ଶଶ୍ମାନ ସ୍ଥଳରୁ ନରକଙ୍କାଳ ଠାବ : ସାଇଣ୍ଟଫିକ୍ ଟିମ୍‌ ଓ ପୋଲିସର ଛାନଭିନ – ହିଞ୍ଜିଳିକାଟୁ

ସ୍କୁଟି, ମୋବାଇଲ, ପରିଧାନ ସାମଗ୍ରୀ ଜବତ : ସଂଘବଦ୍ଧ ଭାବେ ହତ୍ୟା ସନ୍ଦେହ..!!

୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ହିଞ୍ଜିଳି ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକାର ଘଟଣା ଘଟିଛି। ମହୁଲପଲ୍ଲୀ ଗ୍ରାମ ହରିଜନ ଶ୍ମଶାନ ସ୍ଥଳରୁ ଏକ ନରକଙ୍କାଳକୁ ଠାବ କରାଯାଇଛି।ନରକଙ୍କାଳର କିଛି ମିଟର ଦୂରତାରେ ଏକ ସ୍କୁଟି,ମୋବାଇଲ ଫୋନ, ଜିନ ପ୍ୟାଣ୍ଟ,ଏକ ଗାମୁଛା ଆଦି ବ୍ୟବହୃତ ସାମଗ୍ରୀ ପଡିଥିବା ଦେଖାଯାଇଛି।ଦୀର୍ଘ ସମୟ ଧରି ଶବଟି ପଚିସଢ଼ି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଫଳରେ ତାହା ବିଲୁଆ ଓ କୁକୁରଙ୍କ ଆହାର ହୋଇଥିବା ଜଣାପଡିଛି।ଦୀର୍ଘ ୯ ଦିନ ତଳୁ ଗୋଳନ୍ଥରା ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ଯୁବକଙ୍କ ପରିବାର ଲୋକେ ଶନିବାର ସନ୍ଧ୍ୟା ସମୟରେ ହିଞ୍ଜିଳିଥାନା ମହୁଲପଲ୍ଲୀ ଗ୍ରାମ ହରିଜନ ଶ୍ମଶାନ ସ୍ଥଳରୁ ନର କଙ୍କାଳ ସହ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ଠାବ କରିଥିଲେ।

ହିଞ୍ଜିଳି ପୋଲିସକୁ ପରିବାର ଲୋକେ ରବିବାର ଖବର ଦେବା ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ପୋଲିସ ପହଞ୍ଚି ନର କଙ୍କାଳ ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି। ବ୍ୟବଚ୍ଛେଦ ଓ ଡିଏନଏ ପରୀକ୍ଷା ରିପୋର୍ଟ ନିମନ୍ତେ ନରକଙ୍କାଳକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇବା ସହ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରୀ ରଖି ଛାନଭିନ ଚଳାଇଛି । ନରକଙ୍କାଳର ପ୍ରକୃତ ପରିଚୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣା ପଡ଼ି ନ ଥିଲା ବେଳେ ଡାକ୍ତରୀ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି ।

ଅନ୍ୟ ପକ୍ଷରେ ନିଖୋଜ ଏତଲା ଦେଇଥିବା ମହିଳା ଜଣକ ସ୍କୁଟି, ମୋବାଇଲ ଓ ପରିଧାନ ସାମଗ୍ରୀକୁ ଦେଖି ନରକଙ୍କାଳଟି ତାଙ୍କ ସ୍ୱାମୀଙ୍କ ହୋଇ ଥାଇପରେ ବୋଲି ଆଶଙ୍କା କରିଛନ୍ତି।ମହିଳାଙ୍କ ଅଭିଯୋଗ ପ୍ରକାରେ ଯୁବକ ଜଣଙ୍କ ଗୋଳନ୍ଥରା ଥାନା ପଦ୍ମପୁର ଗ୍ରାମର ପ୍ରତାପ ଦାସ(୩୫) ବୋଲି ପୁଲିସ ଅନୁମାନ କରୁଛି । ପ୍ରତାପଙ୍କ ଭାଇ କାର୍ତ୍ତିକ ଦାସଙ୍କ ଅଭିଯୋଗ ପ୍ରକାରେ ହିଞ୍ଜିଳି ଥାନାରେ କେସ ନଂ- ୨୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ, ଗୋଳନ୍ଥରା ଥାନା ପଦ୍ମପୁର ଗ୍ରାମର ପ୍ରତାପ ଦାସ(୩୪) ଗତ ୧୪ ତାରିଖ ଠାରୁ ନିଖୋଜ ଥିବା ନେଇ ୧୭ ତାରିଖରେ ସ୍ତ୍ରୀ ରୁନୁ ଦାସ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ । ପ୍ରାୟ ୧୦ ଦିନ ଧରି ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ ନିଖୋଜ ପ୍ରତାପଙ୍କ ସନ୍ଧାନ ପାଇପାରି ନ ଥିଲେ । ଶନିବାର ସନ୍ଧ୍ୟାରେ ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ହରିଜନ ଶଶ୍ମାନ ସ୍ଥଳରେ ରୁନୁଙ୍କ ଭାଇର ସ୍କୁଟିକୁ ଦେଖିଥିଲେ । ସନ୍ଦେହ କରି ଶଶ୍ମାନ ଭିତରକୁ ଯିବା ବେଳେ ଏକ ଗଛରେ ଗାମୁଛା ବନ୍ଧା ହୋଇଥିବା ବେଳେ ଗଛ ନିକଟରେ ଯୁବକଙ୍କ ପିନ୍ଧା ଜିନ ପ୍ୟାଣ୍ଟ ଓ ମୋବାଇଲ ଫୋନ ପଡିଥିବା ଦେଖିବାକୁ ପାଇଥିଲେ । ଗଛ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ନରକଙ୍କାଳ ପଡିଥିବା ଦେଖି ପରିବାର ଲୋକେ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ ।

ଖବର ପାଇ ହିଞ୍ଜିଳି ପୁଲିସ ଶନିବାର ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରି ଫେରିଥିଲେ । ରବିବାର ସକାଳେ ହିଞ୍ଜିଳି ପୁଲିସ ଓ ସାଇଣ୍ଟଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଗଛରେ ବନ୍ଧା ହୋଇଥିବା ଗାମୁଛା ସହ ଏଣେ ତେଣେ ପଡିଥିବା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଓ କଙ୍କାଳକୁ ଜବତ କରିଥିଲେ। ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଥିବା ବେଳେ ପାରିପାର୍ଶିକ ସ୍ଥିତିରୁ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ଏଭଳି ନକ୍ସା ପ୍ରସ୍ତୁତ କରି ଥାଇପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।ସବୁଠାରୁ ଆଉଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଲା ସ୍ଥାନୀୟ ଗ୍ରାମର ଶ୍ମଶାନ ନିକଟରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଥିଲା ବେଳେ ଗ୍ରାମର କେହି ବି ଜଣେ କିପରି ସାମାନ୍ୟତମ ସୂଚନା ଜାଣି ପାରିଲେ ନାହିଁ ତାହା ଉଦ୍ଧାର ହୋଇଥିବା ନରକଙ୍କାଳ ଘଟଣାରୁ ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ, ଗତ କିଛି ବର୍ଷ ତଳେ ହିଞ୍ଜିଳି ଥାନା ଅଞ୍ଚଳରେ ଏଭଳି ୪ଟି ସମ୍ବେଦନଶୀଳ ଘଟଣା ଘଟିଥିଲା।ସ୍ଥାନୀୟ ଥାନାର କଣ୍ଟାଇକୋଳି ଧାନ କିଆରିରୁ ଏଭଳି ଏକ ନରକଙ୍କାଳକୁ ପୋଲିସ ଜବତ କରିଥିବା ବେଳେ ସୋମପୁର ନିକଟରେ ଥିବା ଘୋଡେ଼ଇଶୁଣି ପାହାଡ଼ତଳେ ଥିବା ଲଟାବୁଡା ଭିତରୁ ଜଣେ ଯୁବକଙ୍କ ପଚାସଢା ଗଳିତ ଶବକୁ ପୋଲିସ ଉଦ୍ଧାର କରିଥିଲା ବେଳେ ଏକ କୁକୁଡ଼ା ଫାର୍ମରେ ଜଣେ ଆଇଟିଆଇ ଛାତ୍ରର ରାହସ୍ୟଜନକ ମୃତ୍ୟୁ ହୋଇଥିଲା।ପୁଣି ସ୍ଥାନୀୟ ଥାନାର ବଳରାମ ପୁର ଗ୍ରାମର ଏକ କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ପୋଖରୀ କୂଳରୁ ମଣିଷ ଖପୁରୀ,ହାଡ଼ ଆଦି ଜବତ ହୋଇ ପୋଲିସ ତଦନ୍ତ କରିଥିଲା ତଦନ୍ତ ଫାଇଲର ଫର୍ଦ୍ଦ ଭିତରେ ଘଟଣାର ସତ୍ୟତା ଅଦ୍ୟାବଧି ଉନ୍ମୋଚିତ ହୋଇ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Exit mobile version