ଡାଲି ଓ ତୈଳବୀଜ ଫସଲକୁ ପ୍ରୋତ୍ସାହନ
ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମିର ଉପଯୋଗ
ରବି ୨୦୨୩-୨୪କୁ ପ୍ରାଥମିକତା ପ୍ରଦାନ
୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ୨୦୨୩-୨୪ ନିମନ୍ତେ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଉଦ୍ଘାଟିତ ହୋଇଯାଇଛି । ଫସଲର କାର୍ଯ୍ୟାନ୍ୱୟନକୁ ସମୀକ୍ଷା ଓ ମୂଲ୍ୟାୟନ କରିବା ସହିତ କୃଷିକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ । ସମ୍ମିଳନୀରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ରାଜ୍ୟର କୃଷି ବିଶ୍ୱବିଦ୍ୟାଳୟ, ଆଇସିଏଆର୍ ଏବଂ ସିଜିଆଇଏଆର୍ ପ୍ରଭୂତି ପ୍ରତିଷ୍ଠାନର ପ୍ରତିନିଧିମାନେ ବିଭିନ୍ନ ବୈଷୟିକ ଦିଗ ସଂପର୍କରେ ଆଲୋଚନା କରିଥିଲେ ।
ସମ୍ମିଳନୀରେ ରବି କାର୍ଯ୍ୟକ୍ରମ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ରବି ୨୦୨୩-୨୪ କାର୍ଯ୍ୟକ୍ରମରେ ବିଭିନ୍ନ ଫସଲ ଅଧୀନରେ ଓଡ଼ିଶାରେ ପ୍ରାୟ ୨୮.୧୪ ଲକ୍ଷ ହେକଫର ଜମିରେ ରବିଚାଷ କରାଯିବ । ଏଥି ମଧ୍ୟରୁ ୧୪.୩୪ ଲକ୍ଷ ହେକଫର ଜମିରେ ଡାଲି ଜାତୀୟ ଫସଲ, ୩.୭୩ ଲକ୍ଷ ହେକଫର ଜମିରେ ତୈଳବୀଜ, ୫.୩୯ ହେକଫର ଜମିରେ ପନିପରିବା, ୧.୧୩ ଲକ୍ଷ ହେକଫର ଜମିରେ ମସଲା ଚାଷ ଏବଂ ୦.୩ ଲକ୍ଷ ହେକଫର ଜମିରେ ଆଖୁ ଚାଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ଦ୍ୱାରା ୧୯.୩୯ ଲକ୍ଷ ମେଟି୍ରକ୍ ଟନ ଖାଦ୍ୟଶସ୍ୟ, ୭.୫୩ ଲକ୍ଷ ମେଟି୍ରକ୍ ଟନ୍ ଡାଲି ଏବଂ ୪.୧୮ ଲକ୍ଷ ମେଟି୍ରକ୍ ଟନ୍ ତୈଳବୀଜ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ।