ଫୁଲବାଣୀ ଆଇଟିଆଇରେ ଆଇୱାଇଡିପି ୨୦୨୩ ର ଉଦଘାଟନ

୨୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଫୁଲବାଣୀରେ ଇଣ୍ଟିଗ୍ରେଟେଡ୍ ୟୁଥ୍ ଡେଭଲପମେଣ୍ଟ ପ୍ରୋଗ୍ରାମ (ଆଇୱାଇଡିପି) ୨୦୨୩ ର ଉଦଘାଟନ ସମାରୋହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଅଙ୍ଗଦ କହଁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ଯୁବ ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସେକ୍ରେଟାରୀ ଶ୍ରୀଯୁକ୍ତ ଶିବପ୍ରସାଦ ତ୍ରିପାଠୀ,

ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ମହାପାତ୍ର, ଫୁଲବାଣୀ ଆଇଟିଆଇର ଆଇଏମସି ଚେୟାରମେନ ତଥା ସାଲୁଙ୍କି ପାଇପ୍ସ୍ ଏଣ୍ଡ୍ ଟ୍ଯୁବସ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ନୀଳମାଧବ ମିଶ୍ର ଏବଂ ସ୍ଥାନୀୟ ଆଇଟିଆଇ ଅଧ୍ୟକ୍ଷ ଇଂ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇଥିଲେ । ସ୍ଥାନୀୟ ଆଇଟିଆଇର ପ୍ରଶିକ୍ଷକ ଅଧିକାରୀ ଡ଼ଃ ଶ୍ରୀଯୁକ୍ତ ନୃସିଂହାନନ୍ଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରି ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିବା ସହ ବୈଦିକ ବେଦମନ୍ତ୍ର ଉଚ୍ଚାରଣ କରି ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ ।

ବିଧାୟକ ଶ୍ରୀଯୁକ୍ତ କହଁର ପତାକା ଉତ୍ତୋଳନ କରିବା ପରେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଆଇଟିଆଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ସହିତ ଯୁବ ବର୍ଗର ସମ୍ପର୍କ ଏବଂ କ୍ରୀଡ଼ାରେ ଶୃଙ୍ଖଳିତ ଆଚରଣ ବିଷୟରେ ଆଲୋକପାତ କରିଥିଲେ । ଆଇଏମସି ଚେୟାରମେନ ଶ୍ରୀଯୁକ୍ତ ମିଶ୍ର କ୍ରୀଡ଼ା କିଭଳି ଯୁବଗର୍ଗଙ୍କୁ ଉଚ୍ଚରୁ ଉଚ୍ଚତର ସ୍ଥାନରେ ପହଞ୍ଚାଇ ଥାଏ ତାହାର ବିଷଦ୍ ଆଲୋଚନା କରିଥିଲେ ।

ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ମହାପାତ୍ର କ୍ରୀଡ଼ା ସହିତ ଯୁବଶକ୍ତି ନିଯୁକ୍ତି ଓ ଆତ୍ମନିର୍ଭରଶୀଳତା କଥା ବୁଝାଇ କହିଥିଲେ । ସେହିପରି ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସେକ୍ରେଟାରୀ ଶ୍ରୀଯୁକ୍ତ ତ୍ରିପାଠୀ କ୍ରୀଡ଼ାରେ ପ୍ରତିଯୋଗୀଙ୍କ ଶୃଙ୍ଖଳା, ଆଚରଣ, କୌଶଳ ତଥା ପ୍ରଗତିକୁ ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । କନ୍ଧମାଳ ଯୁବ ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମଲ୍ଲିକ କ୍ରୀଡ଼ା କିଭଳି ଯୁବଗର୍ଗଙ୍କୁ ଆଗକୁ ନେଇଥାଏ ଓ ସେମାନଙ୍କୁ ଶାରୀରିକ ଭାବେ ସଶକ୍ତ କରିଥାଏ ତାହାର ବ୍ୟାଖ୍ୟା କରିଥିଲେ ।

ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ତଥା କନ୍ଧମାଳ ଜିଲ୍ଲାରେ କ୍ରୀଡ଼ା ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶର ଲମ୍ବା ଯାତ୍ରା ସମ୍ପର୍କରେ ସମିଚୀନ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ଆଇଟିଆଇର ଟ୍ରେନିଂ ଅଫିସର ଶ୍ରୀଯୁକ୍ତ ନୃସିଂହାନନ୍ଦ ମହାପାତ୍ର କାର୍ଯ୍ୟକ୍ରମର ସାରାଂଶ ଆଲୋଚନା କରିବା ସହ ସମସ୍ତ ଅତିଥିଙ୍କ ଉପସ୍ଥିତି ପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଇଟିଆଇ ଫୁଲବାଣୀର ଟ୍ରେନିଂ ଅଫିସର ଡ଼ ଶ୍ରୀ ନୃସିଂହାନନ୍ଦ ମହାପାତ୍ର ବୈଠକର ସାରାଂଶ ଆଲୋଚନା କରିବା ସହ ବୈଠକର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରେ ଆଇଟିଆଇର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ କୁମାର ଗୌରବ ମହାପାତ୍ରଙ୍କ ନେତୃତ୍ବରେ ସମସ୍ତ ପ୍ରଶିକ୍ଷକ ପ୍ରଶିକ୍ଷିକାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇଯାଇଥିଲା । ଏତଦଭିନ୍ନ ଅନୁଷ୍ଠାନର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରି ସୂଚାରୁରୂପେ କ୍ରୀଡ଼ା କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।

Exit mobile version