କେବେ ମିଶିବ ବିଏମ୍‌ସିରେ ଲିଙ୍ଗିପୁର ଗ୍ରାମ ପଂଚାୟତ…?

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସାରା ରାଜ୍ୟରେ ବିକାଶର ମହାପର୍ବ ଚାଲିଛି ହେଲେ ଭୁବନେଶ୍ୱର ଉପକଣ୍ଠରେ ଥିବା ଲିଙ୍ଗିପୁର ପଂଚାୟତକୁ ଅଣଦେଖା କାହିଁକି? ସ୍ୱାଧୀନତାର ୭୫ ବର୍ଷପରେ ବି ଲିଙ୍ଗିପୁର ପଂଚାୟତ ବିଏମ୍‌ସିରେ ମିଶିବା ସାତ ସପନ ହୋଇପଡିଛି । ଲିଙ୍ଗିପୁର ପଂଚାୟତ ଅଧିନରେ ରେଭିନିୟୁ ମାନ୍ୟତା ଭାବେ ଲିଙ୍ଗିପୁର ଓ ରଘୁନାଥପୁର ଆସୁଛି । ଏହି ପଂଚାୟତଟି ଜାତୀୟ ରାଜପଥ ୨୦୩ କଡରେ ଅବସ୍ଥିତ । ଭୁବନେଶ୍ୱର ଓ ପୁରୀ ଜାତୀୟ ରାଜପଥ କଡରେ ଏହି ଗ୍ରାମ ଗୁଡିକ ଅବସ୍ଥିତ ସେଗୁଡିକ ହେଲା ବିଜୟ ବିହାର ଗାଙ୍ଗୋତ୍ରୀ ନଗର, ଇନ୍ଦିରା କଲୋନି, ନାଥପୁର, ସନ୍ଥ ବିହାର, ଶ୍ରେଷାଦ୍ରାନଗର, ବାସୁଦେବନଗର, ଜୟକୃଷ୍ଣ ନଗର, ଫେଜ ୧ ଓ ୨, ମୃତ୍ୟୁଞ୍ଜୟ ବିହାର ସୁଭଦ୍ରା ବିହାର, ଜଗନ୍ନାଥ ବିହାର, ଶ୍ରୀ ଜଗନ୍ନାଥ ବିହାର, ନନ୍ଦନ ବିହାର ଓ କଳିଙ୍ଗବିହାର ଇତ୍ୟାଦି । ଲିଙ୍ଗିପୁର ପଂଚାୟତଟିରେ ସମୁଦାୟ ଲୋକସଂଖ୍ୟା ୨୦୦୦୦(କୋଡିଏ ହଜାର)ରୁ ଉର୍ଦ୍ଧ୍ୱ ହେବ ।

ଏହି ପଂଚାୟତ ଏକାମ୍ର ନିର୍ବାଚନ ମଣ୍ଡଳି ଅଧିନରେ ଆସୁଛି ଏହି ପଂଚାୟତଟିକୁ ବିଏମ୍‌ସିରେ ମିଶ୍ରିତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୯ ମସିହାରେ ମଧ୍ୟ ପ୍ରତିଶ୍ରୃତି ଦେଇଥିଲେ ମିଶେଇବା ପାଇଁ । ବର୍ତମାନ ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ମଧ୍ୟ ବିଏମ୍‌ସି ନିର୍ବାଚନ ସମୟରେ ପ୍ରତିଶ୍ରୃତି ଦେଇଥିଲେ । ବିଏମସିରେ ମିଶାଇବା ପାଇଁ । ଲିଙ୍ଗିପୁର ଗ୍ରାମ ପଂଚାୟତରେ ହୋଇଥିବା ସଭା ୨୭.୦୮.୨୦୧୯ ପ୍ରସ୍ତାବ ଆଧାରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଡିଓଙ୍କୁ ସଭାର ବିବରଣୀ ସହ ଏକ ପତ୍ର ସଂଖ୍ୟା ୫୧, ତା. ୬.୩.୨୦୨୦ରେ ପତ୍ର ପ୍ରେରଣ କରିଥିଲେ ଓ ଏହାର ଏକକିତା ନକଲ ମାନ୍ୟବର ବିଧାୟକଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଯାଇଥିଲା ବୋଲି ତତ୍‌କାଳ ସରପଂଚ(ଲିଙ୍ଗିପୁର) କହିଛନ୍ତି, କିନ୍ତୁ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନାହିଁ ।

ଏହା ଦ୍ୱାରା ଲିଙ୍ଗିପୁର ଗ୍ରାମପଂଚାୟତ ଅଧିନରେ ଥିବା ବାସିନ୍ଦାମାନେ ଅବହେଳାର ଶିକାର ହୋଇଆସୁଅଛନ୍ତି । ବିଏମ୍‌ସିର ସାବତପୁଅ ମନୋଭାବ କାରଣରୁ, ମୁନିସିପାଲଟି ହୋଇପାରିନି । ଶାସକ ଦଳର ଅନୁଗାମୀ ଓ ସମର୍ଥକ ହେବା ସତ୍ୱେ ଜାଣିଶୁଣି ବଂଚିତ କରାଯାଉଛି । ଏକ ଅସମର୍ଥିତ ସୂତ୍ରରୁ ଜଣାପଡିଛି ଯେ ବର୍ତମାନ ବିଏମ୍‌ସି କେତେଗୁଡିଏ, ନୂତନ ୱାର୍ଡ ଗଠନ କରୁଅଛି । ସେଥିରେ ଲିଙ୍ଗିପୁର ଗ୍ରାମପଂଚାୟତ ନା ନାହିଁ ଯାହା ଅନୁସନ୍ଧନ ସାପେକ୍ଷ । ୫ଟି ଯୁଗରେ ଲିଙ୍ଗିପୁର ପଂଚାୟତ ଭୁବନେଶ୍ୱର ଉପକଣ୍ଠରେ ଥାଇ ମଧ୍ୟ ହତାସ ଅବସ୍ଥାରେ ଅଛି ବୋଲି ଏଠାକାର କିଛି ଲୋକପ୍ରତିନିଧି କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଅସନ୍ତୋଷ ଆଗାମୀ ଦିନରେ ଉଗ୍ରରୂପ ନେଇପାରେ ବୋଲି ଆଲୋଚନା ଚାଲିଛି ଏହା ଆଗାମୀ ଦିନରେ ବିଏମ୍‌ସି ନହେଲେ ଆନ୍ଦୋଳନ ହେବ ବୋଲି ଶୁଣିବାକୁ ମିଳୁଛି । ବିଏମସି ହେବାକୁ ହେଲେ ଯେଉଁ ସବୁ ସର୍ତ ଅଛି ସବୁ ପୁରଣ କରୁଥିବାବେଳେ କାହିଁକି ଅବହେଳିତ? ଏ ସମ୍ବନ୍ଧରେ ମାନ୍ୟବର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ସେ ପୂର୍ବଭଳି ପ୍ରତିଶ୍ରୃତି ଦେବାରେ ଅବହେଳା କରୁନାହାନ୍ତି ।

ସମୟ କହିବ, ବିଏମ୍‌ସି ଅଧିକାରୀ କେବେ ଲିଙ୍ଗିପୁର ଗ୍ରାମପଂଚାୟତକୁ ବିଏମ୍‌ସିରେ ମିଶାଉଅଛନ୍ତି ଓ ମାନ୍ୟବର ବିଧାୟକ କି ପଦକ୍ଷେପ ନେଇ ମିଶାଉଛନ୍ତି ବିଏମ୍‌ସିରେ । ଯଦି ତୁରନ୍ତ ଏକାମ୍ର ବିଧାୟକ ବିଏମ୍‌ସି ମେୟରଙ୍କୁ ତାଙ୍କ ସୁପାରିଶ ନପଠାନ୍ତି ସବୁଦିନ ପାଇଁ ଲିଙ୍ଗିପୁର ଗ୍ରାମପଂଚାୟତ ଅବହେଳିତ ଅବସ୍ଥାରେ ରହିଯିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି ଓ ଏ ସମ୍ପର୍କରେ ଜନପ୍ରତିନିଧି ମନୋରଂଜନ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଘଟଣା ସତ୍ୟ ଅଟେ । ଯଦି ଆମ ଦୁଃଖ ବୁଝାନଯାଏ ଆମେ ଆଇନର ଆଶ୍ରୟ ନେବାକୁ ପଛଘୁଂଚା ଦେବୁ ନାହିଁ । ଏହି ସମ୍ପର୍କରେ ଲିଙ୍ଗିପୁର ଗ୍ରାମପଂଚାୟତ ଅଧିନସ୍ଥ ସମସ୍ତ ନେତୃମଣ୍ଡଳୀ ଏକ ହୋଇ ଆଗାମୀ ଦିନରେ ସରକାରଙ୍କୁ ଏହାର ଉଚିତ ଯବାବ ଦେବେ ବୋଲି ଆଲୋଚନା ଯୋର ଧରିଛି । ତେଣୁ ସମସ୍ତେ ଆଶାବାଦୀ ନଶ୍ଚିତ ଭାବେ ବିଧାୟକ ମହୋଦୟ ଏ ସମସ୍ତ ଘଟଣାକୁ ବିଚାରକୁ ନେଇ ଲିଙ୍ଗିପୁର ଗ୍ରାମପଂଚାୟତକୁ ବିଏମ୍‌ସିରେ ମିଶ୍ରଣ କରାଇବେ ।

Exit mobile version