ଟ୍ରେନରେ ଅଗ୍ନିକାଣ୍ଡ ରୋକିବା ପାଇଁ : ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ଵାରା ଆକସ୍ମିକ ନିରୀକ୍ଷଣ

୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :-> ଟ୍ରେନରେ ଅଗ୍ନିକାଣ୍ଡ ରୋକିବା ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବାଜୱା ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନରେ ଆକସ୍ମିକ ନିରୀକ୍ଷଣ କରିଛନ୍ତି । ଦହନଶୀଳ ପଦାର୍ଥ ଯଥା ଫଟକା,ଗ୍ୟାସ୍ ସିଲିଣ୍ଡର,ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନକୁ ରୋକିବା ପାଇଁ ଯାତ୍ରୀମାନଙ୍କ ପାର୍ସଲ ଏବଂ ଲଗେଜ୍ ଅନିୟମିତତା ଭାବରେ ଯାଞ୍ଚ କରାଯାଇଥିଲା ।

ପାନ୍ଟ୍ରି କାର କର୍ମଚାରୀଙ୍କ ଦ୍ଵାରା ଅଗ୍ନି ନିରାକରଣ ପଦକ୍ଷେପ ଗ୍ରହଣ କରିବାରେ କୌଣସି ପ୍ରକାର ଅନିୟମିତତାକୁ ଏଡ଼ାଇବା ପାଇଁ ଟ୍ରେନରେ ଥିବା ପ୍ୟାଣ୍ଟ୍ରି କାର ଗୁଡିକ ମଧ୍ୟ ନିରୀକ୍ଷଣ କରାଯିବା ସହିତ ଅଗ୍ନି ନିର୍ବାପକ ଯନ୍ତ୍ରର ଉପଲବ୍ଧତା ମଧ୍ୟ ସୁନିଶ୍ଚିତ କରାଯାଇଥିଲା । ଯାଞ୍ଚ ସମୟରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ବାଜୱା ଟ୍ରେନରେ ଯାତ୍ରା କରିବା ସମୟରେ କୌଣସି ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ନ’ନେବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।

ସେ ସ୍ପଷ୍ଟ କରିଛନ୍ତି ଯେ ଦହନଶୀଳ ପଦାର୍ଥ ପରିବହନରେ ଟ୍ରେନରେ ନିଆଁ ଲାଗିବା ସମ୍ଭାବନା ଥାଏ ଏବଂ ଯାତ୍ରୀଙ୍କ ଜୀବନ ବିପଦରେ ପଡିପାରେ । ସେ ଟ୍ରେନ୍ ମାଧ୍ୟମରେ ଜ୍ୱଳନ୍ତ ସାମଗ୍ରୀ ପରିବହନ ଉପରେ କଡା ସଜାଗ ରହିବାକୁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଟ୍ରେନରେ ଅଗ୍ନିକାଣ୍ଡ ରୋକିବା ପାଇଁ ରେଲ ସୁରକ୍ଷା ବଳ ଏବଂ ବାଣୀଜ୍ୟ ବିଭାଗ କର୍ମଚାରୀଙ୍କ ଦ୍ଵାରା ମଣ୍ଡଳର ସବୁ ରେଳ ଷ୍ଟେସନ ଏବଂ ଟ୍ରେନରେ ନିୟମିତ ଭାବରେ ଯାଞ୍ଚ କରାଯାଉଛି । ଅଗ୍ନି ନିରାକରଣ ଉପରେ ଜିଙ୍ଗଲ ମାଧ୍ୟମରେ ଯାତ୍ରୀଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ।

Exit mobile version