
୧୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :- କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆ ଗଡ଼ ଗ୍ରାମର ପୂର୍ବତନ ସଭାପତି ଜତିନ୍ଦ୍ର ନାଥ ଶତପଥୀ ( କାଳିଆ ନନା ) ଙ୍କର ଆଜି ସକାଳେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ବର୍ଷ ଧରି ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ଗତ କିଛି ମାସ ଧରି ଅସୁସ୍ଥ ହୋଇ ପଡ଼ିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଆଜି ତାଙ୍କର ପରଲୋକ ଖବର ପ୍ରଚାରିତ ହେବା କ୍ଷଣି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନୂଆଗଡ଼ ବାସ ଭବନରେ ଲୋକଙ୍କ ଭିଡ଼ ଜମିଥିଲା । ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟିର ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ପୀତବାସ ମହାପାତ୍ର , ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀ, ସଂପାଦକ ସନ୍ତୋଷ ସାମନ୍ତରାୟ, ଶିଶିର କୁମାର ରାଉତରାୟ, କାର୍ଯ୍ୟକାରୀ ସଭାପତି ବିଜୟ କୁମାର ରାଉତରାୟ, ତ୍ରୌଲୋକ ପ୍ରଧାନ, ଉପସଭାପତି ଗଣେଶ ବରାଳ, ବିଜୟ କୁମାର ଜେନା, ସନ୍ତୋଷ କୁମାର ଲଜଙ୍କା, ଗ୍ରାମର ମହନ୍ତ, ଅଧିକାରୀ, କର୍ପୋରେଟର ଜନାର୍ଦ୍ଦନ ପରିଡା ଯୁବକ ସଂଘର ସମସ୍ତ ସଦସ୍ୟ,
ଗ୍ରାମ ଉନ୍ନୟନ କମିଟିର ସମସ୍ତ ସଦସ୍ୟ, ସ୍ୱର୍ଗତ ଜତିନ୍ଦ୍ର ନାଥ ଶତପଥୀଙ୍କୁ ଶେଷ ଦର୍ଶନ କରି , ତାଙ୍କ ମରଶରୀରେ ପୁଷ୍ପ ଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କର ଇଛା ଥିଲା ମୃତ୍ୟୁ ବେଳକୁ ନିଜ ଗ୍ରାମ ମଶାଣୀରେ ଶେଷକୃତ୍ୟ ସଂପୂର୍ଣ୍ଣ କରିବା ପାଇଁ । ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗାଁ ମଶାଣୀକୁ ନିଆ ଯାଇଥିଲା । ସେଠାରେ ତାଙ୍କର ଜ୍ୟେଷ୍ଠ ପୁତ୍ର ବ୍ରଜବନ୍ଧୁ ଶତପଥୀ ମୁଖାଅଗ୍ନି ଦେଇଥିଲେ । କାଳିଆ ନନାଙ୍କ ବିୟୋଗରେ ନୂଆଗଡ଼ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

