ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

୧୧୯.୭୧୬ ଏକର ଜମି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ବନ୍ଦରର ଉନ୍ନତିକରଣ ତଥା ସଂପ୍ରସାରଣ ନିମିତ୍ତ ହସ୍ତାନ୍ତର

ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୧୧୯.୭୧୬ ଏକର ଜମି ଗୋପାଳପୁର ବନ୍ଦରର ଉନ୍ନତିକରଣ ତଥା ସଂପ୍ରସାରଣ ନିମିତ୍ତ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଏହି ବୁଝାମଣାପତ୍ରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବନ୍ଦର ଓ ଅନ୍ତର୍ଦେଶୀୟ ଜଳ ପରିବହନ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ଏବଂ ଗୋପାଳପୁର ବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜନାର୍ଦ୍ଦନ ରାଓ ସ୍ୱାକ୍ଷର କରିଥିଲେ ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ କମିଶନର ଅମିତାଭ ଠାକୁର, ବିଭାଗୀୟ ସ୍ୱତନ୍ତ୍ର ସଚିବ ସଂଜୟ କୁମାର ମିଶ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଗୋପାଳପୁର ବନ୍ଦର ଋତୁକାଳୀନ ଅଣବୃହତ୍‌ ବନ୍ଦର ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ୧୯୮୬-୮୭ ମସିହାରୁ ପରିଚାଳିତ ହେଉଥିଲା । ଏହି ବନ୍ଦରକୁ ସବୁଦିନିଆ ବନ୍ଦର ରୂପେ ପରିଣତ କରିବା ପାଇଁ ସରକାରୀ-ଘରୋଇ ସହଭାଗିତା (PPP) ଆଧାରରେ ଗୋପାଳପୁର ବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌କୁ କାର୍ଯ୍ୟାଦେଶ ଦିଆଯାଇଥିଲା ।

ଏହି ବନ୍ଦରର ଉନ୍ନତିକରଣ ନିମିତ୍ତ ରାଜ୍ୟ ସରକାର ଗୋପାଳପୁର ବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌ଙ୍କ ସହିତ ୧୪ ସେପେଫମ୍ବର ୨୦୦୬ ମସିହାରେ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ବର୍ତ୍ତମାନ ଏହି ବନ୍ଦରର ତିନି ଗୋଟି ବର୍ଥ ଅଛି ଯାହାର ଦୈର୍ଘ୍ୟ ୮୦୦ ମିଟର ଅଟେ ଓ ଏଠାରେ ଏକାସଙ୍ଗେ ଏକାଧିକ ଜାହାଜ ଦ୍ୱାରା ପଣ୍ୟ ପରିବହନ କାର୍ଯ୍ୟ କରାଯାଇ ପାରୁଛି । ଏହି ବନ୍ଦରର ପଣ୍ୟ ପରିବହନ କ୍ଷମତା ବାର୍ଷିକ ୨୦ ମିଲିଅନ୍‌ ମେଟି୍ରକ୍‌ ଟନ୍‌ ଅଟେ ।

ଏହି ବନ୍ଦର ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୮୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହି ବନ୍ଦର ଦ୍ୱାରା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହେବା ସହିତ ଦକ୍ଷିଣ ଓଡ଼ିଶାର ଦ୍ରୁତ ବିକାଶ ହୋଇପାରିଛି । ଗୋପାଳପୁର ବନ୍ଦରର ପ୍ରଥମ ପର୍ଯ୍ୟାୟ ବିକାଶ ନିମିତ୍ତ ୩୯୩.୬୭୦ ଏକର ଜମି ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଆଜି ୧୧୯.୭୧୬ ଏକର ଜମି ବନ୍ଦର କର୍ତ୍ତୃପକ୍ଷଙ୍କୁ ବନ୍ଦରର ଉନ୍ନତିକରଣ ତଥା ସଂପ୍ରସାରଣ ନିମିତ୍ତ ହସ୍ତାନ୍ତର କରାଯାଉଛି । ମାନସ ରଞ୍ଜନ ଖୁଣ୍ଟିଆ ସୂଚନା ଅଧିକାରୀ

Exit mobile version