
୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା :-> ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବକ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଜୁନାଗଡ ବ୍ଲକ ସିନାକୁଟି ଗ୍ରାମର ଚାଷୀ ମନ୍ମଥ ଗଜାନନ ସାହୁଙ୍କ ସମନ୍ଵିତ ଚାଷ ପ୍ରଣାଳୀ ଯୋଜନାରେ ଅନ୍ତର୍ଭୁକ୍ତ ଫାର୍ମକୁ ପରିଦର୍ଶନ ,ଦେଦର ଗ୍ରାମ ପଞ୍ଚାୟତର ୪୦ ହେକ୍ଟର ଜମିରେ ପାମ ତୈଳ ଚାଷ, ଭବାନୀପାଟଣା ବ୍ଲକର ସାନଖୈରମାଳ ଗ୍ରାମରେ ବିହନ ପ୍ରକ୍ରିୟାକରଣ ପ୍ଳାଣ୍ଟ , କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।
ଏହା ପରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଙ୍କ ଉପସ୍ଥିତିରେ କୃଷି, ପ୍ରାଣୀସମ୍ପଦ , ଉଦ୍ୟାନ , ଜଳଛାୟା , ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଜିଲ୍ଲାରେ ପ୍ରଣୟନ ହେଉଥିବା ବିଭିନ୍ନ ସ୍କିମ , ଚାଷୀଙ୍କ ଉନ୍ନତି , କ୍ଷେତ୍ର କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ନିଜ ଗସ୍ତସମୟରେ କ୍ଷେତରେ ଚାଷୀମାନେ ସାମନା କରୁଥିବା ବିଭିନ୍ନ ଅସୁବିଧାକୁ ଉଲ୍ଲେଖ କରି ଏହାର ନିରାକରଣ ଉପରେ ଗୁରୁତ୍ଵ ଦେବାକୁ କହିଥିଲେ । ଜିଲ୍ଲାପାଳଙ୍କ ଦ୍ଵାରା ଏହି ପାଞ୍ଚଟି ବିଭାଗକୁ ନେଇ ସମନ୍ଵୟ ବୈଠକ ପ୍ରତି ମାସରେ କରିବା , ମୃତ୍ତିକା ପରୀକ୍ଷଣକୁ ଆହୁରି କ୍ରିୟାଶୀଳ କରିବା , ଚାଷୀମାନଙ୍କୁ ଚାଷର ଯାନ୍ତ୍ରୀକରଣର ଉପାଦେୟତା ଓ ସବସିଡି ଉପରେ ଗ୍ରାମାଞ୍ଚଳକୁ ଯାଇ ବୁଝାଇବା ,
ଫସଲ ବୀମା ଯୋଜନାରେ ଆହୁରି ଅନେକ ଚାଷୀଙ୍କୁ ଭର୍ତ୍ତି କରିବା , ଭି.ଏ.ଡବ୍ଲୁ ଙ୍କ ଅନୁପସ୍ଥିତି ଏବଂ ଅବହେଳା ଉପରେ କାର୍ଯ୍ୟାନଷ୍ଠାନ , ମିଶ୍ରିତ ଚାଷକୁ ଗୁରୁତ୍ଵ , ୮ ଟି ବ୍ଲକରେ ଚାଲିଥିବା ମିଲେଟ ମିଶନକୁ ଅନ୍ୟ ବ୍ଲକକୁ ସଂପ୍ରସାରଣ କରିବା , କପାଚାଷ କରୁଥିବା ଚାଷୀଙ୍କୁ ବିଭାଗୀୟ ସହଯୋଗ ଓ କପା ବିକ୍ରି ପାଇଁ ଆର.ଏମ.ସି ର ଭୂମିକା , ତାଳ ତୈଳ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହ କରିବା , ପ୍ରାଣୀସମ୍ପଦରେ ବ୍ଲାକ ବେଙ୍ଗଲ ଜାତୀୟ ଛେଳି ପ୍ରଜାତିକୁ ଅନ୍ତର୍ଭୁକ୍ତ କରିବା ପାଇଁ କହିଥିଲେ । କୋରାପୁଟରେ ଯେଭଳି କଫି ଚାଷ ଆଖିଦୃଶିଆ ଉନ୍ନତି କରିଛି ତାର ଉଦାହରଣ ଦେଇ କଳାହାଣ୍ଡି ଜିଲ୍ଲାରେ ଏହାକୁ ବ୍ୟାପକ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟାଙ୍କୁ କହିଥିଲେ ।
ସର୍ବୋପରି ଜିଲ୍ଲାରେ ସମନ୍ଵିତ ଚାଷ ପ୍ରଣାଳୀ , ମିଶ୍ରିତ ଚାଷକୁ ଗୁରୁତ୍ଵ ଦେବା ସହ ସର୍ବୋତ୍ତମ ଉର୍ବର ମୃତ୍ତିକାର ଅଧିକାରୀ ଏହି ଜିଲ୍ଲା ଚାଷ କ୍ଷେତ୍ରରେ ଏକ ନୂତନ ଉଦାହରଣ ସୃଷ୍ଟି କରୁ ବୋଲି କହିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ , ଶ୍ରୀ ସନ୍ତୋଷ ପାତ୍ର , ସି ଡି ଏ ଓ ପ୍ରଫୁଲ୍ଲ କୁମାର ସେଠୀ , ଡି.ଡି. ଏଚ କିଶୋର ମହାଲିଙ୍ଗ , ଡି.ଆର.ସି.ଏସ ପ୍ରମୋଦ କୁମାର ସାହୁ , ପି.ଡି. ୱାଟରସେଡ଼, ଡି.ଆଇ.ପି.ଆର.ଓ ମନୋଜ ବେହେରା , ସି. ଡି. ଭି. ଓ , ଉପ ନିର୍ଦ୍ଦେଶକ ମତ୍ସ୍ୟ ବିଭାଗ , ଜୁନାଗଡ , କେସିଙ୍ଗା ଓ ଧର୍ମଗଡ ଆର ଏମ ସି ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।
