ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବାସଭବନ ଘେରିବ ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସେବାସଂଘ

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ରାଜ୍ୟର ଗ୍ରାମପଞ୍ଚାୟତମାନଙ୍କରେ କାର୍ଯ୍ୟରତ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦାବିରେ ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସେବା ସଂଘ ଆସନ୍ତା ବିଧାନସଭା ଅଧିବେଶନ ପ୍ରାରମ୍ଭରେ ପଞ୍ଚୟତିରାଜ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ପବିତ୍ର ଭୋଇ ପ୍ରକାଶ କରିଛନ୍ତି । ସଂଘର କାର୍ଯ୍ୟକାରୀ ସଭାପତି ପାଣ୍ଡବ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସହସମ୍ପାଦକ ସୋମନାଥ ସିଂ, ରାଜ୍ୟ ଅର୍ଥ କମିଶନଙ୍କ ଦ୍ୱାରା ଉନ୍ନତି ପାଣ୍ଠିରୁ ପ୍ରଦତ୍ତ ଅର୍ଥରାଶି ଅଦ୍ୟାବଧି କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।

ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଯଦି ରାଜ୍ୟ ସରକାର ସଂଘର ଦୁଇଦଫା ଦାବି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ଓ ଅର୍ଥ କମିଶନଙ୍କ ପ୍ରଦତ୍ତ ରାଶି ଗ୍ରାମ ପଞ୍ଚାୟତ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ ଚିଠା ଜାରି କରିବାରେ ଠୋସ୍ ନିଷ୍ପତ୍ତି ନନିଅନ୍ତି, ତେବେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି କୁହାଯାଇଛି । ଉପସ୍ଥିତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ପ୍ରସ୍ତାବ ମୁତାବକ ବିଧାନସଭା ଅଧିବେଶନ ପ୍ରାରମ୍ଭରୁ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦିଆଯିବ ବୋଲି ସଂଘର ବରିଷ୍ଠ ସଭ୍ୟ ତଥା ସଂଯୋଜକ ଅନନ୍ତ ମହାରଣା ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଟକ ପ୍ରତିନିଧି ପ୍ରଦୀପ୍ତ ମହାନ୍ତି, କେନ୍ଦୁଝରରୁ ଲକ୍ଷ୍ମୀଧର ସାହୁ, ଗଞ୍ଜାମରୁ ସୁଧାକର ସାହୁ, ସମ୍ବଲପୁରରୁ ଦୁର୍ଲଭ ନାୟକ, ପୁରୀରୁ ଦୁଃଶାସନ ସ୍ୱାଇଁ, କଳାହାଣ୍ଡିରୁ ସତ୍ୟବାନ ସାହୁ, ବଲାଙ୍ଗୀରରୁ ବୈଷ୍ଣବ ବାଗ ପ୍ର୍ରମୁଖ ଉପସ୍ଥିତ ଥିଲେ ।

Exit mobile version