୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ରାସ୍ତା ପାର୍ଶ୍ଵରେ ବସି ବିକ୍ରି କରୁଥିବା ଆମିଷ ବ୍ୟବସାୟୀଙ୍କ ବ୍ୟାବସାୟିକ ଆନୁଷଙ୍ଗିକ ସୁବିଧା ଓ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟ ନେଇ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ନିର୍ମାଣ କରାଯାଇଥିଲା ଅତ୍ୟାଧୁନିକ ମାଛ,ମାଂସ ବଜାର।କିନ୍ତୁ ବାସ୍ତବରେ ପୌରପରିଷଦର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସାଧନ ହୋଇ ନଥିବା ପରି ମନେ ହେଉଛି।ମାଛ, ମାଂସ ବ୍ୟବସାୟ କରିବା ପାଇଁ ପିଣ୍ଡି ନିର୍ମାଣ ସହ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିଛି।କିନ୍ତୁ ବେପାରୀ ପିଣ୍ଡିରେ ବସିବା ବଦଳରେ ପୂର୍ବଭଳି ବିକ୍ରି ପାଇଁ ରାସ୍ତାକଡକୁ ଆପଣେଇଛି।ଫଳରେ ରାସ୍ତା କଡ଼ ଜାମ ହେବା ସହ ଅପରିଷ୍କାର ଯୋଗୁଁ ମୁଖ୍ୟ ରାସ୍ତାରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ଆମିଷ ଗନ୍ଧରେ ନାକ ଫାଟି ପଡୁଛି।
ଆମିଷ ବେପାରୀଙ୍କ ପାଇଁ ପୌର ପରିଷଦ ପକ୍ଷରୁ ଗତ ସାଲ ୨୦୨୧ଫେବୃଆରୀ୧୧ଟାରିଖ ରେ ୧ କୋଟି ୨୬ଲକ୍ଷ୮୨ ହଜାର ଟଙ୍କା ବ୍ୟୟ ବରାଦ କରାଯାଇ ଅତ୍ୟାଧୁନିକ ଆମିଷ ବଜାର ନିର୍ମିତ ହୋଇଥିଲା।ମାନ୍ୟବର ମୁଖ୍ୟମନ୍ତ୍ରୀ ଅଭାଷୀ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ।ବିଜୁ ପଟ୍ଟନାୟକ ଛକ ନିକଟରେ ବସୁଥିବା ସମସ୍ତ ମାଛ ବ୍ୟବସାୟୀଙ୍କୁ ପୌର ପରିଷଦ ପକ୍ଷରୁ ନିର୍ମିତ କୋଠାରେ ପିଣ୍ଡି ବଣ୍ଟନ କରାଯାଇଥିଲା କିନ୍ତୁ କିଛି ବେପାରୀ ନିଜ ପିଣ୍ଡିରେ ମାଛ ବ୍ୟବସାୟ କରୁଥିବା ବେଳେ ଆଉ କିଛି ବ୍ୟବସାୟୀ ସହରକୁ ଅତିକ୍ରମ କରିଥିବା ୫୯ନଂ ଜାତୀୟ ରାଜପଥ ଚଣା ପଡିଆ ସମ୍ମୁଖ,ମିନି ଷ୍ଟାଡିୟମ ନିକଟ,ଗୀତା ମନ୍ଦିର ରାସ୍ତାରେ ନିଜ ନିଜ ବ୍ୟବସାୟ ଚଳାଇ ଥିବା ଦେଖାଯାଇଛି। ଫଳରେ ସମ୍ପୃକ୍ତ ଅଞ୍ଚଳର ପରିବେଶ ଦୂଷିତ ହେବା ସହ ଟ୍ରାଫିକ ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି।
