୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ଗୁଣାତ୍ମକ ଶିକ୍ଷାକୁ ତ୍ୱରାନ୍ୱିତ କରୁଛି ମୋ ସ୍କୁଲ୍ ଅଭିଯାନ। ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚବିଦ୍ୟାଳୟ ରେ ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ତଥା ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଶତପଥୀ ରସାୟନ ବିଜ୍ଞାନ କର୍ମଶାଳା ଆୟୋଜନ କରି ଛାତ୍ରଛାତ୍ରୀମାନଙ୍କୁ ପରମାଣୁ ଗଠନ ସମ୍ପର୍କରେ ବାସ୍ତବ ଧାରଣା ଦେଇଥିଲେ ।
ଏକ ଭିନ୍ନ ଶୈଳୀରେ ବିଭିନ୍ନ ରଙ୍ଗର ପୋଷାକ ପରିଧାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର କଣିକା ଭାବେ ଦର୍ଶାଇ ସରଳ ଓ ବୋଧଗମ୍ୟ ଭାବରେ ଜଟିଳ ବିଷୟକୁ ଛାତ୍ରଛାତ୍ରୀମାନେ ବେଶ୍ ଭଲ ଭାବରେ ବୁଝିପାରିଥିଲେ । ବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରିୟାରେ ଅନୁପ୍ରେରିତ ହୋଇ ବିଦ୍ୟାଳୟରେ ଗଠନ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ କ୍ଲବ୍ ର କାର୍ଯ୍ୟଧାରାକୁ ଶ୍ରୀଯୁକ୍ତ ଶତପଥୀ ସମୀକ୍ଷା କରିବା ସହ କ୍ଲବ୍ ମାନଙ୍କର କାର୍ଯ୍ୟ ସାରଣୀକୁ ସଂଗଠିତକରି ଆହୁରି ସକ୍ରିୟ କରିବାପାଇଁ ପରାମର୍ଶ ଦେଇଥିଲେ ।
ଉକ୍ତ କର୍ମଶାଳାରେ ସକ୍ରିୟ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶ୍ରୀଯୁକ୍ତ ଶତପଥୀ ପୁରସ୍କୃତ କରିଥିଲେ। ପ୍ରକାଶଥାଉକି ଶ୍ରୀଯୁକ୍ତ ଶତପଥୀ ଉକ୍ତ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରି ମୋ ସ୍କୁଲ୍ ଓ ଆଲୁମିନି କମିଟି ସହ ମିଶି ଅଭିନବ ଶୈଳୀରେ ଶିକ୍ଷା ଦାନ କରୁଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ଦାସଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ। ଜନଶକ୍ତି ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନର ବାସ୍ତବ ଆକଂକ୍ଷାକୁ ପ୍ରତିଫଳନ କରାଯିବା ପାଇଁ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଦ୍ୟାଳୟ ଆଲୁମିନି କମିଟି ତରଫରୁ ସୂଚନା ଦିଆଯାଇଛି।
