୧୯ ବର୍ଷରୁ କମ ବାଳକ ବାଳିକା ବର୍ଗ : ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

୨୮ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ  :- ଓଡ଼ିଶାରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର ସହ କ୍ରୀଡା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ପ୍ରଦାନ କରି ସଫଳ କ୍ରୀଡ଼ାବିତଙ୍କୁ ଶ୍ରେଷ୍ଠତା ପ୍ରଦର୍ଶନ ନିମନ୍ତେ ମାର୍ଗଦର୍ଶନ ଦେଇଛନ୍ତି।ବିଶେଷ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମି ଓ ଉପଯୁକ୍ତ ତାଲିମ ଅଭାବରୁ ବହୁ କ୍ରୀଡ଼ାବିତଙ୍କ ବିକଶିତ ପ୍ରତିଭା ଲୁକ୍କାୟିତ ରହିଛି।ଏଭଳି ଲୁକ୍କାୟିତ ପ୍ରତିଭାଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରାଇବା ଓ ସଫଳ ତଥା ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ଉଦ୍ୟମ ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ,ଗଞ୍ଜାମ ଓ ପୌର ପରିଷଦ,

ହିଞ୍ଜିଳିକାଟୁର ମିଳିତ ସହଯୋଗରେ ହିଞ୍ଜିଳିକାଟୁ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ଶୁକ୍ରବାର ଉଦଘାଟିତ ହୋଇଛି ୩ ଦିନିଆ ୧୯ ବର୍ଷରୁ କମ ବର୍ଗର ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା-୨୦୨୩।ହିଞ୍ଜିଳିକାଟୁ ଇଣ୍ଡୋର ଷ୍ଟାଡିୟମକୁ ଗୌରବାନ୍ୱିତ କରିଥିବା ଏହି ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ମୁଖ୍ୟମନ୍ତ୍ରୀଙ୍କ କ୍ରୀଡା ଓ କ୍ରୀଡ଼ାବିତଙ୍କ ସଫଳତା ପ୍ରତି ନିହିତ ଥିବା ପ୍ରତିବଦ୍ଧତା ଓ ମହତାଙ୍କାକ୍ଷା ପ୍ରତିଫଳିତ କରିଛି।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ବୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଭାରତୀୟ ପ୍ରଶାସନିକ ସେବା ପ୍ରୋବେସନାରୀ ଅଧିକାରୀ ସମୀର କୁମାର ଜେନା ଓ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ନିଲିନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।ନିମନ୍ତ୍ରିତ ଅତିଥି ରୂପେ ତହସିଲଦାର ପ୍ରଭାତ କୁମାର ପରିଡା, ବିଡ଼ିଓ ସୁବ୍ରତ କୁମାର ଜେନା, ରାଜ୍ୟ ସମବାୟ ସମିତି ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ରଣା,ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା,ପୋୖରାଧ୍ୟକ୍ଷ,ଉପାଧ୍ୟକ୍ଷା,ରାଜ୍ୟ ସାଧାରଣ ସମ୍ପାଦକ,ରାଜ୍ୟ ସମ୍ପାଦକ,ଗ୍ରୀଟ ଅଧ୍ୟକ୍ଷ, ବିଜେଡ଼ି ନଗର ସଭାପତି,ଶେରଗଡ଼ ବ୍ଲକ ଅଧ୍ୟକ୍ଷ,ବ୍ଲକ ସଭାପତି,ଶେରଗଡ଼ ଓ ନଗର ଯୁବ ସଭାପତି,ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଓ ପୌର ପାରିଷଦ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ହିଞ୍ଜିଳିକାଟୁରେ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଖେଳାଳିଙ୍କ ପାଇଁ ଏକ ପ୍ରବେଶ ଦ୍ୱାର ବୋଲି ମୁଖ୍ୟ ଅତିଥି ପରିପ୍ରକାଶ କରିଥିଲେ।

ପ୍ରଥମ ପଦକ୍ଷେପ ସ୍ୱରୂପ ଏଠାରୁ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀ ମନୋନୀତ ହୋଇ ଜାତୀୟସ୍ତରୀୟ ଶିବିରରେ ଯୋଗ ଦେବେ।ସେଠାରେ ଶ୍ରେଷ୍ଟତ୍ଵ ପ୍ରତିପାଦନ କଲା ପରେ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ଭାବେ ପ୍ରତିଯୋଗିତାରେ ଭାଗ ନେବା ଲାଗି ଯୋଗ୍ୟତା ହାସଲ କରିବେ ବୋଲି ସୂଚନା ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।ପ୍ରତିଯୋଗିତାରେ ପର୍ଯ୍ୟବେକ୍ଷକ ଭାବେ କୋରାପୁଟ ଜୋନ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ ଓ କନ୍ଧମାଳ ଜୋନ ସମ୍ପାଦକ ଦୀପକ କୁମାର ମହାନ୍ତି ଓ ମୁଖ୍ୟ ରେଫେରୀ ଭାବେ ଜାତୀୟ ଅମ୍ପାୟାର ରୀତା ଦାସଙ୍କ ସମେତ ୩୦ଜଣ ବୈଷୟିକ ଅଧିକାରୀ ନିୟୋଜିତ ଅଛନ୍ତି।ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ୧୧୦ଜଣ ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ୩ ଦିନ ଧରି ପ୍ରତ୍ୟହ ବାଳକ ଓ ବାଳିକା ପ୍ରତିଯୋଗୀଙ୍କ ମଧ୍ୟରେ ସିଙ୍ଗଲ,ଡବଲ ଓ ମିକ୍ସ ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ମିଶ୍ର, ପୌର କର୍ମଚାରୀ, ମିଶନ ଶକ୍ତି ଓ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Exit mobile version