ରାଜଭବନରେ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌଜନମୂଳକ ସାକ୍ଷାତ କରିଛନ୍ତି

-୫ ବର୍ଷ ୫ ମାସ ଧରି ଓଡ଼ିଶାର ରାଜ୍ୟପାଳ ଅଛନ୍ତି ଗଣେଶୀ
-୩୧ରେ ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

-ବିଦାୟୀ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
-ବେଶ୍‌ କିଛି ସମୟ ଧରି ଆଲୋଚନା କଲେ ନବୀନ
-ରାଜ୍ୟ ପାଇଁ ସେବା କରିଥିବାରୁ ଜଣାଇଲେ କୃତଜ୍ଞତା

୨୬ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ବର :-> ଆସନ୍ତାକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଦାୟ ନେବାକୁ ଥିବାବେଳେ ଆଜି ରାଜଭବନ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଜଭବନରେ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌଜନମୂଳକ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କର କାର୍ଯ୍ୟକାଳକୁ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି । ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ଆଜି ରାଜଭବନରେ ପ୍ରଫେସର ଗଣେଶୀ ସମ୍ବର୍ଦ୍ଧନା ଦେଇଛନ୍ତି ।

୨୯ ମେ’ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଅକ୍ଟୋବର ୨୯ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ। ୩୦ ତାରିଖରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ୩୧ ତାରିଖରେ ନୂଆ ରାଜ୍ୟାପାଳ ଭାବେ ଦାୟିତ୍ବ ନେବେ ରଘୁବର ଦାସ। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ତାଙ୍କୁ ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଅକ୍ଟୋବର ୧୮ତାରିଖରେ ରଘୁବର ଦାସଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ସେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ କାର‌୍ୟ୍ୟ କରିବେ। ପ୍ରଫେସର ଗଣେଶୀ ଲାଲ ଆସନ୍ତାକାଲି ଶୁକ୍ରବାର ଓଡ଼ିଶା ଛାଡ଼ିବେ। ପ୍ରଫେସର ଗଣେଶୀଲାଲଙ୍କ କାର୍ଯ୍ୟକାଳ ୨୦୨୩ ମେ’ ମାସରୁ ଶେଷ ହୋଇଥିଲେ ମଧ୍ୟ ସେ ପରବର୍ତ୍ତୀ ନିର୍ଦେଶ ପର‌୍ୟ୍ୟନ୍ତ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । ପ୍ରଫେସର ଗଣେଶୀଲାଲ ପ୍ରାୟ ୫ବର୍ଷ ୫ମାସ ଧରି ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି।

Exit mobile version