ନାଚୁଣୀ/ବାଣପୁର ପୋଲିସ ପକ୍ଷରୁ ସାଇବର୍ ଅପରାଧ ସଚେତନତା କାର୍ଯ୍ୟକ୍ରମ

୧୪ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :- ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ନାଚୁଣୀ ଓ ବାଣପୁର ଥାନା ଆନୁକୂଲ୍ୟରେ ନାଚୁଣୀ ମହାବିଦ୍ୟାଳୟ ଇନ୍ ଡୋର୍ ଷ୍ଟାଡିୟମ ପରିସରରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଆଜି ଗୁରୁବାର ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପିକା ଲୀନା ନଦିଜା ପରିଚାଳନା କରିଥିବା ବେଳେ ଆନୁଷ୍ଠାନିକ ଭାବେ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ।

ଶ୍ରୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିଲ୍ କୁମାର ମହାନ୍ତି, ନାଚୁଣୀ ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରଶେଖର ଜେନା, ସମ୍ମାନିତ ବକ୍ତା ଭାବେ ନାଚୁଣୀ ମହାବିଦ୍ୟାଳୟ ପରିଚାଳନା ପରିଷଦ ର ସଭାପତି ଅରୁଣ କୁମାର ଦାଶ ପ୍ରମୁଖ ଯୋଗଦେଇ ସଂପ୍ରତି ଘଟୁଥିବା ବିଭିନ୍ନ ସାଇବର ଅପରାଧ ଏବଂ ତା’ର ନିରାକରଣ ଓ ସତର୍କତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ।

ବିଶେଷ କରି ମୋବାଇଲ୍ କୁ ଅଜଣା ଫୋନ୍ କଲ୍ ଆସିଲେ ଓଟିପି ନ ଦେବା,ୟୁ ପି ଆଇ ମାଧ୍ୟମରେ କାରବାର କଲାବେଳେ ସମ୍ପୂର୍ଣ୍ଣ ସାଵଧାନତା ଓ ସଚେତନତା ଅବଲମ୍ବନ କରିବା ଭଳି ବହୁବିଧ ସାଇବର ଠକେଇରୁ ସୁରକ୍ଷିତ ରହିବାର ବିଭିନ୍ନ ତରିକା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କଣ୍ଠ ସଂଗିତ,କୁଇଜ୍, ନ୍ରୃତ୍ୟ ପରିବେଷଣ ହୋଇଥିଲା ଏବଂ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମାଜସେବୀ ଅଭିଜିତ ବିଶ୍ବାଳ ଓ ପ୍ରଦ୍ୟୁମ୍ନ ରଞ୍ଜନ ସୁଆର ସକ୍ରିୟ ଭୂମିକା ଗ୍ରହଣ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଅଧ୍ୟାପିକା ଡଃ ସୁଭଦ୍ରା ଭୋଳ।

Exit mobile version