ଆଫତାବଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

ଓଡିଶା ତାଜା ନ୍ୟୁଜ୍ (୨୯ ଜୁନ ସୋମବାର) ନୟାଗଡ ଜିଲ୍ଲା :- ପ୍ରଭୁ ଜଗନ୍ନାଥ ଯୁଗେଜୁଗେ ଭକ୍ତର ଭାବରେ ବନ୍ଧା ଭକ୍ତଙ୍କ ଠାକୁର ସେ ଶାନ୍ତି, ମୈତ୍ରୀ,ଓ ପ୍ରୀତିର ଯାଜୁଲ୍ୟମାନ ଝଲକ, ସର୍ବଧର୍ମ ସମନ୍ୱୟର ଠାକୁର ଜଗତର ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଚଳିତ ବର୍ଷ ବନ୍ଦ କରିବାପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ ଯେଉଁ କେତେଜଣ ବ୍ୟକ୍ତି ବା ଅନୁଷ୍ଠାନ ସୁପ୍ରିମକୋର୍ଟ ରେ ମଡିଫିକେସନ ପିଟିସନ ଦାୟର କରିଥିଲେ ସେମାନଙ୍କ ମଧ୍ୟରେ ଅଧିକ ଚର୍ଚିତ ଥିଲେ ଆଫତାବ ହୁସେନ । ହୁସେନ +୩ ର ଛାତ୍ର । ନୟାଗଡ ଜିଲ୍ଲା ଇଟାମାଟିରେ ଅବସ୍ଥାନ କରୁଥିବା ଅଫତାବ କବିତା ଲେଖନ୍ତି, ସଂଗୀତ ଗାନ ମଧ୍ୟ କରନ୍ତି । ସେ ସମ୍ପ୍ରତି ନୟାଗଡ ର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ରାଗେଶ୍ରୀ ନୀଳୟମର ଗୁରୁ ପ୍ରଭାତ କୁମାର ଦାଶଙ୍କ ଠାରୁ ସଂଗୀତ ଶିକ୍ଷା କରିବା ସହ ବିଭିନ୍ନ ସ୍ଥାନରେ ପ୍ରଭୁ ଜଗନ୍ନାଥଙ୍କ ଭଜନ ପରିବେଷଣ କରି ଅନେକ ଯାଗାରେ ଉଚ୍ଚ ପ୍ରଶସିତ ମଧ୍ୟ ହୋଇଛନ୍ତି ।

ମାନବବାଦର ଅନନ୍ୟ ପ୍ରତୀକ ଏହି ଯୁବ ପ୍ରତିଭାଙ୍କ ଭକ୍ତି ନୈବେଦ୍ୟ ସମସ୍ଥଙ୍କ ପାଇଁ ନିଆରା ଉଦାହରଣ ସୃଷ୍ଟି କରିପାରିଛି । ପୁରୀର ଗଜପତିଙ୍କ ଠାରୁ ଆରମ୍ଭ କରି ଅନେକ ଜ୍ଞାନୀ, ଗୁଣି ବଡ଼ ବ୍ୟକ୍ତିବିଶେଷ ଆଜି ଅଫତାବଙ୍କ ପ୍ରଂଶସାରେ ସତମୁଖ । ଅଫତାବଙ୍କ ଏହି ମହତ କାର୍ଯ୍ୟ ଓ ଗୁଣ ପାଇଁ ନୟାଗଡର ପ୍ରମୁଖ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଯୁବ ପ୍ରତିଭା ଅଫତାବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାଗେଶ୍ରୀ ନୀଳୟମର ସମ୍ପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାମାଜିକ ଦୂରତ୍ୱ ମଧ୍ୟରେ କୋଭିଡ-19 ପାଇଁ ଥିବା ନିୟମାବଳୀକୁ ଅନୁସୃତ କରି ନିରାଡ଼ମ୍ବର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମଟିଏ କରାଯାଇଥିଲା । ରାଗେଶ୍ରୀ ନୀଳୟମର ସଭାପତି ଗୁରୁ ପ୍ରଭାତ କୁମାର ଦାଶ ନିଜର ପ୍ରିୟ ଶିଷ୍ୟ ଅଫତାବଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ନୟାଗଡର ଅନ୍ୟତମ ସାମାଜିକ ଅନୁଷ୍ଠାନ “ମା”ଫାଉଣ୍ଡେସନ ପକ୍ଷରୁ ଏହାର ନିର୍ଦେଶକ,ପ୍ରକୃତିବିତ ତଥା ସମାଜସେବୀ ରଞ୍ଜନ ରଶ୍ମି ଜେନା ମେମେନ୍ତ ତଥା ଉତ୍ତରିୟ ପ୍ରଦାନ କରିଥିଲେ ।

ଅନ୍ୟ ଅନୁଷ୍ଠାନ ମଧ୍ୟରେ କଳା, ସାହିତ୍ୟ, ସଂସ୍କୃତି, ଅନୁଷ୍ଠାନ “ତଥାସ୍ତୁ”, ଉତ୍କଳସମ୍ମିଳନୀ ନୟାଗଡ ଜିଲ୍ଲା ଶାଖା ତରଫରୁ ଉତ୍ତରିୟ ପ୍ରଦାନ ପୂର୍ବକ ଅଫତାବଙ୍କ ମାନବୀୟ ଚିନ୍ତାଧାରା ତଥା ସାରସ୍ୱତ ଏବଂ ସଂଗୀତ ଜୀବନର ଉତ୍ତୋରତ୍ତର ଉନ୍ନତି କାମନା କରାଯାଇଥିଲା । ଏହି ଅବସରରେ ଯୁବ କଣ୍ଠ ଶିଳ୍ପୀ ଅଫତାବ ପ୍ରଭୁ ଜଗନ୍ନାଥଙ୍କ ଏକ ହୃଦୟସ୍ପର୍ଶି ଭଜନ ପରିବେଷଣ କରିଥିଲେ । ତେବେ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରି ଆଗାମୀ ଦିନରେ ସେମାନଙ୍କୁ ସମାଜସେବା କାର୍ଯ୍ୟରେ ଯୁକ୍ତାତ୍ମକ ଦିଗ ଦେଖାଉଥିବାରୁ ଏହି ସମ୍ବର୍ଦ୍ଧନା ପର୍ବରେ ସାମିଲ ଥିବା ସାମାଜିକ, ସାଂସ୍କୃତିକ, ସଂଗୀତ ଅନୁଷ୍ଠାନ ଗୁଡିକ ପ୍ରତି ସମଗ୍ର ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି । (ରିପୋର୍ଟ ରାମକୃଷ୍ଣ ରଥ)

Exit mobile version