ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ‘ସୁରେଶ ସୃଜନ ସମ୍ମାନ’

‘ଲୋକସଂସ୍କୃତି ଜାତିର ସ୍ୱରୂପ ନିର୍ମାଣ କରିଥାଏ’

ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଲୋକସଂସ୍କୃତି ଉପାଦାନଗୁଡ଼ିକର ପ୍ରାଧାନ୍ୟ ଓ ପ୍ରଭାବ ସବୁବେଳେ ସ୍ୱୀକୃତ । ଏହା ଗୋଟିଏ ଜାତିର ସ୍ୱରୂପ ନିର୍ମାଣ କରିଥାଏ ବୋଲି ବିଶିଷ୍ଟ ଲୋକସଂସ୍କୃତି ବିଶାରଦ ତଥା ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସଦାନନ୍ଦ ଶାହୀ ଉଲ୍ଲେଖ କରିଛନ୍ତି । ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆୟୋଜିତ ‘ସୁରେଶ ସମାବେଶ’ ରେ ଯୋଗଦେଇ ପ୍ରଫେସର ଶାହୀ କହିଲେ ଯେ ଆମର ସାହିତ୍ୟ, ଜୀବନଧାରା ଓ ଭାଷା ବ୍ୟବହାର ଉପରେ ଲୋକସଂସ୍କୃତିର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହାର ସଂରକ୍ଷଣ, ପ୍ରସାର ଓ ସଂଗ୍ରହଣ ଅତ୍ୟନ୍ତ ଆବଶ୍ୟକ ା

ପ୍ରାକ୍ତନ ସାଂସଦ, କବି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ. ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫାଉଣ୍ଡେସନ୍‌ର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ସାଂସ୍କୃତିକ ଜାଗରଣ ବଳରେ ସମାଜ ଓ ସଭ୍ୟତାର ଅଗ୍ରଗତି ସାଧିତ ହୋଇଥାଏ ବୋଲି କହିଥିଲେ । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ୟୁନେସ୍କୋ’ ଭାଷା ପୁରସ୍କାର ବିଜେତା ତଥା ଗବେଷକ ଡ. ମହେନ୍ଦ୍ର କୁମାର ମିଶ୍ର ଯୋଗଦେଇ ସ୍ୱର୍ଗତ ସୁରେଶ ବଳବନ୍ତରାୟଙ୍କ କୃତି ଓ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିବା ସହିତ ଲୋକସଂସ୍କୃତିର ପ୍ରସାର ନିମନ୍ତେ ସମାଜର ସବୁ ମହଲରୁ ଉଦ୍ୟମ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଫାଉଣ୍ଡେସନ୍‌ର ସଭାପତି ଡ. ହରେକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିବାବେଳେ ଶ୍ରୀ ଜେନା ତାଙ୍କ କୃତଜ୍ଞତା ପ୍ରକାଶ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ପ୍ରକାଶିତ ଏକ ପୁସ୍ତକ ‘ଦଣ୍ଡନୃତ୍ୟ : ଭିତ୍ତି ଓ ଭୂମ’ ଲୋକାର୍ପିତ ହୋଇଥିଲା । ଫାଉଣ୍ଡେସନ୍‌ ପକ୍ଷରୁ ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ସଂପାଦକ ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ବିବରଣୀ ପାଠ କରିଥିଲେ । ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିବାବେଳେ ପ୍ରକାଶକ ସୁଧୀର ମଉଡ଼ମଣି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗବେଷକ, ଶିଳ୍ପୀ, ସାହିତି୍ୟକ ଓ ସଂସ୍କୃତିପ୍ରେମୀ ସମବେତ ହୋଇଥିଲେ ।  

Exit mobile version