
୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିନା ଗୁରୁରେ ଜ୍ଞାନଲାଭ କରିବା ଅସମ୍ଭବ। ସୁତରାଂ ମୋକ୍ଷ ରୂପକ ମାର୍ଗ ଦେଖାଉଥିବା ବ୍ୟକ୍ତି ‘ଗୁରୁ’ ହିଁ ଅଟନ୍ତି। ଗୁରୁ ଶିଷ୍ୟ ମନରୁ କେବଳ ଅଜ୍ଞାନତା ନୁହେଁ, ତା’ ଭିତରେ ଥିବା ଅହଂକାରକୁ ମଧ୍ୟ ଦୂର କରନ୍ତି। ଅଜ୍ଞାନତା ହିଁ ସୁଖ-ଦୁଃଖ, ଜୀବନ-ମୃତ୍ୟୁ ମଧ୍ୟରେ ବିଭେଦ ସୃଷ୍ଟି କରିଥାଏ। ମାତ୍ର ମନରୁ ଅଜ୍ଞାନତା ଦୂର ହୋଇଗଲେ ଜୀବନର ବାସ୍ତବ ସତ୍ୟକୁ ଉପଲବ୍ଧି କରିହୁଏ। ଏହାକୁ ଧ୍ୟେୟ କରି ବାଟଚାଲିଲେ ଜୀବନର ଚଲାପଥ କୁସୁମିତ ହୁଏ । ସବୁ ବାଧାବିଘ୍ନକୁ ସହିବା ପାଇଁ ମନରେ ଆସେ ଅଦମ୍ୟ ସାହସ । ଏହା ନେପଥ୍ୟରେ ରହିଥାଏ ଗୁରୁଙ୍କ ଅସାମାନ୍ୟ ତ୍ୟାଗ, ଉତ୍ସର୍ଗୀକୃତ ଭାବନା ଓ ଅସୁମାରି ସ୍ନେହପ୍ରେମ ।
ତାଙ୍କ ପରି ହିତକାରୀ ସଂସାରରେ ବିରଳ ନିଶ୍ଚିତ। ସନ୍ଥ କବୀରଙ୍କ ଭାଷାରେ- ”ସଦ୍ଗୁରୁ ସମ କୋଇ ନହିଁ ସାତ ଦୀପ ନୌ ଖଣ୍ଡ, ତିନ୍ ଲୋକ ନ ପାରୟେ, ଅରୁ ଇକଇସ ବ୍ରହ୍ମାଣ୍ଡ।“ ଅର୍ଥତ୍ ସାତଦ୍ୱୀପ, ନଅ ଖଣ୍ଡ, ତିନି ଲୋକ, ଏକୋଇଶ ବ୍ରହ୍ମାଣ୍ଡରେ ସଦ୍ଗୁରୁଙ୍କ ସମାନ ହିତକାରୀ ଆପଣ କାହାକୁ ମଧ୍ୟ ପାଇବେ ନାହିଁ। ପିତାମାତା ହେଉଛନ୍ତି ଶିଶୁର ଆଦ୍ୟଗୁରୁ। ସେମାନଙ୍କ ସଂଯମ, ଅଚରଣ, ଉଚ୍ଚାରଣ, ସଂସ୍କାରର ପ୍ରତିଫଳନ ଘଟେ ଶିଶୁ ଉପରେ। ପରବର୍ତ୍ତୀ ସମୟରେ ସେ ବିଦ୍ୟାଶିକ୍ଷା ପାଇଁ ଗୁରୁଙ୍କ ଶରଣାପନ୍ନ ହୋଇଥାଏ। ଏ ଶିକ୍ଷାର କିନ୍ତୁ ଶେଷ ନ ଥାଏ। କାରଣ ଏଠି ଜୀବନଟା ହେଉଛି ଶିକ୍ଷାର ଏକ ପ୍ରୟୋଗଶାଳା।
ଗୁରୁଙ୍କ ଦିଗ୍ଦର୍ଶନ କାରଣରୁ ସମୟଠାରୁ ସେ ବହୁତ କିଛି ଶିଖିଥାଏ। ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ପାରେ। ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି। ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଭାଷାରେ- ”ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ।“ ଏପରି ଭାବ କୁ ବୁଝିବାପାଇଁ ଗୁରୁ ଙ୍କ ର ସର୍ବୋତ୍ତମ ଭାବ ବୁଝିବା ପାଇଁ ସାରା ଭାରତରେ ସର୍ବପଲ୍ଲୀ ରାଧା କ୍ରୀଷ୍ଣନ ଙ୍କ ଜନ୍ମ ଜୟନ୍ତୀ କୁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ । ସେପ୍ଟେମ୍ବର ୫ ତାରିଖ ଟି ଭାରତ ବର୍ଷ ର ପ୍ରତିଟି ଗୁରୁ ଓ ଶିଷ୍ୟଙ୍କର ଅତୁଟ ବନ୍ଧନ ଜନ୍ମ ଜନ୍ମାନ୍ତର ପାଇଁ ନିବିଡ ବୋଲି ସାବ୍ୟସ୍ତ ହୋଇଛି । ପ୍ରତି ବର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ଦିବସ ଟି କୁ ଧୁମ୍ ଧାମରେ ପାଳନ କରାଯାଏ ।
