ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ  :->  ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ରେଗିଡିସାହି ସ୍ଥିତ ହନୁମାନ ମନ୍ଦିର ସଂଲଗ୍ନ ପାର୍କରେ ଜଣେ ଯୁବକଙ୍କୁ ୧୦ଜଣ ଯୁବକ ବିଭିନ୍ନ ମରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଯୁବକ ଜଣକ ପାର୍କରେ ବସିଥିବା ବେଳେ ଏଭଳି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି।ଗୁରୁତର ଆହତ ହୋଇଥିବା ଯୁବକ ଜଣକ ହେଲେ ସ୍ଥାନୀୟ ପୋୖରାଞ୍ଚଳ ମୋହନ କଲୋନୀ୨ୟ ଲାଇନର ବାସିନ୍ଦା ସାଗର ସ୍ୱାଇଁ।ଘଟଣା ପରେ ଆହତ ଯୁବକଙ୍କ ମା କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରୁ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ଓ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଯୁବକଙ୍କ ମା’ଙ୍କ ଏତଲା ପ୍ରକାରେ ତାଙ୍କ ପୁଅ ସାଗର ସନ୍ଧ୍ୟା ୬ଟା ବେଳେ ହନୁମାନ ମନ୍ଦିର ସଂଲଗ୍ନ ପାର୍କରେ ବସିଥିଲେ।ଉକ୍ତ ସମୟରେ ନୁଆଁଗଡ଼ ଗ୍ରାମର ସାଗର ଗୌଡ଼,କୁନା ଗୌଡ଼, ଆଲୋକ ଗୌଡ଼,ସ୍ୱରାଜ୍ୟ ଗୌଡ଼ ଓ ହାଡ଼ି ସାହିର କାଳିଆ ନାୟକଙ୍କ ସହ ଅନ୍ୟ ୫ଜଣ ମିଶି ପୂର୍ବ ଶତ୍ରୁତାକୁ ନେଇ ତାଙ୍କ ପୁଅକୁ ଅତର୍କିତ ଆକ୍ରମଣ କରିଥିଲେ।ସଂଘବଦ୍ଧ ଭାବେ ବିଭିନ୍ନ ମରଣାସ୍ତ୍ର ଧରି ମରଣାନ୍ତକ ଆକ୍ରମଣ କରିବା ପରେ ସାଗର ଗୁରୁତର ଆହତ ହୋଇଥିଲେ।ଖବର ପାଇ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ସାଗରଙ୍କୁ ତାଙ୍କ ମା ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ବଡ଼ ଡ଼ାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ସମ୍ପର୍କରେ ଆହତ ଯୁବକଙ୍କ ମା ସ୍ଥାନୀୟ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ ପୋଲିସ କେଶ ନଂ-୬୬୫/୨୩ରେ ଏକ ଅପରାଧିକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି। ସଂଘବଦ୍ଧ ଭାବେ ଅପରାଧ ଘଟାଇ ଅଭିଯୁକ୍ତ ମାନେ ଫେରାର ଥିବା ଜଣାପଡିଛି। ସେମାନଙ୍କୁ ଗିରଫ କରିବା ଲାଗି ପୋଲିସ ତନାଘନା ଉଦ୍ୟମ ଜାରି ରହିଛି।ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି।

Exit mobile version