ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ.ଭାଲିଆସାହିଠାରେ “ସ୍ୱଚ୍ଛତା ହିଁ ସେବା” ଦିବସ ପାଳିତ

୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଅକ୍ଟୋବର 2 ତାରିଖ ଦିନ ସାରା ଭାରତବର୍ଷରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଉତ୍ସର୍ଗ କରି ଜନସାଧାରଣଙ୍କୁ ସ୍ୱଚ୍ଛତାର ଭୂମିକା ବିଷୟରେ ଜାଗୃତ କରାଇବା ପାଇଁ “ସ୍ୱଚ୍ଛତା ଦିବସ” ପାଳନ କରାଯାଉଅଛି l ଏହି ଉପଲକ୍ଷେ ଓସେପା ଓ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶକ୍ରମେ ଅଦ୍ୟ ତା 01/10/2023 ରିଖ ରବିବାର ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ. ଭାଲିଆସାହିଠାରେ “ସ୍ୱଚ୍ଛତା ହିଁ ସେବା ” ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକଶିକ୍ଷୟତ୍ରୀ, SMC ମୁଖ୍ୟ ସାଧୁ ଚରଣ ଦଣ୍ଡସେନା ଓ କମିଟିର ଅନ୍ୟ ସଦସ୍ୟମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l

ଏଥି ଅବସରରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ନିର୍ଦେଶରେ ବିଦ୍ୟାଳୟର ସମସ୍ତେ ସ୍ୱଚ୍ଛତା ଉଦ୍ଦେଶ୍ୟରେ ଶପଥପାଠ କରିବା ସହ ପରିବେଶ ପରିଚ୍ଛନ୍ନତା ପ୍ରତି ସଚେତନ ହୋଇଥିଲେ l ପ୍ରଧାନଶିକ୍ଷକ ଓ SMC ମୁଖ୍ୟ ସ୍ୱଚ୍ଛତା ବିଷୟରେ ବିଶଦ ଭାବରେ ଛାତ୍ରଛାତ୍ରୀମାନଙ୍କୁ ବର୍ଣ୍ଣନା କରିବା ସହ ସେମାନଙ୍କ ମଧ୍ୟରେ ପରିବେଶର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥିଲେ l ଏହା ପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଶିକ୍ଷୟତ୍ରୀମାନେ ଦୃଢତାର ସହ ଅଙ୍ଗୀକାରବଦ୍ଧ ହୋଇ ବିଦ୍ୟାଳୟ ଓ ହଷ୍ଟେଲ ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର କରିଥିଲେ l

ବିଦ୍ୟାଳୟ ପରିବେଶକୁ ସ୍ୱଚ୍ଛ କରିବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ମାନେ ଗ୍ରାମର ଯୁବସମାଜର ସହାୟତାରେ ବାଜା ବଜେଇ ପରିକ୍ରମା କରି ଗ୍ରାମର ପରିବେଶକୁ ମଧ୍ୟ ପରିଷ୍କାର କରି ଲୋକମାନଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରାଇବା ସହ ଏହି ବହୁମୂଲ୍ୟ କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିଥିଲେ l ବିଦ୍ୟାଳୟ ଓ ଗ୍ରାମର ପରିବେଶକୁ ସ୍ୱଚ୍ଛତା ଉପଲକ୍ଷେ ପରିଷ୍କାର କରି “ସ୍ୱଚ୍ଛ ଭାରତ” ଗଠନ ଦିଗରେ ନିଜକୁ ସାମିଲ କରିପାରିଥିବାରୁ ବିଦ୍ୟାଳୟର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀଗଣ ନିଜକୁ ଗର୍ବ ଅନୁଭବ କରିଥିଲେ l “ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ” ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା l

Exit mobile version