ଆମ ପୋଲିସ ସମିତି ବୈଠକ

୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :->  ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ସମୟରେ ଶିକ୍ଷିତ ଓ ଅଶିକ୍ଷିତ ଜନସାଧାରଣ ବିଭିନ୍ନ ପ୍ରକାରର ଠକେଇ, ଗୁଣିଗାରେଡି, ସାମାଜିକ ବାସନ୍ଦ, ବାଲ୍ୟବିବାହ ଆଦି କୁସଂସ୍କାରର ସମ୍ମୁଖିନ ହେଉଛନ୍ତି। ଫଳରେ ଭାଇଚାରା, ସାମାଜିକ ଚଳଣି, ଆର୍ଥିକ ସମସ୍ୟା ଓ ଧନଜୀବନ ପ୍ରଭାବିତ ହେବା ଏବେ ନିତିଦିନିଆ ଘଟଣା ପାଲଟିଛି। ଏହି କୁସଂସ୍କାର, ଅନ୍ଧବିଶ୍ବାସକୁ ପ୍ରତିହତ କରି ସମାଜରେ ଏକ ସୁସ୍ଥ ବାତାବରଣ ବଜାୟ ରଖିବା ସକାଶେ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା ମୂଳକ ପଦକ୍ଷେପ ଆରମ୍ଭ କରାଯାଇଛି । ଗଣ ସଚେତନତା ମାଧ୍ୟମରେ ଲୋକଙ୍କ ନିକଟତର ହୋଇ ପୋଲିସ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ପୋଲିସ ପବ୍ଳିକର ସେତୁ ରୂପେ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛି।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନାଙ୍କ ନିର୍ଦ୍ଦେଶରେ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ଅତିଥି ଭାବେ ସମିତିସଭ୍ୟ, ପ୍ରାକ୍ତନ ଜିଲ୍ଲ ପରିଷଦ ସଭ୍ୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଇପିଲି ଋଷିଆ, ଏସଆଇ ଟୁକୁନି ସ୍ବାଇଁ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ ଯୋଗ ଦେଇଥିଲେ। ଗ୍ରାମରେ ବାଲ୍ୟ ବିବାହ, ସାମାଜିକ ବାସନ୍ଦ, ଗୁଣିଗାରେଡି ଆଦି ଅନ୍ଧ ବିଶ୍ବାସ ଏବଂ କୁସଂସ୍କାର ଆଦି କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ।

ବ୍ୟାଙ୍କ, ଇନସୁରାନ୍ସ ଓ ସାମାଜିକ ଗଣମାଧ୍ୟମରେ ଆସୁଥିବା ଅଜଣା ଲିଙ୍କ୍ ଓ ଲୋଭନୀୟ ଅଫର ପ୍ରତି ବିଶ୍ଵାସ ନକରି ସର୍ତ୍ତକତା ଅବଲମ୍ବନ କରିବା ପାଇଁ ଥାନା ଆଇଆଇସି ଶ୍ରୀ ସେଠୀ ବୁଝାଇଥିଲେ । ବିଭିନ୍ନ ସମୟରେ ପିଏମ କିଶାନ ଯୋଜନା, ଶ୍ରମିକ କାର୍ଡ କିମ୍ବା ବ୍ୟାଙ୍କ୍, ବିଦ୍ୟୁତ୍ କର୍ମଚାରୀ ପରିଚୟ ଦେଇ ଟଙ୍କା ଠକେଇ କରିବା ପାଇଁ ବହୁ ଦଲାଲ୍ ଘୁରି ବୁଲୁଛନ୍ତି। ଏପରି ସ୍ଥଳେ ପ୍ରକୃତ ଅନୁସନ୍ଧାନ କରିବା ସହ ସାମାନ୍ୟ ସନ୍ଦେହ ସୃଷ୍ଟି ହେଲେ ତୁରନ୍ତ ପୋଲିସ୍ ସହାୟତା ପାଇଁ ପରାମର୍ଶ ଦେଇଥିଲେ। ଜିତେନ୍ଦ୍ର କୁମାର ଗୌଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Exit mobile version