କୋରାଇ ରେଲୱେ ପ୍ଲାଟଫର୍ମ ଉନ୍ନତିକରଣ କାର୍ଯ୍ୟ ନିମ୍ନମାନର ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା

ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା;ବାହାର ଜିଲାରୁ ଆସି କରୁଛନ୍ତି କାର୍ଯ୍ୟ ; ଆଂଚଳିକ ଶ୍ରମିକଙ୍କୁ କାର୍ଯ୍ୟରେ ସାମିଲ ପାଇଁ କୋରାଇ ରେଲୱେ ଉନ୍ନୟନ ପରିଷଦର ଦାବି

ଓଡିଶା ତାଜା ନ୍ୟୁଜ୍ (୧୩ ଜୁଲାଇ ସୋମବାର) କୋରାଇ :- ଦୀର୍ଘ ଦିନର ଦାବି ପରେ ଏବେ କୋରାଇ ରେଳୱେ ଷ୍ଟେସନ ପ୍ଲାଟଫର୍ମର ଉନ୍ନତି କରଣ କାର୍ଯ୍ୟ କରାଯାଉଛି । ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ବେଳେ ସ୍ଥାନୀୟ ଅଂଚଳର ଶ୍ରମିକଙ୍କୁ ଅଣଦେଖା କରାଯାଇ ବାହାର ଜିଲା ଶ୍ରମିକଙ୍କ ଦ୍ୱାରା କାର୍ଯ୍ୟ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଶ୍ରମିକ ଓ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହା ଉପରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ଅଭିଯୋଗ ମୁତାବକ, ଦୀର୍ଘଦିନ ହେବ ପୂର୍ବତଟ ରେଳ ବିଭାଗର କୋରାଇ ରେଲୱେ ଷ୍ଟେସନ ଅବହେଳିତ ଅବସ୍ଥାରେ ରହିବା ଯୋଗୁ କୋରାଇ ରେଲୱେ ଉନ୍ନୟନ ପରିଷଦ ଏହାର ଉନ୍ନତିକରଣ ପାଇଁ ରେଳ ବିଭାଗ ଉଚ୍ଚ କତୃପକ୍ଷଙ୍କ ନିକଟରେ ବହୁବାର ଦାବି କରିଥିଲେ । ଯାହାକୁ ନେଇ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଷ୍ଟେସନ ପରିଦର୍ଶନ କରି ଏହାର ଅନୁଧ୍ୟାନ କରିଥିଲେ । ଷ୍ଟେସନର ଉନ୍ନତି କରଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା । ଏହିଅର୍ଥକୁ ବିନିଯୋଗ ନିମନ୍ତେ ଠିକାଦାର ଚୟନ କରାଯାଇ ଗତ କିଛିମାସହେଲା କାର୍ଯ୍ୟକରାଯାଉଛି । ଏବେ ପ୍ଲାଟଫର୍ମ ଉନ୍ନତି କରଣ ସମେତ ଉଭୟ ପାଶ୍ୱର୍ ସାଇଡିଂ କାର୍ଯ୍ୟ କରାଯାଉଛି । କାର୍ଯ୍ୟ କରାଯାଉଥିଲେ ବି ତାହା ଅତି ନିମ୍ନାମାନର କରାଯାଉଛି । ହେଲେ ନିର୍ମାଣାଧିନ କାର୍ଯ୍ୟକୁ ବିଭାଗୀୟ କର୍ତୃପକ୍ଷ ତଦାରଖ କରୁନଥିବାରୁ ଠିକାଦାର ମନମୁଖିଭାବେ କାର୍ଯ୍ୟକରୁଥିବା ହେତୁ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଉଛି । ବର୍ତମାନ ଢଳେଇ କାର୍ଯ୍ୟ ହେଉଥିଲେ ମଧ୍ୟ ସେଥିରେ ନିମ୍ନାମାରନ ମେଟାଲ ଓ ଚିପ୍ସ ବ୍ୟବହାର କରାଯାଉଥିବାରୁ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି । ଏତଦ୍ ଭିନ୍ନ ଠିକାଦାର ଏଠାରେ କାର୍ଯ୍ୟ କରୁଥିଲେ ବି ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା କରି ବାହାର ଜିଲାର ଶ୍ରମିକଙ୍କ ଦ୍ୱାରା କାର୍ଯ୍ୟ କରାଯାଉଛି ।

ମହାମାରୀ କରୋନା ସମୟରେ ସ୍ଥାନୀୟ ଅଂଚଳର ବହୁ ଶ୍ରମିକ କାର୍ଯ୍ୟ ନପାଇ ଅଭାବ ଅନାଟନ ମଧ୍ୟରେ ଦିନ କାଟୁଛନ୍ତି । ଏହି ସମୟରେ ଷ୍ଟେସନର ଉନ୍ନତି କରଣ କାର୍ଯ୍ୟ କରି ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରାଯାଉ ନଥିବାରୁ ଶ୍ରମିକଙ୍କ ସମେତ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏସମ୍ପର୍କରେ ସମ୍ପୃକ୍ତ କାର୍ଯ୍ୟ କରୁଥିବା ଠିକାଦାର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କୁ ପଚାରିବାକୁ ସେ କହିଥିଲେ ଯେ, କାର୍ଯ୍ୟରେ କୌଣସି ବ୍ୟତିକ୍ରମ କରାଯାଉ ନାହିଁ । ରେଳ ବିଭାଗର ନିମୟକୁ ଅନୁଯାୟୀ କାର୍ଯ୍ୟ କରାଯାଉଛି । କୌଣସି ବାହାର ଶ୍ରମିକଙ୍କ ଦ୍ୱାରା କାର୍ଯ୍ୟ କରାଯାଉନାହିଁ । ବର୍ତମାନ ଶ୍ରମିକ ମିଳୁନଥିବାରୁ ବିଶେଷ କିଛି କାର୍ଯ୍ୟ ହୋଇପାରୁ ନାହିଁ । ଯଦି ସ୍ଥାନୀୟ ଶ୍ରମିକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି; ତାହେଲେ ସେମାନଙ୍କୁ ନିଶ୍ଚିତ କାର୍ଯ୍ୟ କରିବାର ସୁଯୋଗ ଦିଆଯିବ ବୋଲି ଠିକାଦାର ଶ୍ରୀ ବିଶ୍ୱାଳ ପ୍ରତିକ୍ରିୟାରେ କରିଛନ୍ତି । ଏହା ଉପରେ ରେଳ ବିଭାଗର ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ କୋରାଇ ରେଲୱେ ଉନ୍ନୟନ ପରିଷଦ ସମେତ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି । ବାହାର ଜିଲାରୁ ଆସି ଶ୍ରମିକ କାର୍ଯ୍ୟ କରୁଛନ୍ତି ଆଂଚଳିକ ଶ୍ରମିକଙ୍କୁ କାର୍ଯ୍ୟରେ ସାମିଲ ପାଇଁ କୋରାଇ ରେଲୱେ ଉନ୍ନୟନ ପରିଷଦର ଦାବି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version