ଜନ୍ମିତ ଶିଶୁକନ୍ୟାକୁ କେନାଲରେ ଫିଙ୍ଗିଲା ଜନନୀ

୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଗୁରୁବାର ଏକ ଅମାନବୀୟ ଘଟଣା ଘଟିଛି । ସଦ୍ୟ ଜନ୍ମିତ ଏକ ଶିଶୁକନ୍ୟାକୁ ଅତି ନିଷ୍ଠୁର ଭାବେ ଜନ୍ମଦାତ୍ରୀ ମା ଜଣକ କେନାଲରେ ଫୋପାଡ଼ି ଦେଇ ଅନ୍ତର୍ଦ୍ଧାନ ହୋଇଥିବା ଜଣାପଡିଛି । ଅବୈଧ କିମ୍ବା ଅବାଂଛିତ ମାତୃତ୍ୱରୁ ଜନ୍ମିତ ଏହି ନବଜାତ ଶିଶୁକନ୍ୟା ଟିକୁ ଲୋକଲଜ୍ଜା ଭୟରେ ପିଶାଚୀ ମା ଲୋକ ଲୋଚନରୁ ହଟେଇବା ପାଇଁ ବଡି ଭୋରରୁ କେନାଲରେ ଫୋପାଡ଼ି ଚାଲି ଯାଇଥିବା ଜଣା ପଡ଼ିଛି । ଘଟଣାଟି ହିଞ୍ଜିଳିଥାନା ଦାରୁଭଦ୍ରା ପଞ୍ଚାୟତ ନିକଟରେ ଥିବା ଏକ କେନାଲରୁ ମୃତ ଶିଶୁକନ୍ୟାକୁ ପୋଲିସ ଉଦ୍ଧାର କରିଛି ।

ଏନେଇ ପୋଲିସ କେଶ ନଂ ୩୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରିଛି ।ପୋଲିସ ସୂଚନା ମୁତାବକ ଦାରୁଭଦ୍ରା ଗ୍ରାମ ନିକଟରେ ଥିବା କେନାଲ ମଧ୍ୟରେ ସଦ୍ୟ ଜନ୍ମିତ ଶିଶୁକନ୍ୟା ର ମୃତ ଦେହ ପଡିଥିବା କିଛି ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତ ଶିଶୁକନ୍ୟାର ଶବ ଉଦ୍ଧାର କରିଥିଲା।ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଡନ ଖେଳି ଯାଇଥିଲା ।

ସମ୍ଭବତଃ କେହି ଜଣେ ମହିଳା ନିଜ ପାପ କର୍ମକୁ ଲୁଚାଇବା ପାଇଁ ଏଭଳି ନିଷ୍ଠୁରତା ପ୍ରଦର୍ଶନ କରିଥିବା ଜଣା ପଡ଼ିଛି । ଏହା ବ୍ୟତୀତ ଏହି ସମ୍ବେଦନଶୀଳ ଘଟଣାରୁ ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟ କର୍ମଚାରୀ,ଆଶା ଓ ଅଙ୍ଗନବାଡିଙ୍କ ଦାୟିତ୍ୱ ହୀନତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏତଦ୍ ବ୍ୟତୀତ କନ୍ୟାଭ୍ରୁଣ ହତ୍ୟା, ଅବାଂଛିତ ମାତୃତ୍ୱ,ବିଜୁ କନ୍ୟାରତ୍ନ,ବେଟି ବଢାଓ,ବେଟି ପଢ଼ାଓ ଭଳି ସୁଦୂର ପ୍ରସାରୀ ଯୋଜନା ଗୁଡିକ ତୃଣ ମୂଳ ସ୍ତରରେ ଫେଲ ମାରୁଥିବା ଘଟଣାରୁ ସ୍ପଷ୍ଟ ସଂକେତ ଦେଇଛି ।

Exit mobile version