ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ମେଲଛାମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଓଡିଶା ତାଜା ନ୍ୟୁଜ୍ (୦୪ ଜୁଲାଇ ଶନିବାର ) ଭୁବନେଶ୍ୱର :- ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ମେଲଛାମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି । ଶ୍ରୀ ନାଗଙ୍କ ବିରୋଧରେ ଥାନାରେ ଏହି ଏତଲା ଦେଇଛନ୍ତି ଘେଁସର ଆଇନଜୀବୀ କୁଞ୍ଜବିହାରୀ ସାହୁ। ଶ୍ରୀ ସାହୁଙ୍କ ଅଭିଯୋଗ ହେଲା, ତାଙ୍କ ଝିଅ ଦିଲ୍ଲୀରେ ସୁପ୍ରିମକୋର୍ଟରେ ଓକିଲାତି କରୁଛନ୍ତି । ଗତ ୧୩ ତାରିଖ ସେ ଘେଁସସ୍ଥିତ ବାସଭବନକୁ ଆସିଥିଲେ । ଏନେଇ ଶ୍ରୀ ସାହୁ ସରପଞ୍ଚ ଏବଂ ବିଡିଓଙ୍କୁ ଆଗୁଆ ସୂଚନା ଦେଇଥିଲେ । ଝିଅ ଫେରିବା ପରେ ତାଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌ରେ ରଖାଯାଇଥିଲା । ୧୭ ତାରିଖ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଗଲା ଏବଂ ୧୯ ତାରିଖ ରିପୋର୍ଟରେ ତାହା ନେଗେଟିଭ୍‌ ଆସିଥିଲା । ହେଲେ ଶ୍ରୀ ନାଗ କିଛି ଲୋକଙ୍କୁ ମତାଇ ତାଙ୍କ ଘର ସମ୍ମୁଖକୁ ଆସି ପାଟିତୁଣ୍ଡ କରିଥିଲେ । ଝିଅକୁ ସଂଗରୋଧ କେନ୍ଦ୍ରରେ ରଖିବାକୁ ଦାବି କରିଥିଲେ । ୨୧ ତାରିଖରେ ଶ୍ରୀ ସାହୁଙ୍କ ଝିଅଙ୍କୁ ପୁଣି ସଂଗରୋଧ କେନ୍ଦ୍ରରେ ରଖାଗଲା ।

ଏହା ପରେ ଶ୍ରୀ ସାହୁ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ତାଙ୍କ ଝିଅକୁ ସେଠାରୁ ଉଦ୍ଧାର କରି ଘରକୁ ପଠାଇଥିଲା । ହେଲେ ଝିଅ ଅପମାନବୋଧ କରି ସେଠାରୁ ଦିଲ୍ଲୀ ପଳାଇଥିଲେ । ହଳଧର ନାଗଙ୍କ ଇଂଗିତରେ ତାଙ୍କ ପରିବାର ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲା ଏବଂ ଏଥିରେ ସେମାନଙ୍କ ମାନହାନି ହୋଇଛି ବୋଲି ଶ୍ରୀ ସାହୁ ଗତ ୨୨ ତାରିଖରେ ଥାନାରେ ଏତଲା ଦେଇଥିଲେ । ୨୫ ତାରିଖରେ ଏହାକୁ ନେଇ ଏକ ମାମଲା ରୁଜୁ ହୋଇଛି । ଘଟଣା ବିଷୟରେ ଜିଲ୍ଲାପାଳ ଏବଂ ଏସ୍‌ପି ମଧ୍ୟ ଅବଗତ ଅଛନ୍ତି ।

Exit mobile version