ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ ଯଥାର୍ଥରେ ସେ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ

୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଅକେଫାବର ୦୯, ୨୦୨୩ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ ଥିଲା ଏ ଜାତିର ଏକ ଜୀବନ୍ତ ଇତିହାସ । ନିର୍ଭୀକତା, ମାନବିକତା, ସ୍ୱାଭିମାନ ଓ ସ୍ୱାର୍ଥତ୍ୟାଗ ଆଦି ସୁଗୁଣ ଗୋପବନ୍ଧୁଙ୍କର ଜୀବନାଦର୍ଶ ଥିଲା । ଜାତୀୟ ଜୀବନଯାତ୍ରାରେ ନିଜକୁ ତିଳ ତିଳ କରି ବଳି ଦେବା ପାଇଁ ସେ ବଦ୍ଧପରିକର ଥିଲେ । ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ଇତିହାସ ସହ ନିବିଡ଼ ଭାବେ ଯୋଡ଼ି ହୋଇ ରହିଥିବା ଋଷିପ୍ରାଣ ଗୋବନ୍ଧୁଙ୍କ ଜୀବନ ଥିଲା ସେବା ଓ ତ୍ୟାଗର ଏକ ଅନିର୍ବାଣ ଯଜ୍ଞ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଉତ୍କଳମଣି ଗୋପବନ୍ଧୁଙ୍କର ଉତ୍ସର୍ଗୀକୃତ ଜନସେବା, ତ୍ୟାଗ ଓ ତିତିକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ ।

ରାଜନୀତି, ସାମ୍ବାଦିକତା, ସମାଜସେବା ଏବଂ ସାହିତ୍ୟ ସାଧନା ଆଦି ପ୍ରତି କ୍ଷେତ୍ରରେ ସେ ଅଲିଭା ସ୍ୱାକ୍ଷର ଛାଡ଼ି ଯାଇଛନ୍ତି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ର ଯୋଗଦେଇ କହିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାର ସମ୍ମାନ ବୃଦ୍ଧି, ଦାରିଦ୍ର୍ୟର ବିନାଶ ଓ ଶିକ୍ଷାର ପ୍ରସାର ପାଇଁ ସର୍ବଦା ସଂଗ୍ରାମ ଜାରି ରଖିଥିଲେ । ସେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ଓ ଅହିଂସାକୁ ପାଥେୟ କରି ତାଙ୍କ ଜୀବନ ପଥରେ ଅଗ୍ରସର ହୋଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଧର୍ମପ୍ରାଣ, ତାଙ୍କ ପାଇଁ ଧର୍ମର ସ୍ୱରୂପ ଥିଲା ମାନବିକତା ।

ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା ନିମନ୍ତେ ସେ ସକି୍ରୟତାର ସହ କାର୍ଯ୍ୟ କରିଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯଥାର୍ଥରେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଥିଲେ ବୋଲି ସେ କହିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି କହିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପାଇଁ ରାଜନୀତି ଥିଲା ସେବା ଓ ତ୍ୟାଗ ବଳରେ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ନିରବଚ୍ଛିନ୍ନ ସଂଗ୍ରାମ । ପ୍ରାରମ୍ଭରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ଆଶାମୁକୁଳ ବାରିକ ଓ ସାଥି କଳାକାରମାନଙ୍କ ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ରଚନାରୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ହୋଇଥିଲା । ପୂର୍ବାହ୍ନରେ ଭୁବନେଶ୍ୱର ୟୁନିଟ୍‌ – ୮ ସ୍ଥିତ ଗୋପବନ୍ଧୁ ଛକ ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Exit mobile version