ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ଆଜି ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ର ଶୁଭାରମ୍ଭ ହୋଇଯାଇଛି । ଏହି ସମାରୋହର ପ୍ରଥମ ଦିବସରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଆଡମା ରାବା ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗ ଦେଇଥିଲେ ।

ଅତିଥିମାନେ ବରିଷ୍ଠ ନାଗରିକ ମାନଙ୍କର ଅଧିକାର ପ୍ରତି ସଚେତନତା କରାଇବା ସହ ସେମାନଙ୍କ ସହ ସମ୍ବେଦନଶୀଳ ହେବା ପାଇଁ ଆହ୍ବାନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନିର୍ମଳ ଧାରୁଆ ସ୍ଵାଗତ ଭାଷଣ ପ୍ରଦାନ କରି ବିଭାଗ ଦ୍ବାରା ପ୍ରଦତ୍ତ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ, ପ୍ରଫୁଲ୍ଲ ଭୁଜବଳ, ପୂର୍ବତନ ସାମାଜିକ ସୁରକ୍ଷା ଅଧିକାରୀ, ପଦ୍ମରଞ୍ଜନ ଦାସ, ପୂର୍ବତନ ଉପ ଜିଲ୍ଲାପାଳ, ରତିକୃଷ୍ଣ ପାତ୍ର, ପୂର୍ବତନ ଶିକ୍ଷାବିତ, ରବୀନ୍ଦ୍ରନାଥ ମହାରଣା, ପ୍ରଫେସର ନୀଳମାଧବ ବେହେରା, ଡ଼ା ଦୁର୍ଗା ପ୍ରସାଦ ରାଜ,

ଦୁର୍ଗା ପ୍ରସାଦ ତ୍ରିପାଠୀ ଓ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ, ଲିଙ୍ଗରାଜ ମିଶ୍ର ମଞ୍ଚାସିନ ଥିଲେ । ବରିଷ୍ଠ ନାଗରିକ ସମାରୋହରେ ପ୍ରଥମେ ସମସ୍ତ ବରିଷ୍ଠ ନାଗରିକଙ୍କ ପଞ୍ଜିକରଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ତିନିଜଣ ବରିଷ୍ଠ ନାଗରିକ ଶିବ ପ୍ରସାଦ ପାତ୍ର, ଅବସରପ୍ରାପ୍ତ ବନ ବିଭାଗୀୟ କର୍ମଚାରୀ, ନବ କିଶୋର ସାହୁ, ଅବସରପ୍ରାପ୍ତ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କର୍ମଚାରୀ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉପଢୌକନ ପ୍ରଦାନ ପୂର୍ବକ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।

ମଧ୍ୟାହ୍ନ ଭୋଜନ ପରେ ସମସ୍ତ ବରିଷ୍ଠ ନାଗରିକ ଙ୍କ ମଧ୍ୟରେ ମ୍ୟୁଜିକାଲ ଚେୟାର ଏବଂ ହାଣ୍ଡି ଭଙ୍ଗା ପ୍ରତିଯୋଗିତା ହୋଇଥିଲା । ଅପରାହ୍ନରେ ବ୍ରହ୍ମ କୁମାରୀ ସେବା ସଂଗଠନ ଦ୍ଵାରା ଧାର୍ମିକ ଏବଂ ପ୍ରେରଣା ଦାୟକ ଉଦବୋଧନ ଦିଆଯାଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତ ରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ରାଜୀବ ପୂଜାରୀ, ବିଭିନ୍ନ ବ୍ଲକ ଏବଂ ପୌର ପରିଷଦ ର ବରିଷ୍ଠ ନାଗରିକ ସାମାଜିକ ସୁରକ୍ଷା ବିଭାଗ ଓ ସ୍ଵାସ୍ଥ୍ୟ ବିଭାଗର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ପରିଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପ୍ରମିଳା ମାଝି ମଞ୍ଚ ପରିଚାଳନା କରିଥିଲେ ।

Exit mobile version