ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

୧୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ଯୁବ କ୍ରୀଡ଼ା ବିକାଶ ସଂସ୍ଥା ଆନୁକୂଲ୍ୟରେ ହିଞ୍ଜିଳିକାଟୁ ବ୍ଲକ ପୋଚିଲିମ୍ମା ସ୍ଥିତ ଖାମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଗତ ନୂଆ-ଓ,ଯୁବ ଓଡ଼ିଶା,ନବୀନ ଓଡ଼ିଶା ଯୋଜନାରେ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ଓ ନୋଡାଲ ଅଧିକାରୀ ନୀଳାଞ୍ଚଳ ପାଣିଗ୍ରାହୀଙ୍କ ମିଳିତ ତତ୍ତ୍ୱାବଧାନରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଯାୟୀ ଚକ୍ଷୁ ଚିକିତ୍ସା ପାଇଁ ପ୍ରଚାର ହୋଇଥିଲା।

ପୋଚିଲିମ୍ମା ଗ୍ରାମ କଲ୍ୟାଣ ମଣ୍ଡପରେ ଆୟୋଜିତ ଶିବିରରେ ଜିଲ୍ଲା ଯୋଜନା ବୋର୍ଡ଼ ବିଶେଷଜ୍ଞ ସଦସ୍ୟ ତଥା ପୂର୍ବତନ ସମ୍ପାଦକ ଏନ. ରଘୁନାଥ ଓ ସରପଞ୍ଚ ରଞ୍ଜିତା ଦାସ ପ୍ରମୁଖ ଉଦଘାଟନ କରିଥିଲେ।ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଶତାଧିକ ବ୍ୟକ୍ତିଙ୍କ ଚକ୍ଷୁ ଚିକିତ୍ସା କରା ଯାଇଥିଲା।ପରେ ଶିକ୍ଷାର୍ଥୀ ମାନେ ଗ୍ରାମ ପରିକ୍ରମା କରି ନିଶା ସେବନର ଭୟାବହତା ଉପରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ।

ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ସ୍ବେଚ୍ଛାସେବୀ ଶିକ୍ଷାର୍ଥୀ ମାନେ ଭେଙ୍କେଟରାୟ ପଲ୍ଲୀ ଗ୍ରାମରେ ବାଲ୍ୟ ବିବାହ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ବୁଗୁଡା ପଲ୍ଲୀ ଗ୍ରାମରେ ଯୌତୁକ ପ୍ରଥାର କୁପରିଣତି ସମ୍ପର୍କରେ ରାଲି,ପ୍ଲାକାର୍ଡ ପ୍ରଦର୍ଶନ କରି ଜନ ସଚେତନତା ସୃଷ୍ଟି କରିଥିଲେ।ଶନିବାର ପୋଚିଲିମ୍ମା ଛକ ସ୍ଥିତ ୫୯ ନଂ ଜାତୀୟ ରାଜପଥ ଠାରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ, ପୂର୍ବତନ ସମ୍ପାଦକ ଏନ.ରଘୁନାଥ ପ୍ରମୁଖଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ସଡକ ସୁରକ୍ଷା ନିୟମ ସମ୍ପର୍କିତ ସଚେତନତା ସୃଷ୍ଟି କରିଥିଲେ।

କାର୍ଯ୍ୟକ୍ରମରେ ନୂଆ-ଓ ସାମାଜିକ ସେବା କାର୍ଯ୍ୟକ୍ରମ କମିଟି ସଦସ୍ୟ ଡଃ ସୁଶାନ୍ତ କୁମାର ପଣ୍ଡା, କୈଳାସ ଚନ୍ଦ୍ର ପୋଲେଇ,କେ.କୃଷ୍ଣମୂର୍ତ୍ତି ଦାସ ପ୍ରମୁଖ ଅଧ୍ୟାପକଙ୍କ ସମେତ ପି.ଜୟ, କେ.ଦଣ୍ଡପାଣି, ଏମ ଜଗନ୍ନାଥ ପାତ୍ର, ଲକ୍ଷ୍ମୀ ଦାସ, ଏସ.ଆଇ. ସିଦ୍ଧାର୍ଥ ଶଙ୍କର ଜେନା, କନେଷ୍ଟବଳ ସରୋଜ ରଣସିଙ୍ଗ, ସୁଶାନ୍ତ ନାହାକ, ଗିରିଶ ଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସହଯୋଗ କରିଥିଲେ।

Exit mobile version