ଭୋଟ ବ୍ୟାଙ୍କ ଏବଂ ତୁଷ୍ଟିକରଣ ରାଜନୀତି ପାଇଁ ହିନ୍ଦୁ ଧର୍ମକୁ ନଷ୍ଟ କରିବାକୁ ଚାହୁଁଛନ୍ତି : ଆଇଏନ୍‍ଡିଆଇ ମେଣ୍ଟ ନେତୃବୃନ୍ଦ

୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଡୁଙ୍ଗରପୁର :-> ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରିବାକୁ ଭାରତୀୟ ଜନତା ପାର୍ଟି (ବିଜେପି) ଯଥାସାଧ୍ୟ ପ୍ରୟାସ କରୁଚି ଏବଂ ଏ କ୍ଷେତ୍ରରେ କୌଣସି ସୁଯୋଗ ହାତଛଡା କରୁନାହିଁ । ଆଧୁନିକ ରାଜନୀତିରେ ଚାଣକ୍ୟ ଭାବରେ ପରିଚିତ ବିଜେପି ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦଳ ପାଇଁ ପ୍ରଚାର ଦାୟିତ୍ୱ ନେଇଛନ୍ତି । ଋବିବାର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ ରାଜସ୍ଥାନର ଡୁଙ୍ଗରପୁରଠାରେ ବିଜେପିର ପରିବର୍ତ୍ତନ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଶ୍ରୀ ଅମିତ ଶାହ କଂଗ୍ରେସ ପାର୍ଟିର ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା ୱାୟନାଡର ସାଂସଦ ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ବିରୋଧୀ ବୋଲି କହି ଆକ୍ଷେପ କରିଥିଲେ । ଶ୍ରୀ ଅମିତ ଶାହ କହିଥିଲେ ଯେ, ରାହୁଲ ଗାନ୍ଧୀ ହିନ୍ଦୁ ସଂଗଠନସମୂହକୁ ଲସ୍କର-ଇ-ତଇବା ଠାରୁ ଅଧିକ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛନ୍ତି । “ରାହୁଲ ବାବା, ଆପଣ ହିନ୍ଦୁ ସଂଗଠନଗୁଡିକୁ ଲସ୍କର-ଇ-ତଇବା ସହିତ ତୁଳନା କରୁଛନ୍ତି, ସେହି ସମୟରେ ଆପଣଙ୍କ ସ୍ୱରାଷ୍ଟ୍ର ମନ୍ତ୍ରୀ ବରାବର କହୁଥିଲେ ଯେ ହିନ୍ଦୁ ଆତଙ୍କବାଦ ଘଟଣା ଘଟୁଛି,” ବୋଲି ଶ୍ରୀ ଶାହ ଉଲ୍ଲେଖ କରିଥିଲେ ।ସମାବେଶକୁ ଉଦ୍‍ବୋଧନ ଦେଇ ଶ୍ରୀ ଅମିତ ଶାହ କହିଥିଲେ, “ବିଗତ ଦୁଇଦିନ ଧରି ଆଇଏନ୍‍ଡିଆଇ ମେଣ୍ଟ ଦେଶର ସଂସ୍କୃତି ଏବଂ ସନାତନ ଧର୍ମକୁ ଅପମାନିତ କରିଆସୁଛି । ଆଇଏନ୍‍ଡିଆଇ ମେଣ୍ଟର ଦୁଇ ମୁଖ୍ୟ ଦଳ କଂଗ୍ରେସ ଏବଂ ଡିଏମ୍‍କେ (ଗୋଟିଏ ଜଣେ ଅର୍ଥମନ୍ତ୍ରୀଙ୍କ ପୁତ୍ର ଏବଂ ଅନ୍ୟଜଣଙ୍କ ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁତ୍ର) ସନାତନ ଧର୍ମ ଉଚ୍ଛେଦ ସପକ୍ଷରେ ଯୁକ୍ତି ଦର୍ଶାଉଛନ୍ତି । ଭୋଟ ବ୍ୟାଙ୍କ ରାଜନୀତି ଏବଂ ତୁଷ୍ଟିକରଣ ପ୍ରୟାସରେ ଏହି ବ୍ୟକ୍ତିବିଶେଷ ‘ସନାତନ ଧର୍ମ’କୁ ଅପମାନିତ କରୁଛନ୍ତି ।”

ଶ୍ରୀ ଅମିତ ଶାହ ଗେହଲୋତ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଥିଲେ ଯେ, ରାଜସ୍ଥାନରେ ଅଶୋକ ଗେହଲୋତଙ୍କ ନେତୃତ୍ୱ ଅଧୀନରେ ହିନ୍ଦୁ ପର୍ବପର୍ବାଣୀକୁ ନିଷିଦ୍ଧ କରାଯାଇଛି, ଏକ ଶିବ ମନ୍ଦିର ଭାଙ୍ଗିଦିଆଯାଇଛି ଏବଂ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ଉସୁକାଯାଉଛି । ବିରୋଧୀ ମେଣ୍ଟକୁ ଲକ୍ଷ୍ୟ କରି ଶ୍ରୀ ଅମିତ ଶାହ କହିଥିଲେ, “ଏହି ‘ଗର୍ବୀ ମେଣ୍ଟ’ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଯାହା କିଛି କରିପାରନ୍ତି । ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥଳରେ ବିଶାଳ ରାମ ମନ୍ଦିର ଜାନୁଆରୀରେ ପ୍ରସ୍ତୁତ ହୋଇଯିବ । ବିରୋଧୀ ମେଣ୍ଟ ଏହାକୁ ଅଟକାଇ ପାରିବେନାହିଁ । କଂଗ୍ରେସ ଏହାକୁ ବର୍ଷ ବର୍ଷ ଧରି ଅଟକାଇ ରଖିଥିଲା । ସେମାନେ କହୁଛନ୍ତି ଯେ ମୋଦୀ ଯଦି ବିଜୟ ହାସଲ କରନ୍ତି, ସନାତନ ରାଜ୍‍ ଆସିବ । ସନାତନ ଲୋକଙ୍କ ହୃଦୟରେ ବିରାଜମାନ କରୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ସମ୍ବିଧାନ ଦ୍ୱାରା ପରିଚାଳିତ ହେବ ।”

Exit mobile version