ପଞ୍ଚାୟତ ସ୍ତରୀୟ ସ୍ୱତନ୍ତ୍ର ଗ୍ରାମସଭା

୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ସଂଯୋଜନାରେ ଶୁକ୍ରବାର ପଞ୍ଚାୟତ ସ୍ତରୀୟ ଗ୍ରାମସଭା ଅନୁଷ୍ଠିତ ହୋଇଛି।ଏହି କ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ରାଳବ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଆୟୋଜିତ ହୋଇଥିଲା।ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା,ଫାଇଲେରିଆ ନିରାକରଣ ଏବଂ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ-୨୦୨୩ ପ୍ରସଙ୍ଗ ଉପରେ ଆଲୋଚିତ ହୋଇଥିଲା।ଯେଉଁ ଚାଷୀ ଭାଇ ଓ ଭଉଣୀ ମାନେ ବୀମା ଭୁକ୍ତ ହେବା ପାଇଁ ପଞ୍ଜିକରଣ କରିନାହାଁନ୍ତି ସେମାନେ ଚଳିତ ବର୍ଷ ଅଗଷ୍ଟ ୫ ତାରିଖ ସୁଦ୍ଧା ପଞ୍ଜିକରଣ ନିମନ୍ତେ ସଚେତନ କରାଇବା ଉପରେ ଆଲୋଚିତ ହୋଇଥିଲା।ପଞ୍ଚାୟତରେ ଫାଇଲେରିଆ ନିରାକରଣ ସକାଶେ ସମୂହ ଔଷଧ ସେବନ ଉପରେ ସଚେତନତା ସୃଷ୍ଟି ଲାଗି ନିଷ୍ପତ୍ତି ହୋଇଥିଲା।

ଏଥି ସହ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୩ ଅନ୍ତର୍ଗତ ଘରକୁ ଘର ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯେଉଁ ଭୋଟର ମାନଙ୍କ ଭୋଟର କାର୍ଡ ସହ ଆଧାର ସଂଯୋଗୀକରଣ ହୋଇନାହିଁ ସେମାନଙ୍କ ଆଧାର କାର୍ଡ ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କରିବା ସହ ଯେଉଁ ଯୁବକ ଓ ଯୁବତୀ ମାନଙ୍କ ବୟସ୧୮ବର୍ଷ ବା ତଦୁର୍ଦ୍ଧ ହୋଇଥିବ ଓ ଆସନ୍ତା ୨୦୨୪ ବର୍ଷ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ବର୍ଷ ହେଉଥିବ ସେମାନଙ୍କ ନାମ ପଞ୍ଜିକରଣ ନିମନ୍ତେ ଜନ ସାଧାରଣଙ୍କୁ ବ୍ୟାପକ ଭାବେ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରା ଯାଇଥିଲା।ଯୋଜନାର ସଫଳ ରୂପାୟନ ନିମନ୍ତେ ଜନ ପ୍ରତିନିଧି,

ବିଭାଗୀୟ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀ ପରସ୍ପର ସମନ୍ୱୟ ଓ ସହଯୋଗ ବଜାୟ ରଖି ତ୍ୱରାନ୍ୱିତ କରିବା ଉପରେ ଆଲୋଚିତ ହୋଇଥିଲା।ମହିଳା ସ୍ୱାସ୍ଥ୍ୟ କର୍ମୀ ଉମା ପାଣିଗ୍ରାହୀ, ରାଳବ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମୌସୁମୀ ପାଣିଗ୍ରାହୀ, ସିଆରସିସି ଯାଦବ ସାହୁ, କୃଷି କର୍ମଚାରୀ, ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।ଅନୁରୂପ ଭାବେ ବିଭିନ୍ନ ପଞ୍ଚାୟତରେ ସରପଞ୍ଚ, ୱାର୍ଡ ସଭ୍ୟ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ଗ୍ରାମବାସୀଙ୍କୁ ନେଇ ପିଇଓ ବିଜୟ କୁମାର ସେଠୀ,ବାସୁଦେବ ବେହେରା,ବେଣୁଧର ବେହେରା ବୈଷ୍ଣବ ମଣ୍ଡଳ,ସୁଶାନ୍ତ କୁମାର ପଟ୍ଟନାୟକ,ସାରଣୀ ଗମାଙ୍ଗ, ଜି. ଯୁଧିଷ୍ଠିର ରେଡ୍ଡୀ,ବି.ହରି,କାଳୁ ଚରଣ ବେହେରା, ଚିନ୍ତାମଣି ଗୌଡ଼, ଲମ୍ବୋଦର ଗୌଡ଼ ପ୍ରମୁଖ ସ୍ୱତନ୍ତ୍ର ଗ୍ରାମସଭା ପରିଚାଳନା କରିଥିଲେ।

Exit mobile version