‘ପତି ସାର୍’ ଜଣେ ଦକ୍ଷ ଶିକ୍ଷକ,ଶିକ୍ଷକତାକୁ ଜୀବନର ବ୍ରତ କରିଥିଲେ

୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ବାଲେଶ୍ୱର :- ଜୀବନ ଏକ ଉପଲବ୍‌ଧି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ବେଣାପୁରl ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସର୍ବେଶ୍ବର ପତି। ବୟସ ୭୫ ବର୍ଷ ହେବ। ସେ କେବଳ ଦକ୍ଷ ଶିକ୍ଷକ ନୁହଁନ୍ତି। ନିଜର ସମାଜସେବା ପାଇଁ ସ୍ଥାନୀୟ ଅଞ୍ଚଳରେ ପରିଚୟ ସାଉଁଟିଛନ୍ତି। ଶ୍ରୀ ପତି ଏବେ ଜୀବନର ଅପରାହ୍ନରେ ଉପନୀତ। ତଥାପି ସେ ସତେଜ ଓ କର୍ମଠ। ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ। ସର୍ବେଶ୍ବର ପତି ବହୁ କଷ୍ଟରେ ପାଠ ପଢ଼ିଥିଲେ। ଜଣେ ମେଧାବୀ ଛାତ୍ର ଭାବେ ଶିକ୍ଷକମାନଙ୍କର ପ୍ରିୟ ଥିଲେ। ପରବର୍ତ୍ତୀ ସମୟରେ ସେ ଶିକ୍ଷକତାକୁ ଜୀବନର ବ୍ରତ କରିଥିଲେ। ୧୯୭୩ ମସିହାରେ ରାଜଘାଟର ତମ୍ବାଖୁରୀରେ ପ୍ରତିଷ୍ଠିତ ହୃଦାନନ୍ଦ ଉଚ୍ଚଇଂରାଜୀ ବିଦ୍ୟାଳୟରେ ପ୍ରଥମ ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ୨୦୦୯ ମସିହାରେ ଅବସର ନେଇଥିଲେ।

ନିଜର ଶିକ୍ଷକତା ଜୀବନରେ ଶ୍ରୀ ପତି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଏବେ ଅନେକ ବିଭିନ୍ନ ଉଚ୍ଚପଦରେ ଅଧିଷ୍ଠିତ ହୋଇଛନ୍ତି। ତାଙ୍କର ଏହି ଅବଦାନ ପାଇଁ ଲୋକମାନେ ତାଙ୍କୁ ଆଦରରେ ‘ପତି ସାର୍‌’ ବୋଲି ସମ୍ବୋଧନ କରନ୍ତି। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ସମାଜସେବୀ ଓ ସଂଗଠକ ଭାବେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଶ୍ରୀ ପତିଙ୍କ ଉଦ୍ୟମ ଏବଂ ଅର୍ଥ ଦାନ ଯୋଗୁଁ ବେଣାପୁରା ରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଛି। ଶ୍ରୀ ପତିଙ୍କ ଚେଷ୍ଟା ଯୋଗୁଁ ବେଣାପୁରା ରେ ଗୋଟିଏ ଗୋଶାଳା ନିର୍ମାଣ ହେବା ସହ ବାଶୁଳୀ ହାଟର ବିକାଶ ହୋଇଥିଲା। ଏଥିପାଇଁ ସେ ନିଜସ୍ବ ଜାଗା ଦାନ କରିଛନ୍ତି। ଗାଁ’ରେ ମହାଦେବ ମନ୍ଦିର ଏବଂ ଦୁର୍ଗା ମଣ୍ଡପ ନିର୍ମାଣରେ ତାଙ୍କର ଅବଦାନ ରହିଛି। ସେହିପରି ବେଣାପୁରାରୁ ଭେଲୋରା ଯାଏ ରାସ୍ତା ନଥିବା ବେଳେ ପଞ୍ଚାୟତ ଅନୁଦାନରେ ରାସ୍ତା ନିର୍ମାଣ କରାଇଛନ୍ତି।

ଶ୍ରୀ ପତି ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବିନା ଅର୍ଥରେ ପାଠ ପଢ଼ାଉଛନ୍ତି। ନିଜର ନିଷ୍ଠାପର ଶିକ୍ଷକତା ବୃତ୍ତି ଏବଂ ସମାଜସେବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଶ୍ରୀ ପତି ଭଲ ଚଣ୍ଡୀପାଠ କରନ୍ତି। ତେଣୁ ବିଭିନ୍ନ ସମୟରେ ତାଙ୍କୁ ଧର୍ମକାର୍ଯ୍ୟରେ ଚଣ୍ଡୀପାଠ କରୁଥିବା ଦେଖିବାକୁ ମିଳୁଛି। ବୟସ ହୋଇଯାଇଥିଲେ ବି ସେ ସତେଜ ଓ କର୍ମଠ ଅଛନ୍ତି।ଏନେଇ ଶ୍ରୀ ପତିଙ୍କ ସହ କଥା ହୋଇଥିଲେ ଆମ ପ୍ରତିନିଧି। ସେ ଜୀବନ ଏକ ବ୍ରତ, ତାକୁ ଶୃ୍ଙ୍ଖଳା ଓ ଶ୍ରଦ୍ଧାର ସହ ପାଳନ କରିବାକୁ ପଡ଼ିବ। ଭଗବାନ ଜନ୍ମ ଦେଇଛନ୍ତି। ତେଣୁ ଆମେ ଭଲକାମ କରିବା, ସମାଜର ହିତ ପାଇଁ ନିଜକୁ ଉତ୍ସର୍ଗ କରିବା। ଯେତେ​ଦିନ ବଞ୍ଚିବା, ଲୋକଙ୍କ ସେବା କରିବା ଉଚିତ ବୋଲି କହିଛନ୍ତି l

Exit mobile version