ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ ଉଦ୍ଘାଟିତ ପ୍ରଦର୍ଶନୀ,
ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭିନ୍ନକ୍ଷମମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସଶକ୍ତ କରି ସାମାଜିକ ମୂଳସ୍ରୋତରେ ସାମିଲ କରିବା ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ପ୍ରତି ଥିବା ବୈଷମ୍ୟ ବିଚାରର ବିଲୋପ ସାଙ୍ଗକୁ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ବର୍ତ୍ତମାନର ବଡ଼ ଆବଶ୍ୟକତା ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆୟୋଜିତ ୩ ଦିନିଆ ସମାବେଶର ଉଦ୍ଘାଟନ ପର୍ବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଭିନ୍ନକ୍ଷମମାନଙ୍କ ପ୍ରତିଭା ଓ ଅନ୍ତର୍ନିହିତ ଗୁଣରାଜିର ପର୍ଯ୍ୟାପ୍ତ ଉପଯୋଗ କରି ସେମାନଙ୍କୁ ସମାଜ ଓ ଅଭିବୃଦ୍ଧିର ସମର୍ଥ ଅଂଶୀଦାର କରିବାକୁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ।
ମନ୍ତ୍ରୀ ଶ୍ରୀ ପଣ୍ଡା ଭୁବନେଶ୍ୱରରେ ଭିନ୍ନକ୍ଷମମାନଙ୍କ ଖେଳକୁଦ ବିକାଶ ନିମନ୍ତେ ଏକ ସାଟେଲାଇଟ୍ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ରହିଛି ବୋଲି ପ୍ରକାଶ କରିଥିଲେ । ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କନ୍ଧମାଳ ସାଂସଦ ଶ୍ରୀ ଅଚୁ୍ୟତ ସାମନ୍ତ କହିଲେ ଯେ ପରିବର୍ତ୍ତିତ ପରିସ୍ଥିତିରେ ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ ସରକାର ଅନେକାନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
ଭିନ୍ନକ୍ଷମମାନଙ୍କୁ ସଶକ୍ତ କରିବାରେ ପିତାମାତା, ଶିକ୍ଷକ, ନାଗରିକ ସମାଜ, ବିଭିନ୍ନ ସଂଗଠନ ଓ ସରକାରଙ୍କ ଉଦ୍ୟମ ରହିଛି । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ଭିନ୍ନକ୍ଷମମାନଙ୍କ ସଫଳତା ବୃଦ୍ଧି ପାଇବାରେ ଲାଗିଛି ବୋଲି ଦର୍ଶାଇ ଶ୍ରୀ ସାମନ୍ତ ଭିନ୍ନକ୍ଷମମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର ଉପରେ ଗୁରୁତ୍ୱ ଦେଇଥିଲେ । ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା,
ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ ଭିନ୍ନକ୍ଷମମାନେ ଆମ ସମାଜର ସମ୍ବଳ ଓ ସେମାନଙ୍କ ବିକାଶ ହେଲେ ସମାଜ ଆଗକୁ ବଢ଼ିବ ।
ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ହେତୁ ଭିନ୍ନକ୍ଷମମାନଙ୍କ ସାମାଜିକ-ଅର୍ଥନୈତିକ ଜୀବନଧାରାରେ ଆଖିଦୃଶିଆ ପରିବର୍ତ୍ତନ ଦେଖା ଦେଇଛି । ଓଏବି ଭଗବତୀ ଦୃଷ୍ଟିବାଧିତ ମଡେଲ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ରାୟ ସ୍ୱାଗତ ଭାଷଣ ଦେଇଥିଲେ ।