ଅବ୍ୟବସ୍ଥା ଅଭିଯୋଗ କରି ପ୍ରବାସୀଙ୍କ ଭିଡ଼ିଓ ଭାଇରାଲ

ଓଡିଶା ତାଜା ନ୍ୟୁଜ୍ (୧୩ ଜୁଲାଇ ସୋମବାର) ହିଞ୍ଜିଳିକାଟୁ :- ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଚଳିତ ମାସ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ମହାମାରୀ କରୋନା ଭୁତାଣୁର ଅସଲ ସ୍ୱରୂପ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ପ୍ରତିହତ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ପଦକ୍ଷେପ ନେଇ ଲୋକଙ୍କ ଜୀବନ ଓ ଜୀବିକା ପ୍ରତି ବିଶେଷ ଧ୍ୟାନ ଦେଇ ଅଦ୍ୟାବଧି ପ୍ରଚେଷ୍ଟା ଜାରୀ ରଖିଛନ୍ତି।ରାଜ୍ୟ ସରକାର ଦେଶର ବିଭିନ୍ନ ପ୍ରାନ୍ତରରେ ଫସି ରହିଥିବା ପ୍ରବାସୀଙ୍କୁ ନିଜ ନିଜ ଭିଟା ମାଟିକୁ ଫେରାଇ ଆଣି ଓଡିଶାକୁ ରୋଲ ମଡେଲ ରାଜ୍ୟ ଭାବେ ଦେଶରେ ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ସଙ୍ଗୀନ ହୋଇ ସବୁକିଛି ବିଗାଡି ଦେଇଛି । ରାଜ୍ୟରେ ଗଞ୍ଜାମ ଜିଲ୍ଲା ରେଡ଼ ଜୋନରେ ପରିଣତ ହୋଇ ମହାମାରୀ କରୋନାର ହଟସ୍ପଟ ପାଲଟିଛି ।

ଏଭଳି ଭୟଙ୍କର ସଙ୍କଟ ପୂର୍ଣ୍ଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଶାସନ ଠାରୁ ସ୍ଥାନୀୟ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ କିଛି ଅନ୍ତେବାସୀ କିଛି ନା କିଛି ତୃଟି ଦେଖାଇ ଭିଡ଼ିଓ ପ୍ରସ୍ତୁତ କରି ସାଧାରଣରେ ଭାଇରାଲ କରିବା ଏବେଏକ ନିତିଦିନିଆ ଘଟଣା ପାଲଟିଛି । ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇ ଏବେ ହିଞ୍ଜିଳି ଅଞ୍ଚଳରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ପ୍ରକାରେ ସ୍ଥାନୀୟ ପୋୖରାଞ୍ଚକର ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟକୁ ବ୍ଲକ ପ୍ରଶାସନ ପକ୍ଷରୁ କ୍ଲଷ୍ଟର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି । ଗତ ୪ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ସୋମବାର ସୁଦ୍ଧା ୪୩ ଜଣ ପ୍ରବାସୀଙ୍କୁ ଉକ୍ତ କେନ୍ଦ୍ରରେ ରଖାଯାଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି।କିନ୍ତୁ କିଛି ଅନ୍ତେବାସୀ ପିଇବା ପାଣି ଓ ଖାଇବା ଖାଦ୍ୟ ଯୋଗାଣକୁ ନେଇ ଅସନ୍ତୋଷ ପ୍ରକାଶ କରି ଭିଡ଼ିଓ ଜରିଆରେ ଅଭିଯୋଗ କରିଥିବା ଜଣାପଡିଛି । ସେମାନଙ୍କୁ ଆବଶ୍ୟକତା ଅନୁଯାୟୀ ପିଇବା ପାଣି ଓ ରୁଚିକର ଖାଦ୍ୟପେୟ ମିଳୁନି ବୋଲି କିଛି ଅନ୍ତେବାସୀ ପ୍ରକାଶ କରିଛନ୍ତି ।

ଏନେଇ କେଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ । ସେମାନଙ୍କ ସୂଚନା ପ୍ରକାରେ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ୨ ଟି ପାଣିଟାଙ୍କି ରହିଛି । ସେଠାରେ ଥିବା କୂଅର ପାଣି ଗାଧୋଇବା, ଲୁଗାପଟା ସଫା କରିବା ଏବଂ ଶୌଚାଳୟ ବ୍ୟବହାର ସକାଶେ ପ୍ରସ୍ତୁତ ରଖାଯାଇଛି । ଏଥିସହ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ୨ ଥର ପିଇବା ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି । କିନ୍ତୁ କିଛି ଅନ୍ତେବାସୀ କୂଅ ପାଣିକୁ ବ୍ୟବହାର ନ କରି କେବଳ ପିଇବା ପାଣି କୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରି ନିଆଣ୍ଟିଆ ପରିସ୍ଥିତି ସୃଷ୍ଟି କରୁଥିବା ଜଣାପଡିଛି । ଏପରି ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ଆମେ ସେମାନଙ୍କୁ ପିଇବା ପାଣି ବନ୍ଦୋବସ୍ତ କରିଛୁ ବୋଲି କହିଛନ୍ତି । ଏନେଇ କେନ୍ଦ୍ର ଅନ୍ତେବାସୀଙ୍କ ସହିତ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ, ସିଆରସିସି ବୁରୁପଡା ସରପଞ୍ଚ ଓ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନା କରିଥିବା ଜଣାପଡିଛି । (ରିପୋର୍ଟ – ଲଳିତ ମୋହନ ପଲାଇ)

Exit mobile version