ପୁଣି ୭ ଜଣ କରୋନା ପଜିଟିଭ୍ ବାହାରିବା ପରେ ସମସ୍ତ ଘରୋଇ ନର୍ସିଂ ହୋମକୁ ସିଲ୍ କଲା ଜିଲ୍ଲା ପ୍ରଶାସନ – ଗଜପତି ଜିଲ୍ଲା

ଓଡିଶା ତାଜା ନ୍ୟୁଜ୍ (୩୦ ଜୁନ୍ ମଙ୍ଗଳବାର ) ଗଜପତି ,ପାରଳାଖେମୁଣ୍ଡି :- ଗଜପତି-ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିବାରେ ନା ନେଉନି। ଆଜି ତାଲିକାରେ ଯୋଡ଼ି ହୋଇଛି ଆଉ ୭ ଜଣ ସଂକ୍ରମିତ। ବର୍ତ୍ତମାନ ମୋଟ ୪୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି କରୋନା। ସୂଚନା ଯୋଗ୍ୟ ଯେ, ଅଧିକ ସଂଖ୍ୟକ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନରୁ ଆସୁଥିବା ବେଳେ ଜନସାଧାରଣ ସଂକ୍ରମଣ ନେଇ ନିଜ ଆଡୁ ସତର୍କ ରହୁନଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି। ଅପରପକ୍ଷରେ ବାହାର ରାଜ୍ୟରୁ ଆସିଥିବା ସଂକ୍ରମିତ ପ୍ରବାସୀ କ୍ବାରଣ୍ଟାଇନ କେନ୍ଦ୍ରରେ ସଂଗରୋଧ ଭାବେ ରହୁନଥିବାରୁ ମଧ୍ୟ ଏହାର ସଂଖ୍ୟା ବଢ଼ିବାରେ ଲାଗିଛି।

ଏହାଛଡା ଘର ଘର ବୁଲି ସର୍ଭେ କରିବା ସମୟରେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କ ପୋଜିଟିଭ ଚିହ୍ନଟ ହୋଇଛି। ଏପରି କ୍ଷେତ୍ରରେ ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏସବୁକୁ ଦୃଷ୍ଟିରେ ରଖି ସଟଡାଉନ ନିଷ୍ପତ୍ତି ନେଇଛି ପ୍ରଶାସନ। ଅପରପକ୍ଷରେ ଆଜି ଚିହ୍ନଟ ହୋଇଥିବା ୭ଜଣ ମଧ୍ୟରୁ ୩ଜଣ ଘରୋଇ ନର୍ସିଂ ହୋମରୁ ହୋଇଥିବା ଜଣାପଡ଼ିବା ପରେ ତତ୍ପର ହୋଇ ଉଠିଛି ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ସୈ।ମ୍ୟ ନର୍ସିଂ ହୋମକୁ ସିଲ୍ କରିବା ସହ ଅନ୍ୟ ସମସ୍ତ ନର୍ସିଂ ହୋମରେ କରୋନା ସଂକ୍ରାନ୍ତରେ କର୍ମଚାରୀ ସ୍ବତନ୍ତ୍ର ତାଲିମ ନେଇଛନ୍ତି କି ନାହିଁ,

ସାମାଜିକ ଦୂରତା ରକ୍ଷା କରିବା, ସଂକ୍ରମଣ ଲକ୍ଷଣ ଦେଖାଗଲେ ତୁରନ୍ତ ପ୍ରଶାସନର ଦୃଷ୍ଟିକୁ ନେବା, ପିପିଇ ବ୍ୟବହାର, ବିଶୋଧନ ବ୍ୟବସ୍ଥା ରହିଛି କି ନାହିଁ ସେନେଇ ତଦାରଖ କରିଛନ୍ତି। ଏହାର ଉଲ୍ଲଘଂନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତହସିଲଦାର। ତେବେ ଏତେ ସବୁ ପଦକ୍ଷେପ ନେବା ସତ୍ତ୍ବେ ସଂକ୍ରମଣରୁ ରକ୍ଷା ପାଇବାକୁ ଜନସାଧାରଣ ନିଜେ ସତର୍କ ରହିବା ଜରୁରୀ ହୋଇଛି। (ରିପୋର୍ଟ; ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version