖେସ ଯୋଗଦେଇ ଧାନମଣ୍ଡି ଶୁଭ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ,ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,ଜିଲ୍ଲା ପରିଷଦ ସଭ୍ୟା ବାଇ. ଗୀତାଞ୍ଜଳି, ସରପଞ୍ଚ ରଞ୍ଜିତା ଦାସ,ସଭ୍ୟା ଆରତୀ ନାୟକ, ଜିଲ୍ଲା ଯୋଜନା ବୋର୍ଡ ବରିଷ୍ଠ ସଦସ୍ୟ ଏନ.ରଘୁନାଥ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁସା ମୁଣ୍ଡା, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ନରସିଂହ ପଣ୍ଡା, ବିଡିଓ ସୁବ୍ରତ କୁମାର ଜେନା, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିନାୟକ ବିଶ୍ୱାଳ,ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ,ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର ଓ ଶ୍ରୀମା ରାଇସ ମିଲର ଇପିଲି ଚେନେୟା ପ୍ରମୁଖ ଯୋଗ ଦେଇଥିଲେ ।

ମିଶନଶକ୍ତି ଜରିଆରେ ମହିଳାଙ୍କୁ ସଶକ୍ତିକରଣ କରିବା ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ଦେବୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନ କ୍ରୟ ନିମନ୍ତେ ଅନୁମତି ପ୍ରଦାନ ପ୍ରକ୍ରିୟା ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ପ୍ରତି ଏହା ସୁଚାଉଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ପରେ ମୁଖ୍ୟ ଅତିଥି ପୂଜାର୍ଚ୍ଚନା ସାରି ମଣ୍ଡିର ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଭାଣ୍ଡି ରବୀନ୍ଦ୍ର,ରାମଚନ୍ଦ୍ର ଗୌଡ଼,ପି.ଜୟ, ବିପିଏମ ଓଏଲଏମ କଳ୍ପତରୁ ବେହେରା, ଚାଷୀ କମିଟି ସଭ୍ୟ,ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଦେବୀ ସ୍ବୟଂ ସହାୟିକ ଗୋଷ୍ଠୀ ସମ୍ପାଦିକା ଡି.ଲକ୍ଷ୍ମୀ ଓ ଅନ୍ୟାନ୍ୟ ସଦସ୍ୟା ପରିଚାଳନା କରିଥିଲେ।ମଣ୍ଡିରେ ଧାନ କ୍ରୟ ପ୍ରକ୍ରିୟା ଆସନ୍ତା ୨୦୨୪ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ଯୋଗାଣ ନିରୀକ୍ଷକ ସୂଚନା ଦେଇଛନ୍ତି ।

Exit mobile version