୧୯୯୭ର ବର୍ଷା କୁ ବାତ୍ ଦେଲା : ୨୬ ବର୍ଷ ର ରେକର୍ଡ ଭାଙ୍ଗିଲା ଟ୍ୱିନ ସିଟି
ଘରେ ପଶିଲା ଡ୍ରେନ ପାଣି, ହନ୍ତସନ୍ତ ହେଲେ ପରିବାର
ଆଗାମୀ ୫ ବର୍ଷ ମଧ୍ୟରେ ଏହି ସମସ୍ୟା ସମାଧାନ ହେବା ଭଳି ଆଶା ଦେଖା ଯାଉନାହିଁ ।
୨ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର,ପୂର୍ବରୁ ସତର୍କ ହେଲେନି ସରକାର ଏବେ ହନ୍ତସନ୍ତ ହେଉଛନ୍ତି ଲୋକେ । ରାଜଧାନୀବାସୀ ସଡକରେ ମାଛ ଚାଷ କରିବେ, ଇତ୍ୟାଦି ଇତ୍ୟାଦି । ଏକଥା ସରକାରକି ବିଏମ୍ସି କାନରେ ପସିଲା ନାହିଁ । ସମସ୍ତଙ୍କ ମନରେ ବୋଧ ହୁଏ ଧାରଣ ଆମେ ଗପ ଲେଖୁଛୁ । ହେଲେ ଗପଟି କେତେବେଳେ ସତ ହେଇଯିବ ତାହା ସମୟ କହିଲା । ମୌସୁମୀର ଗୋଟିଏ ବର୍ଷାରେ ବେହାଲ ହୋଇଗଲା ଭୁବନେଶ୍ୱର । କହାରି ପାଟିରୁ କଥା ବାହାରୁ ନଥିଲା ।
କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା ଭିତ୍ତଭୂମି ଜଳବନ୍ଦୀ ସମସ୍ୟା ଦୂର କରିପାରିଲାନି । ୬ ଘଣ୍ଟା ଲଗାଣ ବର୍ଷାରେ ପୁଣି ଉବୁଟୁବୁ ହୋଇଛି ସମଗ୍ର ରାଜଧାନୀ । ରାସ୍ତା, ନାଳ, ମେଡିଆନ୍ ସବୁ ଏକାକାର ହୋଇଯାଇଛି । ବସ୍ତି ତଥା ତଳି ଅଞ୍ଚଳରେ ରହୁଥିବା ପାଖାପାଖି ୭ ହଜାର ଲୋକ ଜଳବନ୍ଦୀ ହୋଇଯାଇଥିବା ବେଳେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଘରେ ପାଣି ପଶି ଯାଇଥିବା ଆକଳନ କରାଯାଇଛି ।
ପରିସ୍ଥିତି ଏମିତି ହୋଇଛି ଯେ, ବର୍ଷା ଛାଡ଼ିବା ପରେ ବି ସାରା ରାତି ଅନେକଙ୍କ ଘରେ ଚୁଲି ଜଳିପାରିନି । ବର୍ଷା ପାଇଁ ସହରରେ ଅଘଟଣ ଘଟିଛି । ରଥ ରୋଡ୍ ନଦୀର ଭ୍ରମ ସୃଷ୍ଟି କରିଥିବା ବେଳେ ବୈରାଗୀ ନଗରରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ପୂର୍ବରୁ ବିଏମ୍ସି ୩୭ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରିଥିବା ବେଳେ ଆଜିର ବର୍ଷାରେ୩୭୦ରୁ ଏକାଧିକ ନୂଆ ଜାଗା ଚିହ୍ନଟକରିବାକୁ ବାଧ୍ୟକରୁଛି । କଟକ ରୋଡ୍, ରଥରୋଡ୍, ଜନପଥ, ଇସ୍କନ ସାମ୍ନା ସମେତ ସହରର ପ୍ରମୁଖ ରାସ୍ତାରେ ପାଣି ଦୀର୍ଘ ସମୟ ଧରି ଜମି ରହିଥିଲା ।
ଯିଏ ଗାଡ଼ି ଧରି ବାହାରିଥିଲା ସେ ରାସ୍ତାରେ ଫସି ଯାଇଥିଲା । ସନ୍ଧ୍ୟାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯିବାରୁ ପ୍ରମୁଖ ରାସ୍ତାମାନଙ୍କରେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିଲା । ଫଳରେ ଅନ୍ଧାର ସାଙ୍ଗକୁ ପାଣି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଥିଲା । କେବଳ ରାସ୍ତା ନୁହେଁ, ବିଭିନ୍ନ ବସ୍ତିରେ ମଧ୍ୟ ବିଜୁଳି ସଂଯୋଗ ଦୀର୍ଘ ସମୟ ଧରି ବିଚ୍ଛିନ୍ନ ରହିଥିଲା । ଯାହା ସହରବାସୀଙ୍କୁ ଏକ ତିକ୍ତ ଅନୁଭବ ଦେଇଥିଲା ।
ସବୁଠାରୁ ବଡ଼ ସମସ୍ୟା ହୋଇଥିଲା ଆଇଗିଣିଆ ରାଜୀବ ନଗରରେ । ପାଣି ଭିତରେ ଫସି ରହିଥିବା ଶହେରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇଛି । ପାଣି ମୋଟର ଲଗାଯାଇ ଜଳ ନିଷ୍କାସନ କରାଯାଇଛି । ଅସରାଏ ବର୍ଷା ହେଲେ ରାଜଧାନୀ ଉବୁଟୁବୁ ହେଉଛି । ତ୍ୱରିତ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଯଥାସାଧ୍ୟ ଉଦ୍ୟମ କରାଯାଉଥିବା ବିଏମ୍ସି କହୁଥିଲେ ମଧ୍ୟ ସମସ୍ୟା ସମାଧାନ ପରିବର୍ତ୍ତେ କ୍ରମଶଃ ବଢ଼ି ବଢ଼ି ଯାଉଛି ।
ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିବା ପରେ ୨୦୧୯ ମସିହାରେ ସହର ମଝିରେ ଯାଇଥିବା ୧୨ଟି ପ୍ରାକୃତିକ ନଳାର ପୁନରୁଦ୍ଧାର କରିବାକୁ ଯୋଜନା ହୋଇଥିଲା । କାରଣ ଏହି ସବୁ ପ୍ରାକୃତିକ ନାଳ ଜରିଆରେ ସହରର ବର୍ଷା ଓ ବର୍ଜ୍ୟ ଜଳ ନିଷ୍କାସିତ ହୋଇଥାଏ । କିନ୍ତୁ ଏହା ଅଣ ଓସାରିଆ ହୋଇଯାଇଥିବାରୁ ଜଳ ନିଷ୍କାସିତ ହୋଇ ପାରୁନାହିଁ । କେବଳ ଯୋଜନାରେ ରହିଯାଇଥିଲା ।
