ପଞ୍ଚଭୂତରେ ଲୀନ ହେଲା ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର

ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ରାଜ୍ୟ ରାଜନୀତିର ଏହି ବରିଷ୍ଠ ରାଜନେତା ।

୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ବର :-> ପୁରୀ ସ୍ବର୍ଗଦ୍ବାରରେ ଗାର୍ଡ଼ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ ପଞ୍ଚଭୂତରେ ଲୀନ ହେଲା ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ସମ୍ମାନ ସହ ହଜାର ହଜାର ଲୋକଙ୍କ ଗହଣରେ ସମସ୍ତ ରୀତି ନୀତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେଠାରେ ତାଙ୍କୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇଥିଲା । ପୁରୀ ମାଟିରେ ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସ୍ବର୍ଗଦ୍ବାରରେ ଜମିଥିଲା ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ଼ । ମହେଶ୍ବର ମହାନ୍ତି ଅମର ରହେ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ସାରା ପରିବେଶ । ମହେଶ୍ବର ମହାନ୍ତିଙ୍କ ସହ ପୁରୀରେ ଏକ ରାଜନୈତିକ ଯୁଗର ଅବସାନ ଘଟିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ସ୍ବର୍ଗଦ୍ବାରରେ ଉପସ୍ଥିତ ଜନତା ମହେଶ୍ବରଙ୍କୁ ଦେଇଥିଲେ ଅଶ୍ରୁଳ ବିଦାୟ । ଗତ ୧ ତାରିଖରୁ ଅସୁସ୍ଥ ହୋଇ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହେଶ୍ବର ମହାନ୍ତି ମଙ୍ଗଳବାର ଭୋର୍‌ରୁ ଆଖିବୁଜିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା ।

ସକାଳୁ ସକାଳୁ ମହେଶ୍ବରଙ୍କ ଦେହାନ୍ତ ଖବର ରାଜନୈତିକ ମହଲରେ ଖେଳାଇ ଦେଇଥିଲା ଶୋକର ଛାୟା । ବିଜେଡିର ବରିଷ୍ଠ ନେତା ମହେଶ୍ବରଙ୍କ ମରଶରୀରକୁ ପ୍ରଥମେ ହସ୍ପିଟାଲରୁ ଶଙ୍ଖ ଭବନକୁ ନିଆଯାଇଥିଲା । ଯେଉଁଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ଓଡ଼ିଶା ରାଜନୀତିର ବହୁ ବିଶିଷ୍ଟ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମହେଶ୍ବର ମହାନ୍ତିଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ନବୀନ । ଏହାପରେ ବିଧାନସଭାରେ ପହଞ୍ଚିଥିଲା ମହେଶ୍ବରଙ୍କ ପାର୍ଥିବ ଶରୀର । ସେଠାରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା । ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଥିଲେ ମହେଶ୍ବର ମହାନ୍ତି ।

ପୁରୀରୁ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଥିଲେ । ଏହି ସମୟ ମଧ୍ୟରେ ଛଅ ଛଅଟି ବିଭାଗରେ ମନ୍ତ୍ରୀ ଓ ବାଚସ୍ପତି ଦାୟିତ୍ବ ତୁଲାଇଥିଲେ । ୧୯୭୩ ମସିହାରୁ ଛାତ୍ର ନେତା ଭାବେ ଆରମ୍ଭ ହୋଇଥିଲା ମହେଶ୍ବରଙ୍କ ରାଜନୈତିକ ଯାତ୍ରା । ୧୯୭୮ରେ ପୁରୀ ମ୍ୟୁନିସିପାଲିଟିର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଆଇନଜୀବୀ ପେଶାରୁ ମହେଶ୍ବରଙ୍କ ରାଜନେତାର ରାସ୍ତା ଆଗକୁ ଲମ୍ବିଥିଲା । ୧୯୮୫ରୁ ୯୦ ଓ ୯୨ରୁ ୯୫ ପର୍ଯ୍ୟନ୍ତ ପୁରୀ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ହୋଇଥିଲେ । ୧୯୯୫ରେ ବିଜୁ ବାବୁଙ୍କ ଆଶୀର୍ବାଦରେ ପ୍ରଥମ ଥର ପାଇଁ ପୁରୀରୁ ବିଧାୟକ ଭାବେ ଜିତି ବିଧାନସଭାରେ ପାଦ ଥାପିଥିଲେ ମହେଶ୍ବର । ତା’ପରେ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ବିଜୁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଆସୁଥିଲେ ।

ଏହି ସମୟରେ ନବୀନ ସରକାରରେ ବହୁବାର ମନ୍ତ୍ରୀ ହେବା ସହ ଓଡ଼ିଶା ବିଧାନସଭାର ବାଚସ୍ପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ ଏହି ବରିଷ୍ଠ ନେତା । ଏହାରି ଭିତରେ ୨୦୧୪ ମସିହାରେ ମହେଶ୍ବର ପାଇଥିଲେ ଦ୍ବିତୀୟ ଜନ୍ମ । ସେହି ବର୍ଷ ଫେବ୍ରୁଆରୀ ୨୨ରେ ପୁରୀରେ ନିଜ ଘର ପାଖରେ ମହେଶ୍ବରଙ୍କ ଉପରେ ହୋଇଥିଲା ଗୁଳିମାଡ଼ । ସ୍କୁଟିରେ ଆସୁଥିବା ବେଳେ ଅତି ପାଖରୁ ଗୁଳି ଚଳାଇଥିଲେ ଦୁଇ ଜଣ ଯୁବକ । ମହେଶ୍ବରଙ୍କ ଦେହରେ ବାଜିଥିଲା ଗୁଳି । ହଠାତ୍ ସେଇଠାରେ ପଡ଼ି ଯିବାରୁ ମହେଶ୍ବରଙ୍କ ମୁଣ୍ଡରେ ମଧ୍ୟ ଲାଗିଥିଲା ଗଭୀର ଆଘାତ । ଗୁରୁତର ଅପରେସନ ପରେ ସେ ସୁସ୍ଥ ହୋଇ ଫେରିଥିଲେ । ୮/୯ବର୍ଷ ପରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ରାଜ୍ୟ ରାଜନୀତିର ଏହି ବରିଷ୍ଠ ରାଜନେତା ।

Exit mobile version