ଆମ ରଣପୁର ହାଲଚାଲ

ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା ; ଶାମୁକା ସାହି ରଣପୁର ନୟାଗଡ଼

୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ରଣପୁର  :-> ଚଳିତ ସେପ୍ଟେମ୍ବର ମାସ ତା ୨୧/୦୯/୨୦୨୩ ରିଖ ଗୁରୁବାର ଦିନ ଷଠୀ ଓଷା ବ୍ରତ ପାଳିତ ହୋଇ ସାରିଛି। ସେହି ଦିନ ମାଆ ମାନେ ତାଙ୍କ ଶିଶୁ ମାନଙ୍କ ପାଇଁ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ଷଠୀ ଓଷା ବ୍ରତ ର ଉଦଯାପନ ପରେ ମାଆ ମାନେ ସେମାନଙ୍କ ପିଲାଙ୍କୁ ବଜ୍ରମୂଳି ଗଛରେ ବାଡାନ୍ତି। ମାଆ ମାନେ ପିଲା ମାନଙ୍କୁ ବଜ୍ରମୁଳି ଗଛରେ ସାତ ଥର ପିଟିବା ପରେ ଷଠୀ ମାଆକୁ ପିନ୍ଧା ଯାଇଥିବା ହଳଦୀ ଭିଜା କନାକୁ ଚିରି ସେମାନଙ୍କ ବେକରେ ବାନ୍ଧି ଦେଇ ଥାନ୍ତି। ବିଶ୍ୱାସ ରହିଛି ଯେ ବ୍ରଜମୁଳିରେ ପିଲାଙ୍କୁ ମାରିଲେ ସେମାନଙ୍କ ଦେହ ସୁସ୍ଥ ରହିବା ସହ ବଜ୍ର ଭଳି କଠିନ ହେବ। ଏହା ଛଡା କୌଣସି ଅଶୁଭ ଶକ୍ତି ପିଲା ମାନଙ୍କ ଦେହରେ ପ୍ରବେଶ କରି ପାରିବ ନାହିଁ ବୋଲି ମାଆ ମାନେ ଗଭୀର ବିଶ୍ୱାସ କରନ୍ତି ।

ସକାଳୁ ସକାଳୁ ଗୃହିଣୀ ମାନେ ବିଭିନ୍ନ ସ୍ଥାନରୁ ବଣ ସାରୁ ଓ ବ୍ରଜମୂଳି ଗଛ, ଦୁବ ବରକୋଳି ପତ୍ର, ଫୁଲ ଆଦି ସଂଗ୍ରହ କରି ଥାନ୍ତି। ଘରେ ଥିବା ଶିଳ ଓ ଶିଳପୁଆକୁ ଧୋଇ ସଫା କରନ୍ତି। ଏହି ଶିଳ ପୁଆରେ ହଳଦୀ ଲେପି ୬ଖଣ୍ଡ ହଳଦୀ କନା ଗୁଡ଼ାଇ କୌଡ଼ିରେ ମଥା ଚିତା, ଦୁଇ ଆଖି ଓ ପାଟି ପ୍ରସ୍ତୁତ କରି ଷଠୀ ଦେବୀ ଭାବରେ ପୂଜା ବେଦୀରେ ସ୍ଥାପନା କରନ୍ତି। ବେଦୀରେ ଚିତା ପକାଇବା ପରେ ଷଠୀ ବୁଢ଼ୀ ମାଆ ଙ୍କ ପାଖରେ ବଜ୍ରମୂଳି ଓ ବଣ ସାରୁ ଗଛ ରଖନ୍ତି। ପରେ ପ୍ରସ୍ତୁତ ହୋଇଥିବା ୬ତରକାରୀ ଓ ୬ପିଠାକୁ ମାଆ ଙ୍କୁ ସମର୍ପଣ କରି ପୂଜା କରନ୍ତି। ସନ୍ଧ୍ୟାରେ ମାଆ ଙ୍କୁ ବନ୍ଦାପନା କରାଯାଇ ଓଷା ସମାପ୍ତ ହୁଏ । ପ୍ରଗତି ଯୁବକ ସଂଘ, ରଣପୁର ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚଳିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଇଂରାଜୀ ତା ୧୯/୦୯/୨୦୨୩ଠାରୁ ତା,୨୮/୦୯/୨୦୨୩ପର୍ଯ୍ୟନ୍ତ ୭୫ତମ ବିଘ୍ନ ବିନାୟକ ଶ୍ରୀ ଗଣେଶ ପୂଜା ମହୋତ୍ସବ ଅନୁଷ୍ଠିତ ହେବ।

ସେହି ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଏକ ବାଦୀ ପାଲା କୁ ସାମିଲ କରା ଯାଇଛି। ମୁଁ ଗୋଟିଏ କଥା ଉପଲବ୍ଧ କରିଛି ଯେ ପାରମ୍ପରିକ ବାଦୀ ପାଲା ପ୍ରତି ଲୋକ ମାନଙ୍କ ଆଗ୍ରହ କମିନି। ରଣପୁର ପଞ୍ଚୁଦୋଳ ପଡ଼ିଆରେ ଏ ବର୍ଷ ମଧ୍ୟ ପାରମ୍ପରିକ ବାଦି ପାଲା ଅନୁଷ୍ଠିତ ହୋଇଛି। ଏହି ପାଲାକୁ ଶୁଣିବା ପାଇଁ ବହୁ ଲୋକ ସମାବେଶ ହୋଇଛି। ଏ ବର୍ଷ ଗାୟକ ଡ ଶିଶିର ପାଢ଼ୀ ଓ ଶ୍ରୀ ବିଶ୍ଵ ନାଥ ସ୍ୱାଇଁ ନିମନ୍ତ୍ରିତ ହୋଇ ଆସିଥିବା ର ଜଣା ପଡ଼ିଛି।୭୫ ବର୍ଷର ପାଲା ସଂସ୍କୃତି କୁ ବଞ୍ଚାଇ ରଖିବା କମ୍ ବଡ କଥା ନୁହେଁ। ସୁତରାଂ ପ୍ରଗତି ଯୁବକ ସଂଘ ଓ ତାହାର ସମସ୍ତ କର୍ମ କର୍ତ୍ତା ମାନେ ସମ୍ମାନ ର ପାତ୍ର ଅଟନ୍ତି। ଅନ୍ୟ ଏକ ଦିଗ ପ୍ରତି ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା କୁ ଚାହେଁ। ରଣପୁର ଅଞ୍ଚଳରେ ହାତ ତିଆରି କୃଷି ସାମଗ୍ରୀ ଲୋପ ପାଉଛି। ଅତୀତରେ କୃଷି କାର୍ଯ୍ୟରେ ବ୍ୟବହୃତ ହଳ, ଲଙ୍ଗଳ, ଶଗଡ଼, ମଇ , କୋରଡ ଆଉ ଦେଖିବାକୁ ମିଳୁନି।

ଏହି ସାମଗ୍ରୀ ସବୁ ଜନ ମାନସରୁ ହଜି ହଜି ଯାଉଅଛି। ଚାଷୀ ପରିବାର ପାଖରେ ହଳ ଓ ଶଗଡ଼ ମହଜୁଦ ଥିଲା। ବର୍ତ୍ତମାନ ଏହାର ସ୍ଥାନ ନେଉଛି ଟ୍ରାକ୍ଟର। ଫଳରେ ଚାଷୀ ମାନେ ରଖିଥିବା ଶଗଡ଼ ଗାଡ଼ି କୁ ଖୋଲି ଏବେ ଘର ବାଡ଼ି ପଟେ କିମ୍ବା ଓଳି ତଳେ ଝୁଲାଇ ରଖି ବାକୁ ବାଧ୍ୟ ହେଉଛନ୍ତି। ସେହିପରି ଧାନ ବେଉଷଣ କାର୍ଯ୍ୟରେ ବ୍ୟବହାର ନିମନ୍ତେ ଚାଷୀ ପାଖରେ ଆଉ ମଇ ମଧ୍ୟ ଦେଖିବାକୁ ମିଳୁନି। ଢ଼ିଙ୍କିରେ ଧାନ କୁଟି ଲୋକ ମାନେ ଚାଉଳ କରୁଥିଲେ। ଏହା ସାହାଯ୍ୟରେ ଚୁନା କରି ପିଠା ହେଉଥିଲା। ଢ଼ିଙ୍କି ସାହାଯ୍ୟରେ ହେଉଥିବା ଚାଉଳ ଓ ଚୁନା ଆଦି ସ୍ଵାଦିଷ୍ଟ ରହୁ ଥିଲା ଏବେ କିନ୍ତୁ ଢ଼ିଙ୍କି ଦେଖିବାକୁ ମିଳୁନି।

ସେଇଭଳି ପଥରରେ ନିର୍ମିତ ହାତ ତିଆରି ଶିଳ, ଘୋରଣା, ନୋଳରେ ମୁଗ ବିରି କୋଳଥ ଆଦି ଗୁଣ୍ଡ କରିବା ସହ ସେଥିରେ ପ୍ରସ୍ତୁତ ସୋଦୁଅ ରେ ହିଁ ଚକୁଳି, ଏନ୍ଦ୍ରୁରୀ , ଇଡିଲି, ବରା, ଆରିସା, କାକରା ଆଦି ସ୍ଵାଦିଷ୍ଟ ପିଠା ଦିନେ ଘରର ପ୍ରମୁଖ ଖାଦ୍ୟର ଆବଶ୍ୟକତା କୁ ପୂରଣ କରୁ ଥିଲା। ସେଇ ଭଳି ହାତ ତିଆରି ଝାମ୍ପି ବର୍ଷା ସମୟରେ ମୁଣ୍ଡରେ ଲଗାଇ ଚାଷୀ ଟିଏ ବର୍ଷାରୁ ରକ୍ଷା ପାଉ ଥିଲା। ତାହା ଆଉ ନାହିଁ। ଏଥି ସହ ବିଲରୁ ମାଛ ଧରିବା ଉଦ୍ଧେଶ୍ୟରେ ଚାଷୀ ମାନେ ତିଆରି କରୁଥିବା ବଜା, ମୁଗୁରା, କଉଣିଆ ଆଉ ନାହିଁ ଓ ବିଲରେ ପୂର୍ବ ଭଳି ଚୁନା ମାଛ ଆଉ ନାହାଁନ୍ତି। ଆମର ଉତ୍ତର ପିଢ଼ି କୁ ଏହି ସବୁ ବିଷୟରେ ସୂଚନା ଦେବାପାଇଁ ଆହ୍ୱାନ ଆସୁଛି।

 

Exit mobile version