ମାଳ ମାଳ କୋଚିଂ ସେଣ୍ଟର, ସୋରୁମ ଓ ଅଟ୍ଟାଳିକାରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଢିଲା : ବିପଦର ଦୋ ଛକିରେ ଶହ ଶହ ଜୀବନ

୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ତଥା ରାଜ୍ୟ ମୁଖିଆଙ୍କ ଗଡ଼ର ଏକମାତ୍ର ପୌରାଞ୍ଚଳ ହିଞ୍ଜିିଳିକାଟୁ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବହୁତଳ ବିଶିଷ୍ଟ ବଡ଼ବଡ଼ କୋଠା ନିର୍ମାଣ ଚାଲିଥିଲେ ମଧ୍ୟ କୋଠା ଗୁଡ଼ିକରେ ଅଗ୍ନି ମୁକାବିଲା ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଉ ନ ଥିବା ଜଣାପଡିଛି। ନିଆଁ ଲାଗିଲେ ନିମିଷକ ମଧ୍ୟରେ ସବୁ କିଛି ଛାରଖାର ହୋଇ ଧ୍ୱଂସ ମୁଖା ହେବ । ସହରରେ ମାଳମାଳ ଅଣ ପଞ୍ଜିକୃତ କୋଚିଂ ସେଣ୍ଟର,ବହୁ ସଂଖ୍ୟାରେ ସୋରୁମ୍‌ ଓ ବହୁତଳ ବିଶିଷ୍ଟ କୋଠା ମୁଣ୍ଡ ଟେକିଛି । ଅଣ ପଞ୍ଜିକୃତ କୋଚିଂ ସେଣ୍ଟର,ସୋରୁମ୍ ଓ ଆପାର୍ଟମେଣ୍ଟ ଗୁଡ଼ିକରେ ଅଗ୍ନିସୁରକ୍ଷା ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲେ ମଧ୍ୟ ଗୋଟିଏ ବି ଅଣ ପଞ୍ଜିକୃତ ତଥା ଲାଭ ଜନକ ବ୍ୟବସାୟ ଚଳେଇଥିବା ମାଳ ମାଳ କୋଚିଂ ସେଣ୍ଟର,ସୋରୁମ୍ କିମ୍ବା ବହୁ ତଳ ବିଶିଷ୍ଟ କୋଠାରେ ସରକାରୀ ଗାଇଡ଼ ଲାଇନ ଅନୁସାରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା କରିନଥିବା ଦୀର୍ଘ ଦିନ ଧରି ଦେଖିବାକୁ ମିଳିଛି ।

ନ୍ୟାସନାଲ ବିଲ୍ଡିଂ କୋଡ଼୍ ଅନୁସାରେ ଅଗ୍ନିସୁରକ୍ଷା ଗାଇଡ଼ ଲାଇନ ଜାରୀ ହୋଇଛି । ଗାଇଡ଼ ଲାଇନ ଅନୁସାରେ ପ୍ରତି ବୃହତ କୋଠା ଓ ଅଟ୍ଟାଳିକାକୁ ଦମକଳ ଗାଡ଼ି ପହଞ୍ଚି ପାରିବାର ବ୍ୟବସ୍ଥା ରହିବା ଆବଶ୍ୟକ । ଏହା ସହ ପ୍ରତି କୋଠା ଓ ସପିଂମଲରେ ଫାୟାର୍‌ଆଲାରାମ୍‌, ଅଗ୍ନି ନିର୍ବାପକ ଯନ୍ତ୍ର, ସ୍ୱଂୟଚାଳିତ ସ୍ପ୍ରିଙ୍କଲର ବ୍ୟବସ୍ଥା, ହାଇଡ଼୍ରା ପଏଣ୍ଟ ବ୍ୟବସ୍ଥା ମଧ୍ୟ ରହିବା ଆବଶ୍ୟକ । ଏପରିକି କୋଠା ଉଚ୍ଚତା ଅନୁସାରେ ପାଣି ଟାଙ୍କି(ହାଇଡ଼୍ରା ପଏଣ୍ଟ) ରଖାଯିବା ନିୟମ ରହିଛି କିନ୍ତୁ କୋଠା ନିର୍ମାଣ ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ପୌରଞ୍ଚଳ ମଧ୍ୟରେ ମାଳମାଳ ଅଣ ପଞ୍ଜିକୃତ କୋଚିଂ ସେଣ୍ଟର,କୋଠା, ଅଟ୍ଟାଳିକା ଓ ସୋରୁମ୍ ରହିଥିଲେ ସୁଦ୍ଧା ଗୋଟିଏ ବି କୋଠା ନିର୍ଦ୍ଧିଷ୍ଟ ଗାଇଡ଼ ଲାଇନ ଅନୁସାରେ ନିର୍ମିତ ହେଉନଥିବା ଜଣାପଡ଼ିଛି । ରାଜ୍ୟ ସରକାର ଓଡ଼ିଶା ଅଗ୍ନିଶମ ସେବା ଆଇନ ପ୍ରଣୟନ କରିଛନ୍ତି ।

ଆଇନର ଧାରା ୨୬ ଅଧିନିୟମ ଅନୁସାରେ ଓଡ଼ିଶା ଅଗ୍ନି ନିର୍ବାପକ ଏବଂ ଅଗ୍ନି ନିରାପତ୍ତା ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାର ନିୟମ ରହିଥିଲେ ମଧ୍ୟ ସ୍ଥାନୀୟ ଅଗ୍ନିଶମ ବିଭାଗୀୟ ଅଧିକାରୀ ହାତଗୁଞ୍ଜା ନେଇ ନିରବ ଦ୍ରଷ୍ଟା ସାଜୁଥିବା ଅନେକ ଦିନ ଧରି ସହରରେ ଚର୍ଚ୍ଚା ଜୋର ଧରିଛି । ବୃହତ ଅଟ୍ଟାଳିକା, ଡ଼ାକ୍ତରଖାନା, ହୋଟେଲ ଏବଂ ବଡ଼ବଡ଼ ବ୍ୟବସାୟକ ପ୍ରତିଷ୍ଠାନ ଗୁଡ଼ିକରେ ଅଗ୍ନିସେବା ଆଇନ ଅନୁସାରେ ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ ସ୍ଥାନୀୟ ସହରରେ ଅବସ୍ଥାପିତ ଥିବା ଅଣ ପଞ୍ଜିକୃତ କୋଚିଂ ସେଣ୍ଟର,

ବହୁ ବ୍ୟବସାୟିକ ଅନୁଷ୍ଠାନ ସଂପୃକ୍ତ ନିୟମକୁ ଖୋଲା ଖୋଲି ଉଲଘଂନ କରୁଥିବାର ନଜରକୁ ଆସୁଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାର କାର୍ଯ୍ୟକାରୀ କରିଥିବା ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ଅଞ୍ଚଳରେ ଯେପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।ନଚେତ ବିପଦର ଦୋ ଛକିରେ ଶହ ଶହ ଜୀବନ ଏଭଳି ଏକ ଦ୍ଵନ୍ଦ,ଚାପ ଓ ଆଶଙ୍କା ଜନିତ ପରିବେଶ ସହ ଏକ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଥିବେ।

Exit mobile version