କନ୍ଧମାଳରେ ଟିଫିନ ବୋମା ସାମଗ୍ରୀ ସହ ଆଇଇଡି ଜବତ : ଟାର୍ଗେଟରେ ଥିଲେ ବିଏସ୍‌ଏଫ୍‌ ଜବାନ

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଶୁକ୍ରବାର ଟିଫିନ ବୋମା ସାମଗ୍ରୀ ଜବତ ହୋଇଛି। ଏଥିରେ ଲାଗିଥିବା ସରଞ୍ଜାମ ମଧ୍ୟରେ ଏକ ଷ୍ଟିଲ୍‌ ଟିଫିନ, ୫୦ ଗ୍ରାମ ଜିଲୋଟିନ୍, ୬ ଭୋଲ୍‌ଟର ବ୍ୟାଟେରୀ, ଜରି ଟ୍ୟାପ୍‌ ଓ ୨୦ ମିଟର ବିଦ୍ୟୁତ୍ ତାର ଓ ବ୍ଲେଡ ଜବତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଗ୍ରାମ ନିକଟ ଟିକରାପଦର ଠାରେ ବିଏସଏଫ ଏବଂ ଏସଓଜି ଜବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା।

ଏହି ସମୟରେ ଏକ ଗଛ ନିକଟରେ ଟିଫିନ ବୋମା ସାମଗ୍ରୀ ପଡି ରହିଥ‌ିବା ଦେଖିବାକୁ ମିଳିଥିଲା । ଟିଫିନ ବୋମା ପ୍ରସ୍ତୁତି ଚାଲିଥିବା ବେଳେ ସୁରକ୍ଷା ବାହିନୀ ପହଞ୍ଚି ଯିବାରୁ ପ୍ରସ୍ତୁତକାରୀ ଜିନିଷ ଛାଡି ଦେଇ ଚାଲି ଯାଇଥବା ଅନୁମାନ କରାଯାଉଛି।ବିଏସ୍‌ଏଫ୍‌ର ଡଗ୍‌ ସ୍କ୍ୱାଡ୍‌ ଓ ବୋମା ନିଷ୍କ୍ରିୟକାରୀ ଦଳ ଏହି ବୋମାକୁ ଠାବ କରିଥିଲେ। ପରେ ଏହାକୁ ବେଶ୍ ସତର୍କତାର ସହିତ ନିଷ୍କ୍ରିୟ କରାଯାଇଥିଲା । କମ୍ବିଂ ଅପରେସନରେ ନିୟୋଜିତ ବିଏସ୍‌ଏଫ ଜବାନ ମାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଏହି ଆଇଇଡି (IED) ଖଞ୍ଜିଥିବା କୁହାଯାଉଛି ।

 

ପ୍ରକାଶ ଥାଉକି, କିଆମୁଣ୍ଡା ଅଞ୍ଚଳରେ ଗତ ଦିନରେ ମାଇନ ବିସ୍ଫୋରଣରେ ଜଣେ ସ୍ଥାନୀୟ ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଗୋଚ୍ଛାପଡା ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟକ ମାଓ ଲିଫଲେଟ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା। ଏସବୁ ଘଟଣା ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଓ ଗତିବିଧ‌ିକୁ ପ୍ରମାଣିତ କରୁଛି। ସୁରକ୍ଷା ବାହିନୀ ପକ୍ଷରୁ ଏହି ଅଞ୍ଚଳରେ କୁମ୍ବିଂ ଅପରେସନ କୁ ଜୋରଦାର କରାଯାଇଛି ।
 

Exit mobile version