କୃଷକ ଉତ୍ପାଦକ ସଂଗଠନକୁ କ୍ରମାଗତ ପରବର୍ତ୍ତୀ ପର୍ଯ୍ୟାୟକୁ ନେଉଛି ଓଡ଼ିଶା ମିଲେଟ୍ସ ମିଶନ

୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଓଡ଼ିଶା ମିଲେଟ ମିଶନ ଏହାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ତଥା ଜନକୈନ୍ଦ୍ରିକ ଆଭିମୁଖ୍ୟଗୁଡ଼ିକ ଜରିଆରେ ସମଗ୍ର ରାଜ୍ୟରେ ଏକ ନୂତନ ସୋପାନରେ ପାଦ ଥାପିଛି । ସରକାର, ଗୋଷ୍ଠୀଭିତ୍ତିକ ସଂଗଠନ ତଥା ବୁଦ୍ଧିଜୀବୀଙ୍କୁ ଏକତ୍ର କରି ଓଡ଼ିଶା ମିଲେଟ୍ସ ମିଶନ୍ କେବଳ ଏକ ସ୍ୱାସ୍ଥ୍ୟକର ଖାଦ୍ୟଶୈଳୀକୁ ପ୍ରୋତ୍ସାହିତ କରୁନାହିଁ; ଅଧିକନ୍ତୁ ସ୍ଥାନୀୟ କୃଷିର ବିକାଶରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଏହି ଆନ୍ଦୋଳନର ମୂଳରେ କୃଷକ ଉତ୍ପାଦକ ସଂଗଠନଗୁଡ଼ିକ ରହିଛନ୍ତି ଯେଉଁମାନେ ଓଡ଼ିଶାରେ ମିଲେଟ୍ସକୁ ନେଇ ରାଜ୍ୟରେ ଏକ ସୁସ୍ଥ ଖାଦ୍ୟଶୈଳୀର ବାତାବରଣ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଏହି କୃଷକ ଉତ୍ପାଦକ ସଂଗଠନଗୁଡ଼ିକ କ୍ଷୁଦ୍ର ହୋଇପାରନ୍ତି; ମାତ୍ର ସେମାନଙ୍କର ଆଭିମୁଖ୍ୟ ବହୁତ ବଡ ।

କୃଷକମାନଙ୍କର ଅଭିବୃଦ୍ଧି ଘଟାଇବା ସହିତ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ସୃଷ୍ଟି କରିବା ଏମାନଙ୍କର ପ୍ରଥମ କାର୍ଯ୍ୟ । ଓଡ଼ିଶା ମିଲେଟ୍ସ ମିଶନ ପ୍ରତି ବ୍ଲକ୍ ସ୍ତରରେ ବଜାର ସୁବିଧା ସୃଷ୍ଟି କରି ତଥା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ ନିମନ୍ତେ ପାଣ୍ଠି ଯୋଗାଇଦେଇ ଏହି ସଂଗଠନଗୁଡ଼ିକୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି । ଯେଉଁଠି କୃଷକ ଉତ୍ପାଦକ ସଂଗଠନ ନାହିଁ ସେଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କୃଷକ ଉତ୍ପାଦକ ସଂଗଠନ ଭାବରେ ପଞ୍ଜିକରଣ କରିବାକୁ ଉତ୍ସାହିତ କରାଯାଉଛି । ଏହି ସଂଗଠନ ଗୁଡ଼ିକର ପରିଚାଳନା କରିବା ମଧ୍ୟ ଏତେ ସହଜ କାର୍ଯ୍ୟ ନୁହେଁ । ଏଥିପାଇଁ ତାଲିମ୍ ତଥା ଦକ୍ଷତା ବିକାଶର ଆବଶ୍ୟକ ପଡ଼ିଥାଏ । ଓଡ଼ିଶା ମିଲେଟ୍ସ ମିଶନ ଏହା ଉପଲବ୍ଧି କରି ଅନ୍ୟାନ୍ୟ ସାମାଜିକ ସଂଗଠନଗୁଡ଼ିକ ସହିତ ମିଳିତ ହେବା ସହିତ ସଫଳ କୃଷକ ଉତ୍ପାଦକ ସଂଗଠନର ଦକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ଆଣି ନୂଆ କର୍ମୀମାନଙ୍କୁ ତାଲିମ ଦେଉଛି ।

ବ୍ୟବସାୟିକ କୌଶଳ ଏବଂ ଅନ୍ତର୍ଦୃଷ୍ଟିରେ ସମୃଦ୍ଧ ଏହି କାର୍ଯ୍ୟକର୍ତ୍ତାମାନେ ଅଭିବୃଦ୍ଧି ତଥା ବିକାଶ କାର୍ଯ୍ୟକୁ ଜାରି ରଖିଛନ୍ତି । କୌତୂହଳର ବିଷୟ ହେଉଛି, ଓଡ଼ିଶା ମିଲେଟ୍ସ ମିଶନ ସହିତ ମିଶି କାର୍ଯ୍ୟ କରୁଥିବା କୃଷକ ଉତ୍ପାଦକ ସଂଗଠନଗୁଡ଼ିକର ସଂଖ୍ୟା ଇତିମଧ୍ୟରେ ବୃଦ୍ଧି ପାଇ ୭୬ରେ ପହଞ୍ଚିଛି । ଆଗାମୀ ଦିନରେ ଏହି ସଂଖ୍ୟାକୁ ୧୪୨ରେ ପହଇବା ଲାଗି ଓଡ଼ିଶା ମିଲେଟ୍ସ ମିଶନ୍ ଲକ୍ଷ୍ୟ ରଖିଛି । କୃଷକ ଉତ୍ପାଦକ ସଂଗଠନଗୁଡ଼ିକର ଖୋଲା ବଜାରରେ ସେମାନଙ୍କ ଚୁଡ଼ାନ୍ତ ଉତ୍ପାଦକୁ ଓଡ଼ିଶା ସରକାରଙ୍କ ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ଼କୁ କ୍ଵିଣ୍ଟାଲକୁ ପିଛା ୩୧.୫ ଟଙ୍କା (ଶ୍ରମ ମୂଲ୍ୟ ସମେତ) ସେବା ଚାର୍ଜରେ ବିକି ପାରିବାର କିମ୍ବା ଯୋଗାଣ କରିବାର ସ୍ୱାଧୀନତା ରହିଛି । ଓଡ଼ିଶା ମିଲେଟ୍ସ ମିଶନର ଉଦ୍ୟମ ଫଳରେ ଓଡ଼ିଶାରେ ମିଲେଟ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।

ବିଶେଷ ଭାବରେ, ୨୦୧୬-୧୭ରେ ରାଗିର ଉତ୍ପାଦନ ମାତ୍ର ୪୦ ହଜାର କ୍ଵିଣ୍ଟାଲକୁ ଥିବା ବେଳେ ୨୦୨୦-୨୧ରେ ଏହାର ଉତ୍ପାଦନ ୭ ଲକ୍ଷ କ୍ଵିଣ୍ଟାଲକୁ ବୃଦ୍ଧି ପାଇଛି । ଏହି ସଫଳତାର କାହାଣୀ ମଧ୍ୟ କୃଷକଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇଛି । ୨୦୧୭ରେ କୃଷକଙ୍କ ସଂଖ୍ୟା ୮୦୦୦ ଥିବା ବେଳେ ୨୦୨୨ ଜୁଲାଇରେ ଏହା ୧.୩ ଲକ୍ଷରେ ପହଞ୍ôଚଛି । ମିଲେଟ୍ସଗୁଡ଼ିକ ଅଳ୍ପ ପାଣି ଆବଶ୍ୟକ କରି ଯେକୌଣସି ପ୍ରତିକୂଳ ପରିବେଶରେ ବଢ଼ି ପାରୁଥିବାରୁ ଏହା କୃଷକମାନଙ୍କ ପାଇଁ ଏକ ଉତ୍ତମ ଫସଲ ଭାବରେ ପରିଗଣିତ ହେଉଛନ୍ତି । ଓଡ଼ିଶା ମିଲେଟ୍ସ ମିଶନ ଅବିରାମ ଉଦ୍ୟମ କରି ରାଜ୍ୟର କୃଷିରେ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଦୃଷ୍ଟାନ୍ତମୂଳକ ରୂପାନ୍ତରଣ ଘଟାଇବାରେ ସଫଳ ହୋଇଛି । କୃଷକମାନଙ୍କୁ ଅତ୍ୟାଧୁନିକ କୃଷି ଉପକରଣ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିବା ସହିତ ଓଡ଼ିଶା ମିଲେଟ୍ସ ମିଶନ୍ ରାଜ୍ୟର ସାମଗ୍ରୀକ ସ୍ୱାସ୍ଥ୍ୟରେ ତଥା ବିକାଶରେ ପ୍ରଭୁତ ଉନ୍ନତି କରିଛି ।

Exit mobile version