ଅବସର ସମୟର ବିନିଯୋଗ : ବିଜୟ କୁମାର ଜେନା

୩ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :->  ଜୀବନରେ ସେମିତି କିଛି ବଡ ପଦ ପଦବୀରେ ନିଜକୁ ଅବସ୍ଥାପିତ କରିନି। ଏକ ମାମୁଲି ଅଧ୍ୟାପକ ଭାବରେ କର୍ମ କ୍ଷେତ୍ରରୁ ଅବସର ନେଇଛି। ତା 31/03/2018ରିଖ ଦିନ ସେବା ନିବୃତ୍ତ ହୋଇ ଶାମୁକା ସାହି ରଣପୁର ବାସ ଭବନ ରେ ଅବସର ସମୟର ବିନିଯୋଗ କରୁଛି । ମୋ ଗୃହ ସାମନାରେ ଏକ ପ୍ରସିଦ୍ଧ ଶିବ ମନ୍ଦିର, ବାବା ସ୍ଵପ୍ନେଶ୍ୱର୍ ଦେବ।ନିକଟରେ ଶାମୁକା ପୁଷ୍କରିଣୀ । ପିଲାମାନେ ଯେ ଯାହାର କର୍ମ କ୍ଷେତ୍ରରେ ଅଛନ୍ତି । ଏବେ ଘରେ ଆମେ ଦୁଇ ଜଣ, ଦୁଇ ପ୍ରାଣୀ, ସ୍ଵାମୀ ଓ ସ୍ତ୍ରୀ, ଯୁଗ ଯୁଗାନ୍ତର ସାଥୀ। ବରିଷ୍ଠ ନାଗରିକ, ଉଭୟଙ୍କୁ 60ବର୍ଷ ପାର ହୋଇଗଲାଣି । ଗୋଡ଼ ହାତ ତ ଚଳ ପ୍ରଚଳ ଅଛି । ସ୍ୱାବଲମ୍ବନ ଚଳନୀ ରେ ଏ ପର୍ଯ୍ୟନ୍ତ କୌଣସି ସମସ୍ୟା ଆସିନି । ରାତି ପାହି ସକାଳ ହେଲେ ଦୁଇ ହାତ ଯୋଡ଼ି ବାବା ସ୍ୱପ୍ନେଶ୍ୱର ଙ୍କୁ ପ୍ରାର୍ଥନା କରେ ହେ ପ୍ରଭୁ ମୋ ମନରେ କାହାର ଅପକାର ଚିନ୍ତା ନ ଆସୁ ।

ରଣପୁର ମାଟିର ବାସ୍ନା ଟିକେ ନିଆରା। ଏଠି ଲୋକ ମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ର ସ୍ଵାଦ ବହୁତ ଭଲ। ସକାଳ ବୁଲାବୁଲି ସମୟରେ ସବୁ ବର୍ଗର ଲୋକଙ୍କ ସହ ଦେଖା ହୁଏ। ସ୍ଵଳ୍ପ ସମୟ ବେଳେ ବେଳେ ଚା ଖଟିରେ ବିତେ।ଲୋକେ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରନ୍ତି, ସେ ସବୁ ଶୁଣେ ଓ ଆଗକୁ ପାଦ ବଢାଏ। ସୂର୍ଯ୍ୟ ଉଦୟ ହୋଇ ନ ଥିବେ। ଆମ ରଣପୁର ର ମଣିନାଗ ପାହାଡ କେଡେ ସୁନ୍ଦର ଦିଶେ, ଉପର ମଣିନାଗ ର ସର୍ପିଳ ରାସ୍ତା ହାତ ଠାରି ଡାକେ। ସୂର୍ଯ୍ୟ ଙ୍କ ର ପହିଲି କିରଣ ମଇନାକ ଶିଖର ସ୍ପର୍ଶ କରେ। ସମଗ୍ର ଅଞ୍ଚଳ ଚଳ ଚଞ୍ଚଳ ହୁଏ ।

ପ୍ରାତଃ ଭ୍ରମଣ ସମୟରେ ମୁଁ ଭିନ୍ନ ସ୍ଥାନ ପସନ୍ଦ କରେ। ବେଳେ ବେଳେ ବାଘ ସାମନ୍ତ ପଡିଆ କୁ ଯାଏ। ଏକ ସୁନ୍ଦର ଓ ଦୀର୍ଘ ପଡିଆ। ଏହି ପଡ଼ିଆରେ ପ୍ରତିବର୍ଷ ରଣପୁର ମହୋତ୍ସବ ଅନୁଷ୍ଠିତ ହୁଏ। ବହୁ ଜନ ସମାଗମ ହୁଅନ୍ତି। ଏବେ ସକାଳ ହେଲେ ପଡ଼ିଆରେ ଆବାଳବୃଦ୍ଧ ବ୍ୟାୟାମ ପାଇଁ ଉପସ୍ଥିତ ହୁଅନ୍ତି। ହକି ଖେଳ ର ଉନ୍ନତି ପାଇଁ ଖେଳାଳି ମାନେ ଏହି ପଡିଆକୁ ପସନ୍ଦ କରନ୍ତି। ଅନେକ ସମୟରେ ରଣପୁର ଡିଗ୍ରୀ ମହାବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣ କୁ ମଧ୍ୟ ଯାଏ। ସେଠାର ମଧ୍ୟ ଖେଳାଳୀ ମାନଙ୍କ ଭିଡ଼ ଦେଖେ। ଏହି ପଡିଆ ର ଏପାଖ ସେପାଖ ଚାରି ଥର ଘୂରି ଆସିଲେ ଦେହରୁ ପରସ୍ତେ ଝାଳ ବୋହିଯାଏ। ନଚେତ୍ ମାଆ ମଣୀନାଗ ଙ୍କ ଆଡେ ବୁଲି ଗଲେ ସକାଳେ ବଡ ଶାନ୍ତି ଲାଗେ। ଜଣେ ମଧ୍ୟ ହାଟ ସାହି, ବ୍ଲକ, ସାନଗଡ, ଲାଖପଡ଼ା ଇତ୍ୟାଦି ସ୍ଥାନ କୁ ସକାଳ ଭ୍ରମଣ ସମୟରେ ପସନ୍ଦ କରି ପାରିବେ।

ସମୟ ସମୟରେ ମୁଁ ସକାଳ ବେଳା ଆଦର୍ଶ ବିଦ୍ୟା ମନ୍ଦିର, ଯାହା ଉପର ସଡ଼କ ମଝି ସ୍ଥଳରେ ଅବସ୍ଥିତ। ଏହି ଆଦର୍ଶ ବିଦ୍ୟା ମନ୍ଦିର 1992ମସିହା ସେପ୍ଟେମ୍ବର ମାସ 05 ତାରିଖ ଦିନ ପ୍ରତିଷ୍ଠା ହୋଇଥିଲା। ବହୁ କୃତୀ ଛାତ୍ର ଛାତ୍ରୀ ମାନେ ଏହି ଅନୁଷ୍ଠାନ ରେ ପାଠ ପଢି ନାମ ଓ ଯଶ ଅର୍ଜ୍ଜନ କରିବାରେ ଜୀବନକୁ ସାର୍ଥକ କରିଛନ୍ତି। କର୍ପୁର ଉଡ଼ି ଗଲେ ମଧ୍ୟ କନା ଏ ପର୍ଯ୍ୟନ୍ତ ପଡ଼ି ରହିଛି। ଏକ ସୁନ୍ଦର ବିଦ୍ୟାଳୟ, ସବୁଜ ବଳୟ ରେ ଅବସ୍ଥିତ ଓ ପ୍ରକୃତି ଏହାର ଶୋଭା ବର୍ଦ୍ଧନ କରିଛି। ଥରେ ଏହି ପରିସର ରେ ବୁଲି ଆସିଲେ ମନ ଓ ଦେହ ପୁରା ମାତ୍ରାରେ ସକ୍ଷମ ରହେ। ଏବେ ଶ୍ରୀ ରାଜକିଶୋର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହାର ପୁର୍ବ ଅବସ୍ଥା ଫେରି ପାଇବା ପାଇଁ ଚେଷ୍ଟା କରାଯାଉଛି।

ଶ୍ରୀ ରାଜକିଶୋର ପଟ୍ଟନାୟକ ନିଜେ ଏହାର ପ୍ରାଣ ପ୍ରତିଷ୍ଠାତା ସମ୍ପାଦକ ଓ ଏକ ମହତ କର୍ମରେ ଲିପ୍ତ ରହି ଏହି ଅନୁଷ୍ଠାନ କୁ ଆଗକୁ ବଢ଼ାଇବା ପାଇଁ ସବୁ ପ୍ରକାର ଉଦ୍ୟମ ବଲବତ୍ତର ରହିଛି। ପ୍ରତି ରବିବାର ଦିନ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ ଓ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଯୋଗଦାନ ପାଇଁ ଆହ୍ବାନ କରାଯାଉଛି। ଏଥି ପାଇଁ ଛାତ୍ର ଛାତ୍ରୀ ମାନେ ଆଗ୍ରହ ପ୍ରକାଶ କରି ଆସୁଛନ୍ତି। ସେହି ମାନଙ୍କ ମେଳରେ କିଛି ସମୟ ଅତିବାହିତ କରି ମୁଁ ମୋର ଅବସର ସମୟକୁ ଉପଭୋଗ କରୁଛି।

ମଣି ନାଗ ପାହାଡ ପଛ ପଟେ ସୂର୍ଯ୍ୟ ଲୁଚିଗଲେ ସନ୍ଧ୍ୟା ଆସେ । ସୁଲୁସୁଲୁ ପବନ ବହେ, ପକ୍ଷୀ ମାନେ ବସା କୁ ଫେରନ୍ତି, ଚାଷୀ ଭାଇ କ୍ଷେତରୁ ଫେରେ, ଧୀରେ ଧୀରେ ଅନ୍ଧାର ଆସେ । ତଳ ମଣି ନାଗ ପୀଠରେ ସନ୍ଧ୍ୟା ଆଳତି ହୁଏ । ଆମ ଜଗନ୍ନାଥ ମନ୍ଦିରରେ ଆଳତି ହୁଏ। ବଡ ମଠ, ଚୈତନ୍ୟ ମଠ, ନୃସିଂହ ମଠ ଇତ୍ୟାଦିରେ ସାନ୍ଧ୍ୟ ଆଳତି ଅନୁଷ୍ଠିତ ହୁଏ । ଥରେ ଯାଇ ଦେଖି ଆସିଲେ ମନରୁ ନକରାତ୍ମକ ଚିନ୍ତା କୁଆଡେ ଦୂରେଇ ଯାଏ । ବାର ମାସରେ ତେର ପରବ ଆମ ରଣପୁର ରେ ପାଳିତ ହୁଏ । ଜୀବନ ବଡ ସହଜ ମନେ ହୁଏ । 

Exit mobile version