ପୁଣି ମିଲେଟ୍ ସହିତ ବଞ୍ଚିବାର ତରିକା ବତେଇଲା ଓଡ଼ିଶା ମିଲେଟ୍ସ ମିଶନର ମିଲେଟ ଫୁଡ୍ ଫେଷ୍ଟିଭାଲ

୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->ଓଡ଼ିଶା ମିଲେଟ୍ସ ମିଶନ (ଓ.ଏମ୍‌.ଏମ୍‌) ଏବଂ ରେଷ୍ଟୁରାଣ୍ଟ  ଆସୋସିଏସନ ଅଫ୍ ଓଡ଼ିଶା ର ମିଳିତ ପ୍ରୟାସରେ ସେପ୍ଟେମ୍ବର ୨୪ ତାରିଖରେ ଭୁବନେଶ୍ୱରସ୍ଥିତ କଳାଭୂମିଠାରେ ଏକ ଦିନିକିଆ ମିଲେଟ୍ ଫୁଡ୍ ଫେଷ୍ଟିଭାଲ ଆୟୋଜିତ ହୋଇଯାଇଛି, ଯେଉଁଠି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବହୁ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ  ବିଭିନ୍ନ ପ୍ରକାରର ମିଲେଟ୍‌କୁ ବ୍ୟବହାର କରାଯାଇ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ପରିଦର୍ଶକମାନଙ୍କ ସାମ୍ନାରେ ପରିବେଷଣ କରିଛନ୍ତି । ମିଲେଟ୍ସକୁ ଲୋକଲୋଚନକୁ ଆଣିବା ପାଇଁ ଓଡ଼ିଶା ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ ତାହାର ଏକ ସୁମହତ ପଦକ୍ଷେପ ହେଉଛି ଓଡ଼ିଶା ମିଲେଟ୍ସ ମିଶନ ।

ମିଲେଟ୍ସକୁ ଚାଷଜମିରୁ ଆଣି ଖାଦ୍ୟଥାଳିରେ ପହଞ୍ଚାଇବା ଲାଗି ଓଡ଼ିଶା ମିଲେଟ୍ସ ମିଶନ୍ ଖୁବ୍ ସକ୍ରିୟ ଭାବରେ ସମଗ୍ର ରାଜ୍ୟରେ ମିଲେଟ୍ସକୁ ପ୍ରୋତ୍ସାହିତ କରୁଛି ଏବଂ ଏଥିରେ ରେଷ୍ଟୁରାଣ୍ଟ  ଆସୋସିଏସନ ଅଫ୍ ଓଡ଼ିଶା ର ସହଯୋଗକୁ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବିବେଚନା କରାଯାଉଛି । ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟ ର ସେଫ୍‌ମାନଙ୍କ ଲାଗି ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ କିପରି ମିଲେଟ୍ ଡିସ୍ ପ୍ରସ୍ତୁତ କରାଯିବ ତାହାକୁ ନେଇ ତାଲିମ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କୃଷି ବିଭାଗର ମୁଖ୍ୟ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରି କହିଥିଲେ, ମିଲେଟ୍ସରୁ ନୂଆନୂଆ ଡିସ୍ ପ୍ରସ୍ତୁତ କରିବା ତଥା ଏହାକୁ ଅଧିକରୁ ଅଧିକ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ୍ ସବୁବେଳେ ରେଷ୍ଟୁରାଣ୍ଟ ଆସୋସିଏସନ୍‌ର ସହଯୋଗ ଲୋଡୁଛି ।

 

ସେପ୍ଟେମ୍ବର ୨୪ ତାରିଖରେ ଆୟୋଜିତ ମିଲେଟ ଫୁଡ୍ ଫେଷ୍ଟିଭାଲ ଏକ ଦିନିକିଆ କାର୍ଯ୍ୟକ୍ରମ ଥିବା ବେଳେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ରହିଥିଲା । ଏଥିରେ ଯୋଗ ଦେଇ ସାଧାରଣ ଜନତା ମିଲେଟ୍ ଆଧାରିତ ରୋଷେଇ ତଥା ଖାଦ୍ୟ ସମ୍ପର୍କରେ ଅନେକ ରୋଚକ ଅନୁଭୂତି ହାସଲ କରିପାରିଥିଲେ । ଓଡ଼ିଶାର ଖ୍ୟାତନାମା ରେଷ୍ଟୁରାଣ୍ଟ ଗୁଡ଼ିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ଲୋକମାନଙ୍କୁ ବିଭିନ୍ନ ସ୍ୱାଦିଷ୍ଟ ତଥା ଅନନ୍ୟ ରେସିପି ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ ଏବଂ ମିଲେଟ୍ସ ସମ୍ପର୍କରେ ବିଭିନ୍ନ କଥା ପଚାରି ବୁଝିଥିଲେ ।

ଏହି ମିଲେଟ୍ ଫୁଡ୍ ଫେଷ୍ଟିଭାଲରେ ଯୋଗ ଦେଇଥିବା ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଙ୍କ ମଧ୍ୟରେ ମାଇକେଲ୍ସ କିଚେନ, ଓବରାଇ କାଫେ, ଗ୍ରୀନ ଚିଲି, ବୁକା କାଫେ ଏବଂ ଓଡ଼ିଶା ହୋଟେଲ ଥିଲେ ଅନ୍ୟତମ । ଭୁବନେଶ୍ୱର ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଖୋଲା ଯାଇଥିବା ମିଲେଟ୍ ଶକ୍ତି ଷ୍ଟଲରୁ ପରିଦର୍ଶକମାନେ ନିଜନିଜର ପ୍ରିୟ ମିଲେଟ୍‌-ପସ୍ତୁତ ଖାଦ୍ୟ ସାମଗ୍ରୀ କିଣିଥିଲେ । ଏହି ଫୁଡ୍ ଫେଷ୍ଟିଭାଲରେ ଶିବାଙ୍ଗୀ ସଙ୍ଗୀତା, ଭୂମିକା ଦାସ, ଦିବ୍ୟାଦିଶା ମହାନ୍ତି ପ୍ରମୁଖ ଓଡ଼ିଶାର ଆଗଧାଡ଼ିର ଅଭିନେତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଯୁବପିଢ଼ିଙ୍କୁ ମିଲେଟ୍‌ରୁ ପସ୍ତୁତ ଖାଦ୍ୟର ଏକ ଅଂଶ ହେବାକୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ମିଲେଟର ଉପକାରୀ ଗୁଣ ସମ୍ପର୍କରେ ସଚେତନ କରାଇଛି ।

Exit mobile version