ସେବା ସମବାୟ ସମିତି ପାଇଁ ପ୍ରସ୍ତାବିତ ସ୍ଥାନକୁ ସରଂକ୍ଷିତ ରଖିବା ନିମନ୍ତେ – ପ୍ରଶାସନକୁ ନିବେଦନ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ଗ୍ରାମରେ ସେବା ସମବାୟ ସମିତି ପାଇଁ ପ୍ରସ୍ତାବିତ ସ୍ଥାନଟି ସରଂକ୍ଷିତ ନିମନ୍ତେ ପ୍ରଶାସନକୁ ନିବେଦନ କରାଯାଇଛି । କୃଷି ଦେଶର ମାନଦଣ୍ଡ ଭାବେ ପରିଗଣିତ କରାଯିବା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାର ହେଉ ଅବା ରାଜ୍ୟ ସରକାର ସର୍ବଦା କୃଷି ଓ କୃଷକର ଉନ୍ନତି ପାଇଁ ଅହରହ ଚିନ୍ତିତ । କୃଷକର ଆର୍ଥିକ ମାନଦଣ୍ଡର ଉନ୍ନତି ସହିତ କୃଷି ବିକାଶ ଦିଗ ଉପରେ ସରକାରଙ୍କ ପ୍ରଥମ ଲକ୍ଷ ରହୁଛି ।

ଚାଷୀ ତାର ବିହନ ଓ ଉତ୍ପାଦିତ ସାମଗ୍ରୀକୁ ନିଜ ଅଞ୍ଚଳରେ ସୁବିଧାରେ କାରବାର କରିବା ପାଇଁ ସରକାର ବିଭିନ୍ନ କୃଷି ସମବାୟ ସମିତି ନିର୍ମାଣ କରିଛନ୍ତି । ଏହି ଯୋଜନାକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ କୃଷି ସମବାୟ ସମିତି ଗଠନ ନିମନ୍ତେ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଦ୍ୱାରା ଚାଷୀ ତାର ନିଜ ପଞ୍ଚାୟତରେ କୃଷି ସମ୍ଭନ୍ଧୀୟ ସମସ୍ତ ସୁବିଧା ପାଇ ପାରିବ ।

ଏହି ଆଧାରରେ ଖୋର୍ଦ୍ଧା ଡି ଆର୍ ସି ଏସ୍ ଅଧୀନରେ ଥିବା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତର ୯ଟି ରାଜସ୍ବ ଗ୍ରାମକୁ ନେଇ ଶ୍ରୀ ଶ୍ରୀ ପ୍ରତାପେଶ୍ୱର ଦେବ ପ୍ରାଥମିକ କୃଷି ସମବାୟ ସମିତି ନାମରେ ଏକ ନୂତନ ସେବା ସମବାୟ ସମିତି ନିର୍ମାଣ ନିମନ୍ତେ ସରକାରଙ୍କ ଠାରୁ ଅନୁମୋଦନ ସହିତ ରେଜିଷ୍ଟ୍ରସନ କରାଯାଇଅଛି । ସରକାରୀ ନିୟମ ଅନୁଯାୟୀ ସମିତି କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିମନ୍ତେ ଏ୦.୯୯୦ ଡ଼ିସିମିଲ ଜାଗାର ଆବଶ୍ୟକତା ରହିଅଛି ।

ସମସ୍ତ ଦିଗକୁ ଲକ୍ଷ ରଖାଯାଇ ହରିପୁର ପଞ୍ଚାୟତର ନିକଟବର୍ତ୍ତୀ ସ୍ଥାନକୁ ପ୍ରସ୍ତାବିତ କରାଯାଇ ସମ୍ପୃକ୍ତ ବିଭାଗକୁ ଆବଶ୍ୟକୀୟ କାଗଜାତ ଦଖଲ କରାଯାଇଥିଲା । ଏହାର ନିର୍ଦ୍ଧିଷ୍ଟ ବିବରଣୀ ପାଇଁ ଜିଲ୍ଲା ରେଜିଷ୍ଟ୍ରାର ଅଫିସରୁ ସ୍ଥାନୀୟ ଚିଲିକା ତହସିଲଦାର କାର୍ଯ୍ୟାଳୟକୁ ଚିଠି କରାଯାଇଥିଲା ।ଏହା ପରେ ଚିଲିକା ତହସିଲଦାରଙ୍କ କାର୍ଯ୍ୟାଳୟ ଠାରୁ ସ୍ଥାନୀୟ ନଈରୀ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଏହି ବାବଦରେ ଚିଠି ହୋଇଥିଲା ।

ନଈରୀ ରାଜସ୍ବ ନିରୀକ୍ଷକ ଏହି ସ୍ଥାନ ଉପରେ ଶ୍ରୀ ଶ୍ରୀ ପ୍ରତାପେଶ୍ୱର ଦେବ ସମବାୟ ସମିତି ଗଠନ ପାଇଁ ପ୍ରସ୍ତାବିତ ଏ୦. ୯୯୦ ଡ଼ିସିମିଲ ଜାଗା ଉପରେ ସକାରାତ୍ମକ ମନ୍ତବ୍ୟ ତହସିଲଦାର କାର୍ଯ୍ୟାଳୟକୁ ଦେଇଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ହରିପୁର ପଞ୍ଚାୟତ ସରପଞ୍ଚ ଏହି ଜାଗା ଉପରେ ଭିନ୍ନ ଏକ ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛନ୍ତି ।

ତରବରିଆ ଭାବରେ ଏଭଳି ଏକ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶ୍ରୀ ଶ୍ରୀ ପ୍ରତାପେଶ୍ୱର ଦେବ ସମବାୟ ସମିତିର ବରିଷ୍ଠ କର୍ମକର୍ତ୍ତା ତଥା ବହୁ ସଦସ୍ୟ ସମେତ ଗ୍ରାମର ବହୁ ବୁଦ୍ଧିଜୀବୀ ମାନେ ସମ୍ପୃକ୍ତ ଜାଗାରେ ଉପସ୍ଥିତ ରହି ଏହାକୁ ବିରୋଧ କରି ଦୃଢ଼ ନିନ୍ଦା କରିଛନ୍ତି । ନୂତନ ସେବା ସମବାୟ ସମିତି ନିର୍ମାଣ ପାଇଁ ପ୍ରସ୍ତାବିତ ଥିବା ଜାଗାଟି କିଭଳି ସମିତି ନିମନ୍ତେ ସରଂକ୍ଷିତ ଭାବେ ରହି ପାରିବ ସେ ଦିଗରେ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି ।

 

Exit mobile version