-ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଲେ ଛାତ୍ରଛାତ୍ରୀ
-ଛାୟା ମିଳିତ ଜାତିସଂଘ ପ୍ରଦର୍ଶିତ
-‘ମିଟ୍ ଦ ପର୍ସନାଲିଟି’ରେ ସଫଳତାର କାହାଣୀ କହିଲେ ବିଶିଷ୍ଟ ବ୍ୟକ୍ତିବିଶେଷ
୧୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ଓ ଉତ୍ସାହର ସହ ଶିଶୁ ମହୋତ୍ସବ ‘ସୁରଭି’ରେ ସାମିଲ ହୋଇ ନିଜ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି । ଠିକ୍ ସେହିଭଳି ଭାବରେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରନ୍ତୁ । ପିଲାମାନେ ଦେଶ ଓ ଜାତିର ନାମକୁ ଗୌରବାନ୍ୱିତ କରନ୍ତୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି । ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବର ‘ସୁରଭି’ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଦିଗରେ ପ୍ରେରଣା ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଯୋଗଦେଇଥିଲେ ।
ଯେଉଁ ଦେଶର ନାଗରିକ ଯେତେ ଶିକ୍ଷିତ ସେହି ଦେଶ ସେତେ ଉନ୍ନତ ବୋଲି ସେ ମତବ୍ୟକ୍ତ କରିଥିଲେ । ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ରାଜ୍ୟର ବିକାଶ ପଥର ପଥିକ । ଆମ ଦେଶ ଚନ୍ଦ୍ରଯାନ ସହ ଆଦିତ୍ୟ ମିଶନ ସଫଳତାର ସହ ପ୍ରେରଣ କରିଛି । ଏହି ସଫଳତାରୁ ଅନୁପ୍ରାଣିତ ହୋଇ ପିଲାମାନେ ଭବିଷ୍ୟତ ଗଠନ କରିବା ନେଇ ସେ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଯୋଗଦେଇ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରି ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍. ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ । କାର୍ଯ୍ୟକ୍ରମରେ ଓଡି଼ଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀମତୀ ଜାମିନୀ ଷଡଙ୍ଗୀ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଟିଇ ଏବଂ ଏସ୍ସିଇଆର୍ଟିର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀଙ୍କ ସହ ବିଭାଗର ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।
ଏହି ଅବସରରେ ଆଜି ପୂର୍ବାହ୍ଣରେ ଛାତ୍ରଛାତ୍ରୀମାନେ ଖଣ୍ଡିଗିରି, ଉଦୟଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରାହାଳୟ, ପଠାଣୀସାମନ୍ତ ପ୍ଲାନେଟୋରିୟମ୍ ଓ ନ୍ୟଚୁରାଲ ହିଷ୍ଟ୍ରି ଅଫ୍ ମ୍ୟୁଜିୟମ୍ ପରିଦର୍ଶନ କରିଥିଲେ । ଅପରାହ୍ଣରେ ମୁଖ୍ୟ ଆକର୍ଷଣ ସାଜିଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଛାୟା ମିଳିତ ଜାତିସଂଘ’ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ୟୁନିସେଫ୍ର କ୍ଷେତ୍ର ଅଧିକାରୀ ଉଇଲିୟମ୍ ହ୍ୟାଣ୍ଡଲନ୍ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
