ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ଏଲିମେଣ୍ଟାରୀ ଶିକ୍ଷକ ସଂଘ

୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର   :->  ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ଡ଼ାକରାରେ ଏଲିମେଣ୍ଟାରୀ ବିଦ୍ୟାଳୟମାନଙ୍କରୁ ଠିକା ନିଯୁକ୍ତି ଉଚ୍ଛେଦ, ଏଲିମେଣ୍ଟାରୀ ବିଦ୍ୟାଳୟରେ ଅଦ୍ୟାବଧି ନିଯୁକ୍ତି ସମସ୍ତ ଶିକ୍ଷକମାନଙ୍କୁ ମୂଳ ନିଯୁକ୍ତି ଠାରୁ କାର୍ଯ୍ୟକାଳକୁ ଗଣନା କରି ସ୍ଥାୟୀ କରାଯାଇ ପଦୋନ୍ନତି, ଗ୍ରାଚୁଇଟି ତଥା ସମସ୍ତ ସରକାରୀ ସୁବିଧା ପ୍ରଦାନ, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଦୀର୍ଘ ୧୭ ବର୍ଷ ଧଣି କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀମାନଙ୍କର ଚାକିରି ସ୍ଥାୟୀ କରି, ଚାକିରି ସର୍ତ୍ତାବଳୀ ପ୍ରଦାନ, ୨୦୦୧ ମସିହାରୁ ଡି.ପି.ଇ.ପି-୧ରେ ନିଯୁକ୍ତ ପାରା ଶିକ୍ଷକମାନଙ୍କୁ ୨୦୦୯ ମସିହା ଠାରୁ କନିଷ୍ଠ ଶିକ୍ଷକ ଭାବେ ଗଣନା କରି ଏଲିମେଣ୍ଟାରୀ ଶିକ୍ଷକର ମାନ୍ୟତା ପ୍ରଦାନ, ଉଚ୍ଚ ଯୋଗ୍ୟତାଧାରୀ ଏଲିମେଣ୍ଟାରୀ ଶିକ୍ଷକ (ବି.ଇଡି/ଏମ୍‌.ଇଡି) ମାନଙ୍କୁ ବିଭାଗୀୟ ପରୀକ୍ଷା ଜରିଆରେ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପଦୋନ୍ନତି ଏବଂ ପୁରୁଣା ପେନସନ ପୁନଃ ପ୍ରଚଳନ ଆଦି ୭ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଶହ ଶହ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ଯୋଗ ଦେଇଥିଲେ ।

ସଂଘର ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହିତ ଦାବି ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ସଂଘର ଦାବିଗୁଡ଼ିକ ଯୁକ୍ତିଯୁକ୍ତ ଏବଂ ସରକାର ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଲା ପରେ ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଲା ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରବୀଣ କୁମାର ଦାସ ସୂଚନା ଦେଇଛନ୍ତି । ଆଜିର ଏହି ଆନ୍ଦୋଳନରେ ବିଭିନ୍ନ ଶିକ୍ଷକ ସଂଗଠନ, ଶିକ୍ଷକ ମହାସଂଘ, ଛାତ୍ର ସଂଗଠନ, ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ ଯୋଗ ଦେଇଥିଲେ ।

ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଉପଦେଷ୍ଟା ତଥା ବିଶ୍ୱ ଶିକ୍ଷକ ସଂଗଠନର ସଭାପତି ଡଃ ଅମୀୟ କୁମାର ମହାନ୍ତି, ସିପିଆଇ ରାଜ୍ୟ ସମ୍ପାଦକ ଶ୍ରୀ ଅଭୟ କୁମାର ସାହୁ, ଯୁଗ୍ମ ସମ୍ପାଦକ ବୃନ୍ଦାବନ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ନାୟକ, ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ସଭାପତି ଧନଞ୍ଜୟ ନାୟକ, ଯୁଗ୍ମ ସମ୍ପାଦକ ପ୍ରିୟମ୍ବଦା ଆଚାର୍ଯ୍ୟ, ପ୍ର୍ରିୟତମା ଜେନା, ବାସୁଦେବ ମଳିକ, ସଲିଳ କୁମାର ପଟ୍ଟନାୟକ, ନର୍ମଦା ରାଉତ, ହେମନ୍ତ କୁମାର ସିଂ, ସୁରେଶ କୁମାର ଲିମା, ଦୁର୍ଯ୍ୟୋଧନ ପରିଡ଼ା, ଜିତେନ୍ଦ୍ର କୁମାର ନାୟକ, ବିଧୁଭୂଷଣ ପଟ୍ଟନାୟକ, ମଙ୍ଗୁଳି ଚରଣ ପରିଡ଼ା, ପ୍ରଶାନ୍ତ କୁମାର ଚୌଧୁରୀ, ପ୍ରେମ କୁମାର ଲାବଲା, ନାଟୁ ଗୋପାଲ, ମୀନା ପଣ୍ଡା, ଅନୁସୟା ସାମଲ, ପ୍ରଭାତୀ ଶ୍ରୀଚନ୍ଦନ, ସବିତା ମହାନ୍ତି, ଅଜୟ କୁମାର ଜେନା, ଅରକ୍ଷିତ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version