ମେଘା କମ୍ପାନୀ ପାନୀୟ ଜଳ ପ୍ରକଳ୍ପ ରୁ ୧୦ କ୍ଵିଣ୍ଟାଲ ଲୁହା ଛଡ଼ ଚୋରି ମାମଲାରେ ୬ ଗିରଫ , ଟ୍ରକ ଜବତ

୨୨ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ  :-> ଭୁବନ ଥାନା ଅନ୍ତର୍ଗତ ମର୍ଥାପୁର ପଞ୍ଚାୟତର ଓଢ଼ଣା ଗ୍ରାମରେ ସରକାରଙ୍କ ତରଫରୁ ମେଘା କମ୍ପାନୀ ଦ୍ଵାରା ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି ।ଏହି ପ୍ରକଳ୍ପ ପାଇଁ ବ୍ୟବହୃତ ଲୁହା ଛଡ଼ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଅଁଳାପାଳ ଗ୍ରାମରେ ଏକ ଷ୍ଟକ ୟାର୍ଡ କରି ରଖା ଯାଇଛି । ଗତ କିଛିଦିନ ତଳେ ଉକ୍ତ ଷ୍ଟକ ୟାର୍ଡ୍ ରୁ ବିପୁଳ ପରିମାଣର ଲୁହାଛଡ଼ ଚୋରି ହୋଇଥିଲା । ଏ ସମ୍ପର୍କରେ ଗତକାଲି ଭୁବନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ଓ କେଶ୍ ନମ୍ୱର୍ ୩୪୦/୨୧.୮.୨୦୨୩ ଦଫା ୩୮୧,୪୧୧,୩୪ ରେ ମାମଲା ରୁଜୁ ହୋଇଥିଲା ।

ଭୁବନ ଥାନା ତରଫରୁ ତଦନ୍ତ ଆରମ୍ଭ ହୋଇ କମ୍ପାନୀ ର କେତେକ କର୍ମଚାରୀ ଙ୍କୁ ପଚରା ଉଚରା କରାଯାଇଥିଲା । ପୋଲିସ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ନପାରିବା,ତଥ୍ୟ ରେ ତାଳ ମେଳ ନରହିବା ଯୋଗୁ ସନ୍ଦିଗ୍ଧ କର୍ମଚାରୀ ମାନଙ୍କୁ ଅଟକ ରଖି ତଦନ୍ତ କରିବାରୁ ସେମାନେ ସବୁ ସତ ମାନିଯାଇଥିଲେ । ମେଘା କମ୍ପାନୀ ର ସିକ୍ୟୁରିଟି ଗାର୍ଡ ପ୍ରଶାନ୍ତ ନାୟକ, ଟିପର ଡ଼୍ରାଇଭର ପ୍ରଶାନ୍ତ କୁମାର ସାହୁ,ଷ୍ଟୋର କିପର ଏନ୍ ରମେଶ ନାଏକ ,ଷ୍ଟୋର କିପର ଅମିତ କୁମାର ସ୍ୱାଇଁ,ଷ୍ଟୋର ଆସୋସିଏଟ ଆଶୁତୋଷ ବେହେରା ଏବଂ ଚୋରୀ ଲୁହା ଛଡ଼ କିଣିଥିବା ବ୍ୟକ୍ତି ଭୁବନ ଥାନା ଅନ୍ତର୍ଗତ ଆଦିପୁରା ଗ୍ରାମର ସ୍ବର୍ଗତ ଦାମୋଦର ସାହୁ ଙ୍କ ପୁତ୍ର କଳାକାର ସାହୁ (୪୯) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

ଜାମିନ ନାମଞ୍ଜୁର ହେବାରୁ ଉପରୋକ୍ତ ୬ ଜଣ ଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୧୩ ତାରିଖ ଦିନ ବେଳା ଓଡ଼ି ୦୫ ଜେ -୯୯୯୦ ନମ୍ୱର୍ ବିଶିଷ୍ଟ ଟ୍ରକ୍ ରେ ୫୦ ଖଣ୍ଡ ୧୦ ଏମ ଏମ ଲୁହା ଛଡ଼,୮ ଏମ ଏମ ୧୧୭ ଖଣ୍ଡ ଲୁହା ଛଡ଼ ( ପ୍ରତ୍ୟେକ ଲମ୍ବା ୧୨ ମିଟର) ମୋଟ ୧୦ କ୍ଵିଣ୍ଟାଲ ଲୁହା ଛଡ଼ କୁ ମାତ୍ର ୩୫୦୦୦ ଟଙ୍କାରେ ବିକ୍ରି କରାଯାଇଥିଲା । ସମସ୍ତ ଲୁହା ଛଡ଼ କୁ ଉଦ୍ଧାର କରାଯାଇ କମ୍ପାନୀ କୁ ହସ୍ତାନ୍ତର କରାଯାଇଥିଲା ଓ ଏହି ଚୋରୀ ରେ ବ୍ୟବହୃତ ଟ୍ରକ୍ କୁ ମଧ୍ୟ ଜବତ କରାଯାଇଛି ବୋଲି ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

Exit mobile version