ଓଡ଼ିଶା ବିଧାନସଭା ବାଚସ୍ପତି ପଦ ତିନି ମାସରୁ ଅଧିକ ସମୟ ଖାଲି ପଡ଼ିଥିବା ପୂରଣ ହେବାକୁ ଯାଉଛି : ୨୧ରେ ବାଚସ୍ପତି ନିର୍ବାଚନ – ୨୨ ରୁ ବିଧାନସଭା

ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡ଼ିଶା ବିଧାନସଭା ବାଚସ୍ପତି ପଦ ତିନି ମାସରୁ ଅଧିକ ସମୟ ଖାଲି ପଡ଼ିଥିବା ପୂରଣ ହେବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ । ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୩ ରେ ଗୃହରେ ଅତିରିକ୍ତ ବଜେଟ ଆଗତ ହେବ । ବିଧାନସଭା ସଚିବାଳୟ ପକ୍ଷରୁ ଏହି ସୂଚନା ମିଳିଛି । ରାଜନୈତିକ ଘଟଣାକ୍ରମରେ ଗତ ମେ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳକୁ ଫେରାଇ ଆଣି ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗର ଦାୟିତ୍ୱ ଦେଇଥିଲେ । ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇପ୍ତଫା ପରେ ଗତବର୍ଷ ଜୁନ୍ ୧୩ ତାରିଖରେ ଶ୍ରୀ ଆରୁଖ ବିଧାନସଭା ବାଚସ୍ପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ମାତ୍ର ଏହି ପଦରେ ସେ ବର୍ଷେ ବି ପୂରଣ କରିନଥିଲେ । ମନ୍ତ୍ରିମଣ୍ଡଳ ସଂମ୍ପ୍ରସାରଣ ପରେ ନୂଆ ବାଚସ୍ପତି କିଏ ହେବେ ତାକୁ ନେଇ ଗଣମାଧ୍ୟମରେ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଚୁପ ରହିଥିଲେ । ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ବିଳମ୍ବରେ ହେବା ସହ ନୂଆ ବାଚସ୍ପତିଙ୍କୁ ଦେଖିବାକୁ ମିଳିବ ।

 

Exit mobile version