ଆଇ ଆଇ ଟି ଭୁବନେଶ୍ୱର: ଛାତ୍ର,ଛାତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅଗ୍ରଗତି

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ଜଟଣୀ :- ଆଇ ଆଇ ଟି ଭୁବନେଶ୍ୱର ଛାତ୍ର ଛାତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅଗ୍ରଗତି, ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରଥମ ୧୦ଦିନରେ ୨୦୦ଟି ଅଫର ହାସଲ।ଚଳିତ କ୍ୟାମ୍ପସ ନିଯୁକ୍ତି ପ୍ରକ୍ରିୟାରେ ଆଇ ଆଇ ଟି ଭୁବନେଶ୍ୱରରେ ଦ୍ରୁତ ଅଗ୍ରଗତି ପରିଲକ୍ଷିତ ହୋଇଛି।ନିଯୁକ୍ତି ବଜାରରେ ନିରାଶାଜନକ ପରିସ୍ଥିତି ତଥା ଆନ୍ତର୍ଜାତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ଆଇ ଆଇ ଟି ଭୁବନେଶ୍ୱରରେ ସମ୍ପ୍ରତି ଚାଲୁଥିବା ନିଯୁକ୍ତି (ପ୍ଲେସମେଣ୍ଟ) କାର୍ଯ୍ୟକ୍ରମରେ ଛାତ୍ର,ଛାତ୍ରୀ ମାନେ ଏଯାବତ ପ୍ରାୟ ୨୦୦ଟି ଅଫର ଲାଭ କରିଛନ୍ତି ଯାହାକି ଯଥେଷ୍ଟ ଆଶାଜନକ ଅଟେ।  ଡିସେମ୍ବର ୧ ତାରିଖରୁ ଆଇ ଆଇ ଟି ଭୁବନେଶ୍ୱରରେ କ୍ୟାମ୍ପସ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ମନ୍ଥର ଗତି ସତ୍ତ୍ୱେ ପ୍ଲେସମେଣ୍ଟରେ ଯଥେଷ୍ଟ ଅଗ୍ରଗତି ଘଟିଛି ଏବଂ

ଅନେକ କମ୍ପାନୀ ଆଇ ଆଇ ଟି ଭୁବନେଶ୍ୱରରୁ ଛାତ୍ର,ଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ଲେସମେଣ୍ଟ ପ୍ରକ୍ରିୟାର ପ୍ରଥମ ୧୦ ଦିନରେ ହିଁ ଅନେକ ସଫ୍ଟୱେର, ଆଇଟି, କନ୍ସଲଟିଙ୍ଗ ତଥା ଆନାଲିଟିକ୍ସ କମ୍ପାନୀ ଏଥିରେ ଅଂଶଗ୍ରହଣ କରି ପ୍ରତିଷ୍ଠାନରୁ ଅନେକ ଛାତ୍ର,ଛାତ୍ରୀଙ୍କୁ ନିଯୁକ୍ତି ଅଫର ପ୍ରଦାନ କରିଛନ୍ତି। ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ର,ଛାତ୍ରୀଙ୍କୁ ସେମାନଙ୍କ ବୃତ୍ତିଗତ ଚାହିଦା ମୁତାବକ ସୁଯୋଗ ଦେବା ଉଦ୍ଦେଶ୍ୟରେ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠିତ ସଂସ୍ଥାନ ଗୁଡିକୁ ନିମନ୍ତ୍ରିତ କରାଯାଇଛି। ଚଳିତ ବର୍ଷ, ବିପିସିଏଲ, ଏଚପିସିଏଲ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍, ଓରାକଲ୍ କର୍ପୋରେସନ, ମାଇକ୍ରୋସଫ୍ଟ , ଆକ୍ସେଞ୍ଚର ଜାପାନ, ସେଲସଫୋର୍ସ, ମ୍ୟାଥୱାର୍କ୍ସ, ଟାଇଗର ଆନାଲିଟିକ୍ସ, ଜିଇ ହେଲଥକେୟାର, ଜିନ୍ଦଲ ସ୍ଟେନଲେସ ଭଳି କମ୍ପାନୀ ଏହି କ୍ୟାମ୍ପସ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରୁଛନ୍ତି।

ଯାହାକି ଛାତ୍ର,ଛାତ୍ରୀମାନଙ୍କୁ ବ୍ୟାପକ ନିଯୁକ୍ତିର ଅବସର ପ୍ରଦାନ କରୁଛି। ଚଳିତ ବର୍ଷ ଏଯାବତ ପ୍ରତିଷ୍ଠାନ ପକ୍ଷରୁ ସର୍ବାଧିକ ବାର୍ଷିକ ୬୪ ଲକ୍ଷ ଟଙ୍କା ପ୍ୟାକେଜର ଅଫର ହାସଲ କରାଯାଇଛି। ଘରୋଇ ବଜାରରେ ନିଯୁକ୍ତି ସୁଯୋଗ ସହ ଆଇ ଆଇ ଟି ଭୁବନେଶ୍ୱର ଚଳିତ ବର୍ଷ ଅଦ୍ୟାବଧି ୪ଟି ଆନ୍ତର୍ଜାତୀୟ ଅଫର ମଧ୍ୟ ଲାଭ କରିଛି। ଏପର୍ଯ୍ୟନ୍ତ, କମ୍ପ୍ୟୁଟର ବିଜ୍ଞାନ ବିଭାଗର ଛାତ୍ର,ଛାତ୍ରୀ ମାନେ ସର୍ବାଧିକ ଅଫର ହାସଲ କରିଛନ୍ତି। କ୍ୟାମ୍ପସ ନିଯୁକ୍ତିରେ ପ୍ରତିଷ୍ଠାନ ପକ୍ଷରୁ ଲାଭ କରାଯାଇଥିବା ଅନୁକୂଳ ଫଳାଫଳ ସମ୍ପର୍କରେ ଉଲ୍ଲେଖ କରି ଆଇ ଆଇ ଟି ଭୁବନେଶ୍ୱରର କ୍ୟାରିଅର ଡେଭେଲପମେଣ୍ଟ ସେଲର ମୁଖ୍ୟ ପ୍ରଫେସର ଅରୁଣ କୁମାର ପ୍ରଧାନ କହିଛନ୍ତି ଯେ ଯଦିଓ ଅର୍ଥନୈତିକ ମାନ୍ଦାବସ୍ଥା ହେତୁ ବ୍ୟବସାୟିକ ପରିସ୍ଥିତି ପ୍ରଭାବିତ ହୋଇଛି

ତଥା ସମଗ୍ର ଦେଶରେ ମାନ୍ଦାବସ୍ଥା ଯୋଗୁଁ ନିଯୁକ୍ତି ହାରରେ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେଉଛି,ଏହା ଉତ୍ସାହଜନକ ଯେ ଆଇ ଆଇ ଟି ଭୁବନେଶ୍ୱରରେ ନିଯୁକ୍ତି ପ୍ରକ୍ରିୟାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି। ଏବଂ ଆମର ଛାତ୍ର,ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ଅଫର ଲାଭ କରିପାରିଛନ୍ତି। ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ବିଭିନ୍ନ ମୌଳିକ ଶିଳ୍ପାନୁଷ୍ଠାନ (କୋର୍ ଇଣ୍ଡଷ୍ଟ୍ରି) ଏବଂ ପିଏସୟୁ ଆମ ପ୍ରତିଷ୍ଠାନରୁ ଛାତ୍ର,ଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି। ଆଇ ଆଇ ଟି ଭୁବନେଶ୍ୱରରେ ଏହି ନିଯୁକ୍ତି ପ୍ରକ୍ରିୟା ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ଯଦ୍ୱାରା କି ଅଧିକରୁ ଅଧିକ ଛାତ୍ର,ଛାତ୍ରୀ ଏହି ଜରିଆରେ ନିଯୁକ୍ତିର ଅବସର ଲାଭ କରିପାରିବେ ବୋଲି ଆଇ ଆଇ ଟି ସୂତ୍ରରୁ ପ୍ରକାଶ।

Exit mobile version