ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ଅଧିକାରୀ ,କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶପଥ ପାଠ କରାଇବା ସହିତ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଥିଲେ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ଉନ୍ନତିରେ ଦୁର୍ନୀତି ବାଧକ ସାଜିଛି ।

ତେଣୁ ସମାଜର ପ୍ରତ୍ୟେକ ବର୍ଗ ଓ ଦୁର୍ନୀତିର ମୂଳଉତ୍ପାଟନ ପାଇଁ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଏବେ ଠାରୁ ସାଦୁତା, ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ପାଳନ କରିବାକୁ ହେବ ଏବଂ ଦୁର୍ନିତି ମୂଳଉତ୍ପାଟନ ନିମନ୍ତେ ସରକାର, ନାଗରିକ, ଘରୋଇ କ୍ଷେତ୍ରରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଉଚିତ । ସେହିପରି ସାଧୁତା ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ହିଁ କର୍ମର ମୂଳମନ୍ତ୍ର ବୋଲି ସେ କହିଛନ୍ତି । ଗତ ମାସ ୩୦ ଅକ୍ଟୋବର ତାରିଖ ଠାରୁ ନଭେମ୍ବର ୦୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି ବୋଲି ଦୁର୍ନୀତି ନିବାରଣ ଖଣ୍ଡ ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ହେନେରୀ କୁଲୁ କହିଛନ୍ତି। ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌର ପରିଷଦ ପାରଳାଖେମୁଣ୍ଡି ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ବାରା କରାଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରିବା ସହିତ ସାଦୁତା, ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ହିଁ କର୍ମର ମୂଳମନ୍ତ୍ର ବୋଲି କହିଛନ୍ତି ।

ସମସ୍ତେ ଏକତ୍ରିତ ହୋଇ ସଚେତନତା ଓ ସତର୍କତା ରହି ଜନସାଧରଣଙ୍କୁ ଏହି ଦିଗରେ ଅଧିକରୁ ଅଧିକ ସଚେତନ କରାଇବାକୁ ପଡ଼ିବ ବୋଲି କହୁଥିଲେ।ଏହି ଅବସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟରେ ଓଡ଼ିଆ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯଗୀମାନଙ୍କୁ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତକରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଭାସୁଦେବ ରାଓ, ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ,ଗଜପତି, ତହସିଲଦାର ଶ୍ରୀ ନାରାୟଣ ବେହେରା, ଶ୍ରୀ ପ୍ରଦୋଶ କୁମାର ନାୟକ ,ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ଅଧିକାରୀ , ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଟିମନ ବରା ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଓ ଶ୍ରୀ ତ୍ରିଲୋଚନ ଷଡ଼ଙ୍ଗୀ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଗଣ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୁଧାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version